ARTICLE AD BOX
ରାୟଗଡ଼ା: ଲଗାଣ ଓ ପ୍ରବଳବର୍ଷା ଯୋଗୁଁ ରେଳଧାରଣା ପାଣିରେ ବୁଡ଼ିଯିବା କାରଣରୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ବନ୍ୟାଜଳ ମାଡ଼ି ରେଳ ଟ୍ରାକ୍ ବୁଡ଼ିଯିବାରୁ କୋରାପୁଟ-ରାୟଗଡ଼ା ଲାଇନ୍ରେ ଟ୍ରେନ୍ ଚଳାଚଳ ପ୍ରାୟ ଦୁଇ ଘଣ୍ଟା ବାଧାପ୍ରାପ୍ତ ହୋଇଥିଲା। ରାୟଗଡ଼ାଜିଲ୍ଲା ଟିକିରି ଷ୍ଟେସନ୍ରେ କୋରାପୁଟ-ବିଶାଖାପାଟଣା ଟ୍ରେନ୍ ୨ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା। ଯାହାଫଳରେ ଶତାଧିକ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସକାଳ ୧୦ଟାରୁ ଷ୍ଟେସନରେ ଟ୍ରେନ୍ ଅଟକି ରହିଥିଲା। ବର୍ଷା କମିବା ପରେ ଧୀରେ ଧୀରେ ପାଣି ନିଷ୍କାସିତ ହୋଇଥିଲା।
Niladri Bije 2026: ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ; ଗୋଟି ପହଣ୍ଡି ଜାରି
ଏହାପରେ ଟ୍ରାକ୍ର ଯାଞ୍ଚ କରିବା ପରେ ମଧ୍ୟାହ୍ନ ୧୨ଟା ୧୫ ମିନିଟ୍ରେ ଟ୍ରେନ୍ ରାୟଗଡ଼ା ଅଭିମୁଖେ ଯାତ୍ରା କରିଥିଲା। ସେହିପରି ରାଉଳି ଷ୍ଟେସନ୍ ନିକଟରେ ମଧ୍ୟ ଟ୍ରାକ୍ ଉପରେ ବର୍ଷା ପାଣି ଜମିଥିବା ସୂଚନା ମିଳିଛି। ଏହି ଘଟଣା ପରେ ରେଳବାଇ ଅଧିକାରୀ ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି। ବର୍ଷା ସଂପୂର୍ଣ୍ଣ କମିବା ପରେ ଟ୍ରାକ୍ରୁ ପାଣି ହଟାଇ ଯାଞ୍ଚ କରାଯିବ। ଯାଞ୍ଚରେ ସବୁ କିଛି ସ୍ୱାଭାବିକ ଥିବା ନିଶ୍ଚିତ ହେଲେ ରେଳ ଚଳାଚଳକୁ ସମ୍ପୂର୍ଣ୍ଣ ସ୍ୱାଭାବିକ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ରାୟଗଡ଼ା ଜିଲ୍ଲାରେ ଆଜି ସକାଳୁ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ମାତ୍ରା ବଢ଼ିବାରୁ ପାହାଡ଼ିଆ ଅଞ୍ଚଳରୁ ବର୍ଷାଜଳ ମାଡ଼ିଆସି ଟିକିରି ଷ୍ଟେସନ୍ ନିକଟସ୍ଥ ରେଳଧାରଣାକୁ ବୁଡ଼ାଇ ଦେଇଥିଲା। ସେହିପରି ଟ୍ରାକ୍ ପାର୍ଶ୍ୱ ଡ୍ରେନ୍ରୁ ମଧ୍ୟ ପାଣି ନିଷ୍କାସନ ହୋଇନପାରି ଟ୍ରାକ୍କୁ ବୁଡ଼ାଇ ରଖିଥିଲା। ପ୍ରାୟ ଦୁଇ ଫୁଟ୍ ଉଚ୍ଚରେ ପାଣି ଜମି ରହିବାରୁ ଲୋକୋ ପାଇଲଟ୍ ଯାତ୍ରୀଙ୍କ ଜୀବନକୁ ପ୍ରାଥମିକତା ଦେଇ ଟ୍ରେନ୍କୁ ଟିକିରି ଷ୍ଟେସନରେ ଅଟକାଇ ରଖିଥିଲେ। ବୁଡ଼ି ରହିଥିବା ଟ୍ରାକ୍ରେ ଟ୍ରେନ୍ ଚାଲିଲେ ଅଘଟଣର ସମ୍ଭାବନା ରହିଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ଲୋକୋ ପାଇଲଟ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

6 days ago
3


