ARTICLE AD BOX
ଭୁବନେଶ୍ବର: ପଳାଶୁଣୀରୁ ଜିଜିପି କଲୋନି, ଝାରପଡ଼ା ଦେଇ ବଡ଼ଗଡ଼କୁ ସଂଯୋଗ କରୁଥିବା ଦୟା ୱେଷ୍ଟ କେନାଲ୍ ରାସ୍ତା ଯା’ଆସର ଏକ ପ୍ରମୁଖ ରାସ୍ତା। ହଜାର ହଜାର ଲୋକେ ଏହା ଉପରେ ନିର୍ଭରଶୀଳ। ପ୍ରତିଦିନ ଦୁଇଚକିଆ, ଚାରିଚକିଆଠାରୁ ସ୍କୁଲ ବସ୍ ଓ ଅନ୍ୟ ବଡ଼ ବଡ଼ ଗାଡ଼ି ଏହି ବାଟ ଦେଇ ଚଳାଚଳ କରୁଛି। କିନ୍ତୁ ଏହି ରାସ୍ତାକୁ କାଟି ଦିଆଯାଇଛି। ସେ ପୁଣି ଦୁଇଟି ସ୍ଥାନରେ। ତେବେ ଗତକାଲି ରାତିରେ ପ୍ରବଳ ବର୍ଷା ହେବା ଫଳରେ କେନାଲ ରାସ୍ତା କେନାଲ ଭିତରକୁ ଧସିଯାଇଛି।ଏଣୁ ଏହି ରାସ୍ତାରେ ଯିବା ଆସିବା ବନ୍ଦ ହୋଇଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।
Pay commission: ଅଷ୍ଟମ ବେତନ କମିସନ୍ର ଭୁବନେଶ୍ବର ଗସ୍ତ ଆଜିଠାରୁ
୪୪ ନମ୍ବର ୱାର୍ଡ ଅନ୍ତର୍ଗତ ବଡ଼ଗଡ଼ ଛକରୁ ଅନନ୍ୟା ହସ୍ପିଟାଲ୍ ରାସ୍ତାର କିଛିବାଟ ଯିବା ପରେ ଦୟା ୱେଷ୍ଟ କେନାଲ୍ ରାସ୍ତା ଦବି ଯାଇଥିଲା। ଭାରୀଯାନ ଚଳାଚଳ ଫଳରେ ଏଠାରେ ଥିବା ପୁରୁଣା କଲଭର୍ଟ ଭାଙ୍ଗି ଯାଇଥିଲା। ୬ ନମ୍ବର ମୁଖ୍ୟନାଳ ଏଠାକୁ ସଂଯୋଗ କରୁଥିବାବେଳେ ବର୍ଷାବେଳେ ଏହି ବାଟ ଦେଇ ବର୍ଷା ଓ ନାଳର ଆବର୍ଜନା ପାଣି ଗଙ୍ଗୁଆକୁ ନିଷ୍କାସନ ହୋଇଥାଏ। ଯେହେତୁ ରାସ୍ତା ଓ କଲଭର୍ଟ ଦବି ଯାଇଥିଲା, ଏହାକୁ ଭାଙ୍ଗି ପ୍ରାୟ ୨ କୋଟି ଟଙ୍କାରେ ନୂଆ କଲଭର୍ଟ ଓ ରାସ୍ତା କରାଯାଉଛି। ସେହିଭଳି ଏହି ସ୍ଥାନରୁ ଅଳ୍ପ କିଛି ବାଟ ଗଲା ପରେ ୪୩ ନମ୍ବର ୱାର୍ଡ ଅନ୍ତର୍ଗତ ଦୟା ୱେଷ୍ଟ କେନାଲ୍ ରାସ୍ତାକୁ କାଟି ଦିଆଯାଇଛି। ଏଠାରେ ବି ରାସ୍ତା ଓ କଲଭର୍ଟ ଦବିଥିଲା। ଏଠାରେ ୫ ନମ୍ବର ନାଳ ସଂଯୋଗ କରୁଥିବାବେଳେ ବିଧାନସଭା, ସଚିବାଳୟ ଆଦି ପ୍ରମୁଖ ଅଞ୍ଚଳର ଆବର୍ଜନା ପାଣି ଏହି ବାଟ ଦେଇ ଗଙ୍ଗୁଆକୁ ନିଷ୍କାସିତ ହେଉଛି। ଏହାକୁ ଭାଙ୍ଗି ପ୍ରାୟ ୧.୬୭ କୋଟି ଟଙ୍କା ନୂଆ କଲଭର୍ଟ ଓ ରାସ୍ତା କରାଯାଉଛି। କିନ୍ତୁ ଦୁଇ କାମ ବର୍ଷା ବେଳେ ଆରମ୍ଭ କରାଯାଇଛି। ଦୁଇ କାମ ତ୍ବରିତ ହେବା ଆବଶ୍ୟକ ଥିବାବେଳେ ଠିକାଦାରଙ୍କ ବିଳମ୍ବିତ ପ୍ରକ୍ରିୟା ଏବେ ସମସ୍ୟା ସୃଷ୍ଟି କରିଛି।
ସମୟ ଗଡ଼ୁଛି, କଷ୍ଟ ବଢ଼ୁଛି, ଯାଆସ ପାଇଁ ଦହଗଞ୍ଜ
ଅର୍ଦ୍ଧନିର୍ମିତ କାମ ନାଳ ପଥକୁ ଅବରୋଧ କରୁଛି। ସ୍ଥିତି ଏପରି ଯେ ବର୍ଷାଜଳ ନିଷ୍କାସନ ହୋଇପାରୁନି। ନାଳରେ ଆସୁଥିବା ଆବର୍ଜନା ସବୁ ଲାଖୁଛି ଓ ନିଷ୍କାସନ ପଥ ଅବରୋଧ କରୁଛି। ଆଖପାଖ ଅଞ୍ଚଳ ଲୋକଙ୍କ ଘରେ ପାଣି ପଶୁଛି। ଦୟା ୱେଷ୍ଟ କେନାଲ୍ ରାସ୍ତାରେ ଗୋଟିଏ ପାର୍ଶ୍ବରେ ଲୋକେ ଯାଉଥିଲେ ଓ ଅନ୍ୟପାର୍ଶ୍ବରେ ଆସୁଥିଲେ। କିନ୍ତୁ ଗୋଟିଏ ପାର୍ଶ୍ବରେ ଦୁଇଟି ଜାଗା ଖୋଳି ଦିଆଯାଇଥିବାରୁ ଲୋକେ ଗୋଟିଏ ଅନ୍ୟପାର୍ଶ୍ବରେ ଯା’ଆସ କରୁଛନ୍ତି। ସଂକୁଚିତ ରାସ୍ତାରେ ଗୋଟିଏ ଗାଡ଼ି ପଶିଲେ, ଅନ୍ୟ ଗାଡ଼ି ପଶି ପାରୁନି। ଯାହା ଭିଡ଼ ବଢ଼ାଉଛି। ସକାଳେ ଓ ସଂଧ୍ୟାରେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି।
Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା
ଏଭଳି ସ୍ଥିତିରେ ଆଜି କେନାଲ ରାସ୍ତା ଧସିଯିବା ଫଳରେ ଏହି ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଠିକାଦାର ଦୂରଦୃଷ୍ଟି ଅଭାବରୁ ଲୋକେ ହଇରାଣ ହେଉଛନ୍ତି ବୋଲଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ୪୪ ନମ୍ବର ୱାର୍ଡ କର୍ପୋରେଟର ଅଜିତ କୁମାର ବେହେରା କହିଛନ୍ତି, ଆମେ ବି ଏକଥା ଦେଖୁଛୁ ଓ ଅନୁଭବ କରୁଛୁ। ବର୍ଷା ବେଳେ କାମ ହେବାର ନ ଥିଲା। ଯଥେଷ୍ଟ ପୂର୍ବରୁ ହେବାର ଥିଲା। କିନ୍ତୁ ବର୍ଷା ବେଳେ ରାସ୍ତା କାଟି ଦିଆଗଲା। ଏଣୁ କାମ ତ ବିଳମ୍ବ ହେଉଛି, ଏଥିସହ ଲୋକେ ଅଯଥା ଯନ୍ତ୍ରଣା ଭୋଗୁଛନ୍ତି। ୪୩ ନମ୍ବର ୱାର୍ଡ କର୍ପୋରେଟର ଭରତ କୁମାର ଲେଙ୍କା କହିଛନ୍ତି, ଠିକାଦାର କାମ ବହୁତ ବିଳମ୍ବ କରୁଛି। ଲୋକେ ଅଯଥା ଦୁର୍ଦ୍ଦଶାରେ ପଡ଼ୁଛନ୍ତି। ନାଳ ସମସ୍ୟା ସାଙ୍ଗକୁ ଯା’ଆସରେ ଅସୁବିଧା ଭୋଗୁଛନ୍ତି। ଯଥାଶୀଘ୍ର କାମ ସରିବା ଜରୁରି।

4 weeks ago
11


