ARTICLE AD BOX
ଭୁବନେଶ୍ୱର: ଟ୍ରାଫିକ୍ ନିୟମ ପାଳନ ନେଇ ସାରା ରାଜଧାନୀରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଏହାର ଓଲଟା ଚିତ୍ର ଭୀମଟାଙ୍ଗୀ ଫେଜ୍-୧ରେ ଦେଖିବାକୁ ମିଳିଛି। ରବିବାର ସାହାଯ୍ୟ ଗ୍ରୁପ୍ ପକ୍ଷରୁ ଏଠାରେ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଚାଲିଥିବାବେଳେ ଦୁଇ ଜଣ ମଦ୍ୟପ ଯୁବକଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁ ଦୁଇ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଅଜବ ବେହେରା ଓ ମନୋଜ ପଟ୍ଟନାୟକ। ଦୁର୍ଘଟଣା ଘଟାଇଥିବା ଦୁଇ ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ନୟାଗଡ଼ର ନବକିଶୋର ବଳ(୩୦) ଓ ରଞ୍ଜନ ମହାରଣା(୩୨); ଉଭୟ ସୁନ୍ଦରପଦାରେ ଭଡ଼ାରେ ରୁହନ୍ତି।
ସୂଚନା ଅନୁଯାୟୀ, ସାହାଯ୍ୟ ଗ୍ରୁପ୍ ପକ୍ଷରୁ ଯୁବକମାନେ ଟ୍ରାଫିକ୍ ନିୟମ ସମ୍ପର୍କିତ ୨୦ରୁ ଊର୍ଦ୍ଧ୍ୱ ବ୍ୟାନର୍ ଓ ପ୍ଲାକାର୍ଡ ଧରି ଲୋକଙ୍କୁ ସଚେତନ କରୁଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଗୋଟିଏ ବାଇକ୍ରେ ବିନା ହେଲମେଟ୍ରେ ଦ୍ରୁତଗତିରେ ଆସିଥିଲେ। ସେମାନେ ମଦ୍ୟପାନ କରିଥିବା ସହ ବାଇକ୍ରେ ବ୍ରେକ୍ ଓ କ୍ଲଚ୍ ନଥିବା ଅଭିଯୋଗ ହୋଇଛି। ଏପରିକି ଗାଡ଼ି ଚାଳନା ପାଇଁ ଆବଶ୍ୟକ ଲାଇସେନ୍ସ ମଧ୍ୟ ସେମାନଙ୍କ ପାଖରେ ନଥିବା ଜଣାପଡ଼ିଛି। ଦୁଇ ଯୁବକ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଓଭରଟେକ୍ କରିବା ସହ ବାମପଟୁ ଏକ ସନ୍ଧି ରାସ୍ତାରେ ହଠାତ୍ ପ୍ରବେଶ କରି ସଚେତନତା କାର୍ଯ୍ୟକ୍ରମରେ ନିୟୋଜିତ ଅଜବ ଓ ମନୋଜଙ୍କୁ ଧକ୍କା ଦେଇଥିଲେ। ଏଥିରେ ଉଭୟ ଆହତ ହୋଇଥିଲେ। ଦୁର୍ଘଟଣା ପରେ ଯୁବକ ଦ୍ୱୟ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିବାବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିଥିଲେ। ପରେ ଏୟାରଫିଲ୍ଡ ଥାନା ପୁଲିସ ସେମାନଙ୍କୁ ନିଜ ହେପାଜତକୁ ନେଇଥିଲା।
ଟ୍ରାଫିକ୍ ନିୟମ ପାଳନ ନେଇ ରାସ୍ତାଠାରୁ ଦୂରରେ ରହି ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏଭଳି ବେପରୁଆ ଗାଡ଼ିଚାଳନା ଓ ନିୟମ ଉଲ୍ଲଂଘନକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯେଉଁମାନେ ଅନ୍ୟମାନଙ୍କୁ ଟ୍ରାଫିକ୍ ନିୟମ ମାନିବାକୁ ସଚେତନ କରୁଛନ୍ତି, ସେମାନଙ୍କୁ ହିଁ ନିୟମ ଉଲ୍ଲଂଘନକାରୀଙ୍କ ଧକ୍କାର ଶିକାର ହେବାକୁ ପଡ଼ିବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।

1 hour ago
1


