The World's Largest Golden Buddha: ପୃଥିବୀର ସର୍ବବୃହତ୍‌ ସୁବର୍ଣ୍ଣ ବୁଦ୍ଧ

3 days ago 6
ARTICLE AD BOX

ବିଭିନ୍ନ କାରଣରୁ କେତେକ ମୂଲ୍ୟବାନ୍‌ ଚିଜକୁ ଜାଣିଶୁଣି ମାମୁଲି ଚିଜ ଭଳି ରୂପ ଦିଆଯାଇଥାଏ। ସେମିତି ଗୋଟିଏ ସ୍ଥାପତ୍ୟ ହେଉଛି ଥାଇଲାଣ୍ଡ୍‌ର ବ୍ୟାଙ୍କକ୍‌ ଅଞ୍ଚଳସ୍ଥିତ ୱାଟ୍‌ ଟେମିଟ୍‌ରେ ଥିବା ସ୍ବର୍ଣ୍ଣ ବୁଦ୍ଧ। ଏହା ପ୍ରାୟ ୩ ମିଟର୍‌ ଉଚ୍ଚ। ଏହାର ଓଜନ ପ୍ରାୟ ୫୫ହଜାର କିଲୋଗ୍ରାମ୍। ଏହା ପୃଥିବୀର ସବୁଠୁ ବଡ଼ ଓ ନିଦା ସୁନାରେ ତିଆରି ବୁଦ୍ଧ ମୂର୍ତ୍ତି। ଏହି ମୂର୍ତ୍ତିର କେଶ ଓ ଜୁଡ଼ା ୯୯ ପ୍ରତିଶତ ଶୁଦ୍ଧ ସୁନାରେ ତିଆରି। ଏହାର ଶରୀର ତିଆରି ହୋଇଛି ୪୪ ପ୍ରତିଶତ ସୁନାରେ। ବୁଦ୍ଧ ଏଥିରେ ଭୂମିସ୍ପର୍ଶ ମୁଦ୍ରାରେ ବସିଛନ୍ତି। ଏହି ମୁଦ୍ରା ହେଉଛି ବୁଦ୍ଧତ୍ବ ଏବଂ କାମନା ଓ ଅଜ୍ଞତା ଉପରେ ବିଜୟର ସଙ୍କେତ। ଏହି ମୂର୍ତ୍ତି ମଧ୍ୟ ଥାଇଲାଣ୍ଡ୍‌ର ସାଂସ୍କୃତିକ ଐତିହ୍ୟ ଓ କାରିଗରିର ଚମତ୍କାରିତାକୁ ଦର୍ଶାଏ।

ଏଭଳି ଚକଚକିଆ ସୁନାମୂର୍ତ୍ତିଟି ଆକ୍ରମଣକାରୀ ଓ ଚୋରତସ୍କରଙ୍କ ହାବୁଡ଼ରେ ପଡ଼ିବା ସାଧାରଣ କଥା। ତେଣୁ, ନିରାପଦ ରଖିବା ପାଇଁ ଏହା ଉପରେ ଏକ ପ୍ରକାର ମାଟିର ବହଳିଆ ପ୍ରଲେପ ଓ ରଙ୍ଗିନ କାଚର ଆସ୍ତରଣ ଦିଆଯାଇଥିଲା। ଏଭଳି ଅବସ୍ଥାରେ ସେ ମୂର୍ତ୍ତିଟି ପ୍ରାୟ ୨୦୦ ବର୍ଷ ରହିଥିଲା। ୧୯୫୫ ମସିହାରେ ଏ ମୂର୍ତ୍ତିଟିକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଉଠାଇ ନେବା ବେଳେ ଉକ୍ତ ଆସ୍ତରଣର କିଛି ଅଂଶ ଖସିପଡ଼ିଲା। ଆସ୍ତରଣ ଛାଡ଼ିଯିବା ଅଂଶରେ ଚକଚକିଆ ସୁନା ଦେଖାଗଲା। ତା’ପରେ ସେ ମୂର୍ତ୍ତି ଉପରୁ ପୂରା ଆସ୍ତରଣ କାଢ଼ି ଦିଆଗଲା। ସେବେଠୁ ଏ ମୂର୍ତ୍ତିଟି ହେଲା ଥାଇଲାଣ୍ଡ୍‌ର ସଂସ୍କୃତି ଓ ବୌଦ୍ଧବାଦର ପ୍ରତୀକ। କେତେକ ଏହାକୁ ଥାଇଲାଣ୍ଡ୍‌ର ଐତିହାସିକ ଗୁପ୍ତଧନ ବୋଲି ବି କହୁଛନ୍ତି। ଏହା ନିଦା ସୁନାରେ ଗଢ଼ା ପୃଥିବୀର ସବୁଠାରୁ ବଡ଼ ବୁଦ୍ଧ ମୂର୍ତ୍ତି ବୋଲି ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ ବି ସ୍ବୀକୃତି ଦେଇଛି। ଖାଲି ସୌନ୍ଦର୍ଯ୍ୟ ନୁହେଁ, ଏହି ସ୍ବର୍ଣ୍ଣ ବୁଦ୍ଧ ମୂର୍ତ୍ତିର ଅାର୍ଥିକ ଆକଳନ ବି କରାଯାଇଛି। ଆଜିକା ସୁନା ଦରରେ ହିସାବ କଲେ ଏହି ବୁଦ୍ଧ ମୂର୍ତ୍ତିର ମୂଲ୍ୟ ହେବ ୪୫,୦୪,୩୮,୭୨,୦୦୦ ଟଙ୍କା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.