ARTICLE AD BOX
ଚେନ୍ନାଇ: ତାମିଲନାଡ଼ୁରେ ଇଣ୍ଡି ମେଣ୍ଟ ଫାଟ ଅଧିକ ସ୍ପଷ୍ଟ ହୋଇଛି। ଏମ୍ କେ ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମ୍କେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଟିଭିକେ ଦଳ ସହିତ ମିଶିବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି। ଡିଏମ୍କେର ପୂର୍ବତନ ମେଣ୍ଟ ସହଯୋଗୀ ଦଳ ଭିସିକେ ଷ୍ଟାଲିନଙ୍କୁ ଜାତୀୟସ୍ତରରେ ବିଜେପିର ମୁକାବିଲା କରିବାକୁ ବିରୋଧୀ ମେଣ୍ଟରେ ସାମିଲ ହେବାକୁ ଦେଇଥିବା ଆହ୍ବାନକୁ ଡିଏମ୍କେ ପ୍ରତ୍ୟାଖ୍ୟାନ କରିଦେଇଛି।
ଭିସିକେ ମୁଖ୍ୟ ଥୋଲ ଥିରୁମାଭାଲାଭନ ଡିଏମ୍କେକୁ କେରଳ ଓ ପଶ୍ଚିମବଙ୍ଗରେ ଯେପରି ଇଣ୍ଡି ମେଣ୍ଟ ସହଯୋଗୀ ଦଳ ପରସ୍ପର ବିରୋଧରେ ରାଜ୍ୟରେ ଲଢ଼ୁଥିଲେ ମଧ୍ୟ ଜାତୀୟ ରାଜନୀତିରେ ଏକାଠି ଅଛନ୍ତି ସେହିପରି ଡିଏମ୍କେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହେଲେ ମଧ୍ୟ ଜାତୀୟ ସ୍ତରରେ ଇଣ୍ଡି ମେଣ୍ଟ ସହିତ ରହିବାକୁ କହିଥିଲେ। ଭିସିକେର ଏହି ପ୍ରସ୍ତାବକୁ କଂଗ୍ରେସ ମଧ୍ୟ ସମର୍ଥନ କରିଥିଲା। ବିଜେପି ବିରୋଧରେ ବିରୋଧୀ ଏକତା ରାଜନୈତିକ ମତଭେଦ ଅପେକ୍ଷା ଅଧିକ ପ୍ରାଧାନ୍ୟ ପାଇବା ଉଚିତ ବୋଲି କଂଗ୍ରେସ କହିଥିଲା। କିନ୍ତୁ ଡିଏମକେ କଂଗ୍ରେସର ଏହି ପରାମର୍ଶକୁ ଖାରଜ କରିଦେଇଛି।
ଅପରପକ୍ଷେ ତାମିଲନାଡୁରେ କ୍ଷମତା ହାସଲ କରିବାକୁ କଂଗ୍ରେସ ଡିଏମ୍କେ ସହିତ ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛି। ତେବେ ଏନ୍ଡିଟିଭିକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଡିଏମ୍କେ ସାଂସଦ ଗଣପଥି ପି ରାଜକୁମାର କହିଛନ୍ତି, କଂଗ୍ରେସ ଟିଭିକେ ସରକାରରେ ମନ୍ତ୍ରିପଦ ପାଇବାକୁ ଟିଭିକେ ସହିତ ହାତ ମିଳାଇ ଡିଏମ୍କେ ସହିତ ବିଶ୍ବାସଘାତକ କରିଛି। କଂଗ୍ରେସ କିନ୍ତୁ ଇଣ୍ଡି ମେଣ୍ଟ ଦୃଷ୍ଟିକୋଣରୁ ଜାତୀୟ ସ୍ତରର ସ୍ବାର୍ଥକୁ ଦେଖି ପାରିଲା ନାହିଁ। ଏବେ ଏହା ଡିଏମ୍କେକୁ ମନେଇବାକୁ ଭିସିକେକୁ ପ୍ରତିନିଧି କରି ପଠାଇଛି। ମୋତେ ଲାଗୁନାହିଁ ଡିଏମ୍କେ ନେତୃବୃନ୍ଦ ଭିସିକେର ପ୍ରସ୍ତାବକୁ ଗ୍ରହଣ କରିବେ ଓ କେରଳ ଏବଂ ପଶ୍ଚିମବଙ୍ଗ ମଡେଲ ତାମିଲନାଡ଼ୁରେ କାମ କରିବ।
ରାଜକୁମାର ଯୁକ୍ତି ଦେଇଥିଲେ ଯେ, ଟିଭିକେର ତୃତୀୟ ପ୍ରମୁଖ ଶକ୍ତି ଭାବରେ ଉଭା ହେବା ସହିତ ତାମିଲନାଡୁର ରାଜନୀତି ମୌଳିକ ଭାବରେ ପରିବର୍ତ୍ତନ ହୋଇଛି। କେରଳ ପରି ନୁହେଁ, ଯେଉଁଠାରେ ପ୍ରତିଯୋଗିତା ମୁଖ୍ୟତଃ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ଓ ବାମପନ୍ଥୀ ନେତୃତ୍ୱାଧୀନ ଏଲଡିଏଫ୍ ମଧ୍ୟରେ ରହିଥିଲା। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଥିଲା ପରେ ବିଜେପି ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛି।
କଂଗ୍ରେସ ସାଂସଦ ଜ୍ୟୋତିମନିି କହିଛନ୍ତି, ବିଜେପି ବିରୋଧରେ ଲଢ଼ିବାକୁ ହେଲେ ବିରୋଧୀଙ୍କ ମଧ୍ୟରେ ଏକତା ଆବଶ୍ୟକ। ଅନ୍ୟପକ୍ଷରେ ଡିଏମକେ ପ୍ରବକ୍ତା ଟିକେଏସ୍ ଏଲନଗୋଭନ କହିଛନ୍ତି, ଭିସିକେକୁ ପ୍ରଥମେ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବୁଝାଇ ରାଜି କରାନ୍ତୁ, କାରଣ ବିଜୟ ସର୍ବଦା ଡିଏମ୍କେକୁ ତାଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ବୋଲି କହିଆସିଛନ୍ତି।
CM Vijay: ମୁଁ ପୁଲିସ ଉପରେ ବିଶ୍ବାସ କଲି; ସେମାନେ ମୋତେ ଦଳାଚକଟା ପାଇଁ ଦୋଷୀ କଲେ: ବିଜୟ
କଂଗ୍ରେସ ଓ ଭିସିକେ ଏକ ବ୍ୟାପକ ବିଜେପି ବିରୋଧୀ ମୋର୍ଚ୍ଚାକୁ ସମର୍ଥନ କରୁଥିବାବେଳେ ଡିଏମ୍କେ କିନ୍ତୁ କଂଗ୍ରେସ ସେମାନଙ୍କ ସହିତ ରାଜନୈତିକ ବିଶ୍ୱାସଘାତକତା କରିଥିବା କହୁଛି। ଏହି ବିତର୍କ ତାମିଲନାଡୁର ବିରୋଧୀ ଶିବିର ଭିତରେ ଗଭୀର ଫାଟକୁ ପ୍ରକାଶ କରିଛି। ଭବିଷ୍ୟତର ନିର୍ବାଚନୀ ଲଢ଼େଇ ପୂର୍ବରୁ କ୍ରମଶଃ ଜଟିଳ ରାଜ୍ୟସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ସହିତ ଜାତୀୟ ବାଧ୍ୟବାଧକତାକୁ ସନ୍ତୁଳିତ କରିବାରେ ଇଣ୍ଡି ମେଣ୍ଟ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜକୁ ମଧ୍ୟ ସ୍ପଷ୍ଟ କରୁଛି।

3 weeks ago
12


