ARTICLE AD BOX
ନୂଆଦିଲ୍ଲୀ: ଜୁଲାଇ ମାସରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (ୟୁପିଆଇ) କାରବାରରେ ରେକର୍ଡ ୨୩୬୬ କୋଟି ସଂଖ୍ୟକ କାରବାର ହୋଇଛି, ଯାହାକି ବର୍ତ୍ତମାନ ସୁଦ୍ଧା କୌଣସି ମାସରେ ଦେଖାଯାଇ ନଥିଲା। ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ତଥ୍ୟ ମୁତାବକ ଜୁଲାଇ ମାସରେ ମୋଟ ୨୯.୮୮ ଲକ୍ଷ କୋଟି ଟଙ୍କାର କାରବାର ୟୁପିଆଇ ଜରିଆରେ ହୋଇଛି। ଜୁନ୍ ମାସ ତୁଳନାରେ ଜୁଲାଇରେ ୟୁପିଆଇ କାରବାର ସଂଖ୍ୟା ଅନୁସାରେ ୪.୧ ପ୍ରତିଶତ ଅଧିକ ଏବଂ ମୂଲ୍ୟ ଅନୁସାରେ ୩.୩ ପ୍ରତିଶତ ଅଧିକ ରହିଛି।
୨୦୨୫ର ଜାନୁଆରିରୁ ଜୁଲାଇ ଅବଧିକୁ ତୁଳନା କଲେ ଚଳିତବର୍ଷ ସେହି ସମୟରେ ୟୁପିଆଇ କାରବାର ସଂଖ୍ୟା ଦୃଷ୍ଟିରୁ ୨୨ ପ୍ରତିଶତ ବଢ଼ିଛି। ସେହିଭଳି ମୂଲ୍ୟଦୃଷ୍ଟିରୁ ଏଥିରେ ୧୯ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି। କେବଳ ବଡ଼ ସହର ନୁହେଁ ଛୋଟ ସହର ଓ ଗ୍ରାମାଞ୍ଚଳରେ ୟୁପିଆଇ ବ୍ୟବହାର ବ୍ୟାପକ ହେବାରେ ଲାଗିଛି। ଲୋକମାନେ ଦୋକାନରୁ ବିଭିନ୍ନ ସାମଗ୍ରୀ କ୍ରୟ ଠାରୁ ଆରମ୍ଭ କରି ରିଚାର୍ଜ, ବିଲ୍ ପୈଠ ଏବଂ ଟଙ୍କା ସ୍ଥାନାନ୍ତର ଆଦି କ୍ଷେତ୍ରରେ ୟୁପିଆଇର ବହୁଳ ବ୍ୟବହାର କରୁଛନ୍ତି।
ଇମିଡିଏଟ୍ ପେମେଣ୍ଟ ସର୍ଭିସ (ଆଇଏମ୍ପିଏସ୍) କାରବାର ସଂଖ୍ୟା ଜୁଲାଇ ମାସରେ ୩ ପ୍ରତିଶତ ବଢ଼ି ୩୬୪ ନିୟୁତ (୩୬.୪ କୋଟି)ରେ ପହଞ୍ଚିଛି। ଜୁନ ମାସରେ ଏହି ସଂଖ୍ୟା ୩୫୪ ନିୟୁତ ଏବଂ ମେ ମାସରେ ୩୫୮ ନିୟୁତ ରହିଥିଲା। ମୂଲ୍ୟ ଦୃଷ୍ଟିରୁ ଜୁଲାଇରେ ଆଇଏମ୍ପିଏସ୍ ଜରିଆରେ ୭.୧୨ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି, ଯାହା ଜୁନରେ ୬.୭୭ ଲକ୍ଷ କୋଟି, ମେ’ରେ ୬.୯୬ ଲକ୍ଷ କୋଟି ଟଙ୍କାରେ ରହିଥିଲା। ଜୁଲାଇ ମାସରେ ଆଇଏମ୍ପିଏସ୍ରେ ଦୈନିକ ହାରାହାରି କାରବାର ୨୨,୯୫୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
UPI: ରେକର୍ଡ ମାସିକ ୟୁପିଆଇ କାରବାର
ଅନ୍ୟପକ୍ଷରେ ଜୁଲାଇରେ ଫାସ୍ଟ୍ୟାଗ୍ ବ୍ୟବହାର ସଂଖ୍ୟା ୪ ପ୍ରତିଶତ କମି ୩୪୭ ନିୟୁତ ବା ୩୪.୭ କୋଟିରେ ରହିଛି। ଜୁନ୍ରେ ଫାସ୍ଟ୍ୟାଗ୍ ବ୍ୟବହାର ସଂଖ୍ୟା ୩୬୨ ନିୟୁତ ଏବଂ ମେ’ରେ ୩୭୫ ନିୟୁତ ରହିଥିଲା। ଜୁଲାଇରେ ଫାସ୍ଟ୍ୟାଗ୍ ଜରିଆରେ ହୋଇଥିବା କାରବାର ମୂଲ୍ୟ ୭୧୪୩ କୋଟି ଟଙ୍କାକୁ ହ୍ରାସ ପାଇଛି। ଜୁନରେ ଏହା ୭୨୧୫ କୋଟି ଟଙ୍କା ଏବଂ ମେ’ରେ ୭୩୦୮ କୋଟି ଟଙ୍କା ସ୍ତରରେ ରହିଥିଲା।

1 day ago
2


