ARTICLE AD BOX
ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଆଜି ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ବରମୁଣ୍ଡା ପୁରୁଣା ବସ୍ଷ୍ଟାଣ୍ଡ୍ ପଛପାର୍ଶ୍ୱ ଓୟୁଏଟି ଜମିରେ ମିୟାଵାକି ପଦ୍ଧତିରେ ବୃକ୍ଷରୋପଣ କରାଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଚଳିତବର୍ଷର ଦ୍ବିତୀୟ ମିୟାୱାକି ପଦ୍ଧତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
Environmental Organization: EFI: ପରିବେଶ ସଂଗଠନ: ଇଏଫ୍ଆଇ
ଏହି ଅବସରରେ ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି, ପ୍ରକୃତି ସୁରକ୍ଷିତ ହୋଇପାରିଲେ, ମାନବ ସମାଜ ସୁସ୍ଥ ଜୀବନଯାପନ କରିପାରିବ। ବୃକ୍ଷରୋପଣ ସହ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଆମ ପାଇଁ ବଡ଼ ଆହ୍ବାନ ପାଲଟିଛି। ଏଣୁ ବ୍ୟକ୍ତି ହୁଅନ୍ତୁ କି ଗୋଷ୍ଠୀ, ସମସ୍ତେ ବୃକ୍ଷରୋପଣ କରିବା ଦରକାର। ପ୍ରତ୍ୟେକ ବ୍ୟକ୍ତି ନିଜ ଜମିରେ ଅନ୍ତତଃ ୫ଟି ଗଛ ଲଗାନ୍ତୁ ଓ ଏହାର ରକ୍ଷଣାବେକ୍ଷଣ କରନ୍ତୁ। ଯଦ୍ବାରା ପରପିଢ଼ି ଏକ ସ୍ବଚ୍ଛ ଓ ସୁରକ୍ଷିତ ପରିବେଶ ପାଇପାରିବେ ବୋଲି ମନ୍ତ୍ରୀ ଡ. ମହାପାତ୍ର କହିଥିଲେ। ମେୟର ସୁଲୋଚନା ଦାସ କହିଛନ୍ତି, ପୂର୍ବରୁ ଭୁବନେଶ୍ୱରର ୧୬ଟି ସ୍ଥାନରେ ମିୟାଵାକି ପଦ୍ଧତିରେ ବୃକ୍ଷରୋପଣ କରାଯାଇଛି, ଯାହା ଜଙ୍ଗଲ ସୃଷ୍ଟି କରିଛି। ସିଟି ଫରେଷ୍ଟ ଡିଭିଜନ ଓ ଚନ୍ଦକା ବନଖଣ୍ଡ ସହଯୋଗରେ ଆଜି ବରମୁଣ୍ଡା ଓୟୁଏଟି ଜମିରେ ୮ହଜାର ଓ ନଗରବନଠାରେ ୮ହଜାର ବୃକ୍ଷରୋପଣ କରାଯାଇଛି। ଅର୍ଜୁନ, କରଞ୍ଜ, ଜାମୁ, ଶିଶୁ, ଅମାଳ, ନିମ୍, ବାହାଡ଼ା, ପିଜୁଳି, ବେଲ, କାଞ୍ଚନ, ଟେକମା, ବର, ଓସ୍ତ, ବଉଳ, ବାଦାମ ଆଦି ଗଛ ଲଗାଯାଇଛି। ଓଡ଼ିଶା ବନ ନିଗମ ସହରର ୪ଟି ପ୍ରମୁଖ ରାସ୍ତାର ମେଡିଆନ୍ର ବିକାଶ, ରକ୍ଷଣାବେକ୍ଷଣ ଓ ସବୁଜୀକରଣ ପ୍ରକଳ୍ପ ହାତକୁ ନେଇଛି। ଚଳିତ ବର୍ଷ ବନ ନିଗମ ପକ୍ଷରୁ ଦାରୁଠେଙ୍ଗ ବାୟୋ ମାଇନିଂ ଅଞ୍ଚଳରେ ୪ ଏକର ଜମିରେ ବୃକ୍ଷରୋପଣ କରାଯିବ।
ସ୍ୱଚ୍ଛ ବାୟୁ ତାଲିକାରେ ଭୁବନେଶ୍ୱର ଦେଶର ଚତୁର୍ଥ ହୋଇଛି। ଏଥିରେ ପ୍ରଥମ ହେବାକୁ ରାଜଧାନୀବାସୀ ସହଯୋଗର ହାତ ବଢ଼ାଇବାକୁ ମେୟର ଆହ୍ବାନ ଦେଇଥିଲେ। ୨୦୨୬-୨୭ ଆର୍ଥିକ ବର୍ଷରେ ବିଏମ୍ସି ଅଞ୍ଚଳରେ ୧ ଲକ୍ଷ ବୃକ୍ଷରୋପଣର ଯୋଜନା ରହିଛି। ଏଥିପାଇଁ ୧୦ କୋଟି ଟଙ୍କା ଆର୍ଥିକ ସହାୟତା ସରକାର ଯୋଗାଇଦେବେ ବୋଲି କମିସନର ଚଞ୍ଚଳ ରାଣା କହିଛନ୍ତି। କାର୍ଯ୍ୟକ୍ରମରେ ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ଶିକ୍ଷା ଓ ସାଂସ୍କୃତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ, ଅଭିଯୋଗ ଶୁଣାଣି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ବିନୟିନୀ ଜେନା, କର୍ପୋରେସନ ଏଷ୍ଟାବ୍ଲିସମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଦୀପକ କୁମାର ମିଶ୍ର, କର୍ପୋରେଟର ସଂଯୁକ୍ତା ସୁନ୍ଦରାୟ, ଅମରେଶ ଜେନା, ଅଜିତ କୁମାର ବେହେରା, ପଦ୍ମଜା ପ୍ରିୟଦର୍ଶିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଡେପୁଟି କମିସନର ସୁଶ୍ରୀତା ଟୁଡୁ ଓ ଅନ୍ୟମାନେ ସହଯୋଗ କରିଥିଲେ।

3 weeks ago
11


