ARTICLE AD BOX
ନୂଆଦିଲ୍ଲୀ: ଆଇଆଇଟି ବମ୍ବେରେ ପାଠପଢ଼ି ଅତି କମ୍ ସମୟରେ ଟ୍ବିଟର୍ ଭଳି ବିଶ୍ବସ୍ତରୀୟ କମ୍ପାନିର ସିଇଓ ପଦ ପାଇଥିଲେ। କିନ୍ତୁ ତାଙ୍କର ସେହି ଖୁସି ବେଶି ଦିନ ରହିନଥିଲା। ଟ୍ବିଟର୍କୁ ବିଶ୍ବର ଏକ ନମ୍ବର ଧନୀ ଏଲନ ମସ୍କ ଅଧିଗ୍ରହଣ କରିବା ପରେ ତାଙ୍କୁ ସିଇଓ ପଦରୁ ତଡ଼ିଦେଇଥିଲେ। ଜୀବନରେ ଏଭଳି ଏକ ବିଶାଳ ଝଟକାକୁ ସାମନା କରିବା ପରେ ତାଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ସେହି ଘଟଣାରେ ସେ ଭାଙ୍ଗି ପଡ଼ିନଥିଲେ। ଲୋକଲୋଚନରୁ ଦୂରେଇ ଯାଇ ସେ ଗଢ଼ିଥିଲେ ନୂଆ କମ୍ପାନି।
ବିଫଳତାରେ ଭାଙ୍ଗି ନ ପଡ଼ି ନୂଆ କରିବାକୁ ସଂକଳ୍ପ
ବର୍ତ୍ତମାନ ସେହି କମ୍ପାନି ଏକ ଦୁଇ ବିଲିଅନ ଡଲାର ସଂସ୍ଥାରେ ପରିଣତ ହୋଇଛି। ସେହି ଚମତ୍କାର କରି ଦେଖାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ପରାଗ ଅଗ୍ରୱାଲ। ନିଜ ଜୀବନ କାହାଣୀ ସମ୍ପର୍କରେ ଆଲୋଚନା କରି ପରାଗ କହିଛନ୍ତି ଯେ ଟ୍ବିଟରରୁ ବିଦା ହେବା ପରେ ଜଣେ ଉଦ୍ୟୋଗୀ ହେବା ପାଇଁ ତାଙ୍କୁ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ପ୍ରେରଣା ଦେଇଥିଲେ। ସିଲିକନ ଭ୍ୟାଲିରେ ରହି ସେ ପାରାଲାଲ ୱେବ୍ ସିଷ୍ଟମ୍ସ ନାମକ କମ୍ପାନି ଗଠନ କରିଥିଲେ ଯାହା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ କାର୍ଯ୍ୟ କରୁଛି। ଟ୍ବିଟର୍ରେ ଜଣେ ସାଧାରଣ କର୍ମଚାରୀ ଭାବେ ଯୋଗ ଦେଇଥିବା ପରାଗ ନିଜ ବୁଦ୍ଧିମତ୍ତା ବଳରେ ସିଇଓ ପଦ ପର୍ଯ୍ୟନ୍ତ ପହଞ୍ଚିପାରିଥିଲେ। ସେିହିପରି ସେ ନିଜର ବିଫଳତାରେ ଭାଙ୍ଗି ନ ପଡ଼ି କିଛି ନୂଆ କରିବାକୁ ସଂକଳ୍ପ ନେଇଥିଲେ ଓ ଏହି କମ୍ପାନି ଗଠନ କରି ନିଜ ବୁଦ୍ଧିମତ୍ତାର ପ୍ରମାଣ ଦେଇଛନ୍ତି। ଜୀବନରେ ଛୋଟ ଛୋଟ ଧକ୍କାରେ ଭାଙ୍ଗି ପଡ଼ୁଥିବା ଶହ ଶହ ଲୋକଙ୍କ ପାଇଁ ଆଜି ସେ ପ୍ରେରଣା ପାଲଟିଛନ୍ତି।

3 weeks ago
11


