The National Waterway-5: ଜାତୀୟ ଜଳପଥ-୫ ପ୍ରକଳ୍ପ ୧୨ବର୍ଷ ହେଲା ସମୀକ୍ଷାରେ ସୀମିତ: ତାଳଚେରରୁ ପାରାଦୀପ ଓ ଧାମରା ଦେଇ ପଶ୍ଚିମବଙ୍ଗକୁ ଯୋଡ଼ିବ ୫୮୮ କିମି ଜଳପଥ

56 minutes ago 1
ARTICLE AD BOX

ଭୁବନେଶ୍ୱର: ରାଜ୍ୟରେ ଅନ୍ତର୍ଦେଶୀୟ ଜଳପଥ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଶିଳ୍ପ ଓ ବାଣିଜ୍ୟିକ ବିକାଶକୁ ନୂଆଦିଗ ଦେବା ଲକ୍ଷ୍ୟରେ ଜାତୀୟ ଜଳପଥ-୫ (ଏନ୍‌ଡବ୍ଲ୍ୟୁ-୫)ର ବିକାଶ ନେଇ ପ୍ରତିବର୍ଷ କେବଳ ସମୀକ୍ଷା ହେଉଛି। ୧୨ବର୍ଷ ହେଲା ଏହି ପ୍ରକଳ୍ପ କାର୍ଯ୍ୟକାରୀ ନେଇ ସମୀକ୍ଷା ହେଉଥିବା ବେଳେ ପ୍ରକଳ୍ପର କାର୍ଯ୍ୟରେ କୌଣସି ଅଗ୍ରଗତି ହେଉନାହିଁ। ଆଜି ମଧ୍ୟ ଏ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ସଚିବ ବିଜୟ କୁମାରଙ୍କ ଉପସ୍ଥିତିରେ ଏହି ବୈଠକରେ ଶିଳ୍ପ ପ୍ରତିନିଧି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। 

ପ୍ରସ୍ତାବିତ ଜାତୀୟ ଜଳପଥ-୫ର ମୋଟ ଦୈର୍ଘ୍ୟ ପ୍ରାୟ ୫୮୮ କିଲୋମିଟର। ଏହାର ପ୍ରଥମ ଭାଗ ନଦୀପଥରେ ତାଳଚେରରୁ ପାରାଦୀପ ଓ ଧାମରା ପର୍ଯ୍ୟନ୍ତ ୩୩୨ କିଲୋମିଟର ଲମ୍ବା ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ଓଡ଼ିଶା ମଧ୍ୟରେ ରହିଛି। ଦ୍ୱିତୀୟ ଭାଗ କେନାଲ ସେକ୍ସନ୍‌ ଧାମରାରୁ ପଶ୍ଚିମବଙ୍ଗର ଜିଓନଖାଲି ପର୍ଯ୍ୟନ୍ତ ୨୫୬ କିଲୋମିଟର ପରିବ୍ୟାପ୍ତ। ଏହି ଜଳପଥର ବିକାଶ ଦ୍ୱାରା ରାଜ୍ୟର ଖଣିଜ ସମ୍ପଦ ଓ ଶିଳ୍ପାଞ୍ଚଳକୁ ଜଳପଥ ମାଧ୍ୟମରେ ବନ୍ଦର ସହ ଯୋଡ଼ିବା ସମ୍ଭବ ହେବ। ଏହା ଦ୍ୱାରା ବନ୍ଦରଭିତ୍ତିକ ଶିଳ୍ପ ବିକାଶକୁ ମଧ୍ୟ ଗତି ମିଳିବ। ବର୍ତ୍ତମାନ ଏହି ପ୍ରକଳ୍ପ ଅନୁମୋଦନ ପର୍ଯ୍ୟାୟରେ ରହିଛି ବୋଲି କୁହାଯାଉଛି। ଅଥଚ ୨୦୧୪-୧୫ ମସିହାରେ ୪୩୮୦କୋଟି ଟଙ୍କାର ପ୍ରକଳ୍ପ କାମ ଯାଜପୁର ଜିଲ୍ଲାର ବରୀ ବ୍ଲକ୍‌ର ତନ୍ତୀଘାଇ ନଦୀରେ ଆରମ୍ଭ ହୋଇ ଅଟକିଯାଇଛି।

ଗତବର୍ଷ ଏହାର ବଜେଟ୍ ୧୨ହଜାର କୋଟିକୁ ବୃଦ୍ଧି ପାଇଥିଲା ବୋଲି ରାଜ୍ୟସ୍ତରୀୟ ସମୀକ୍ଷାରେ ଘୋଷଣା କରାଯାଇଥିଲା।
ଆଜିର ବୈଠକରେ ଭାରତୀୟ ଅନ୍ତର୍ଦେଶୀୟ ଜଳପଥ କର୍ତ୍ତୃପକ୍ଷ (ଆଇଡବ୍ଲ୍ୟୁଏଆଇ) ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସମନ୍ୱୟ ଆବଶ୍ୟକ କରୁଥିବା ବିଭିନ୍ନ ବକେୟା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଭାଗୀଦାର, ନିର୍ମିତ ସମ୍ପତ୍ତିର ରକ୍ଷଣାବେକ୍ଷଣ, ଜମି ଅଧିଗ୍ରହଣ, ଟର୍ମିନାଲ ଓ ଜଳପଥ ସଂରଚନା ପାଇଁ ଜମି ହସ୍ତାନ୍ତର ଆଦି ପ୍ରସଙ୍ଗ ଗୁରୁତ୍ୱ ପାଇଥିଲା। ଜଳପଥରେ ନୌଯାନ ଚଳାଚଳ ପାଇଁ ଆବଶ୍ୟକ ସର୍ବନିମ୍ନ ଜଳଗଭୀରତା (ଏଲ୍‌ଏଡି) ବଜାୟ ରଖିବାକୁ ଜଳଯୋଗାଣ, ଖଲପାଲ ନାଭିଗେସନ୍ ଲକ୍‌ର ବିକାଶ, ଆଇନଗତ ଅନୁମତି, ସେତୁ ନିର୍ମାଣ ଓ ଭଙ୍ଗାଯିବା, ଶେଷ ପର୍ଯ୍ୟାୟ ସଡ଼କ ସଂଯୋଗ ଏବଂ ଉଚ୍ଚ ଓ ନିମ୍ନ କ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ଲାଇନ୍ ସ୍ଥାନାନ୍ତର ଭଳି ପ୍ରସଙ୍ଗ ମଧ୍ୟ ଆଲୋଚନା ହୋଇଥିଲା। ଏହା ସହିତ ବାହୁଦା ବନ୍ଦର, କେନ୍ଦ୍ରାପଡ଼ା ଜିଲ୍ଲାରେ ଜାହାଜ ନିର୍ମାଣ କ୍ଲଷ୍ଟର ଏବଂ ପୁରୀରେ କ୍ରୁଜ୍ ଟର୍ମିନାଲ ଭଳି ଆଗାମୀ ପ୍ରକଳ୍ପଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.