Surface temperature: ଭୂପୃଷ୍ଠ ତାତି: ବଦଳୁଛି ଭୁବନେଶ୍ବର ସ୍ଥିତି, ୨୦ ବର୍ଷର ସାଟେଲାଇଟ୍‌ ତଥ୍ୟର ବିଶ୍ଲେଷଣ

3 weeks ago 10
ARTICLE AD BOX

ଭୁବନେଶ୍ୱର: ଓଡ଼ିଶାର ଭୂପୃଷ୍ଠ ତାତି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଉଛି। ଦ୍ରୁତ ସହରୀକରଣ ଓ ଜମି ବ୍ୟବହାର ପରିବର୍ତ୍ତନ ଯୋଗୁ ଜଳବାୟୁ ଉପରେ ପଡ଼ୁଥିବା ପ୍ରଭାବର ପ୍ରତିଫଳନ ଦ୍ବାରା ଏଭଳି ସମସ୍ୟା ଦେଖାଦେଉଛି। ଏପରିକି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଏବେ ହଟ୍‌ସ୍ପଟ୍‌ ପାଲଟିଛି। ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଆଇଆଇଟି)ର ଭୁବନେଶ୍ୱରର ୟାର୍ଥ, ଓସେନ୍‌ ଓ କ୍ଲାଇମେଟ୍‌ ସାଇନ୍ସ ସ୍କୁଲର ଗବେଷକଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ରୟାଲ ସୋସାଇଟି ଅଫ୍ କେମେଷ୍ଟ୍ରିର ଜର୍ଣ୍ଣାଲ ‘ଏନଭାର୍ଣ୍ଣମେଣ୍ଟାଲ୍ ସାଇନ୍ସ: ଆଡଭାନ୍ସେସ’ରେ ପ୍ରକାଶ ପାଇଥିବା ଏହି ଅଧ୍ୟୟନରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ କିଭଳି ଗ୍ରୀଷ୍ମ ପ୍ରବାହ ହଟସ୍ପଟ୍ ପାଲଟିଛି ତାହାର ଅନୁଧ୍ୟାନ ପାଇଁ ୨୦ ବର୍ଷର ସାଟେଲାଇଟ୍ ତଥ୍ୟ ବିଶ୍ଳେଷଣ କରାଯାଇଛି। ଦୀକ୍ଷୀକା ମହାପାତ୍ର ଓ ଦେବଦତ୍ତ ସ୍ୱାଇଁଙ୍କ ଦ୍ୱାରା କରାଯାଇଥିବା ଗବେଷଣାର ନିଷ୍କର୍ଷଗୁଡ଼ିକ ଦର୍ଶାଉଛି ଯେ ଦ୍ରୁତ ଗତିରେ ବଢ଼ୁଥିବା ସହରାଞ୍ଚଳ, ଶିଳ୍ପା‌ଞ୍ଚଳ ଯଥା ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ସୁନ୍ଦରଗଡ଼ରେ ତାପମାତ୍ରାରେ ନିୟମିତ ଭାବେ ବୃଦ୍ଧି ଘଟୁଛି। ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାତି ବାର୍ଷିକ ୨%ରୁ ୯% ବୃଦ୍ଧି ପାଉଛି।

Foreign Tour: ତିନି ଦେଶ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ

୨୦ ବର୍ଷର ସାଟେଲାଇଟ୍‌ ତଥ୍ୟର ବିଶ୍ଲେଷଣ
ଆଇଆଇଟି ଭୁବନେଶ୍ୱରର ଗବେଷଣା
ଦ୍ରୁତ ସହରୀକରଣ, ଜମି ଅବକ୍ଷୟ ପ୍ରଭାବ ପଡ଼ୁଛି

ରାଜ୍ୟ ରାଜଧାନୀ ଭୁବନେଶ୍ବର ସହର ଥିବା ଖୋର୍ଦ୍ଧା ଜିଲ୍ଲାର ଜନସଂଖ୍ୟା ଘନତା ସବୁଠାରୁ ଅଧିକ ରହିଛି। ଜିଲ୍ଲାର ପ୍ରତି ବର୍ଗ କଲୋମିଟରରେ ୮୦୦ଜଣ ବସବାସ କରୁଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ଭୁବନେଶ୍ବରରେ ଜନସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ହୋଇଛି। ସହରୀକରଣର ବଡ଼ ପ୍ରଭାବ ଏହି ସମୟ ଉପରେ ପଡ଼ିଛି, ଯାହାକି ଭୂପୃଷ୍ଠ ତାପମାତ୍ରା ବୃଦ୍ଧିର ଅନ୍ୟତମ କାରଣ ପାଲଟିଛି। ଗତ ୭ ବର୍ଷ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲର ଭୂପୃଷ୍ଠ ତାତି ବୃଦ୍ଧି ପାଉଥିବା ଧାରା ଜାରି ରହିଛି। ଯେହେତୁ ସାମଗ୍ରିକ ତାପମାତ୍ରା ବର୍ତ୍ତମାନ ବୃଦ୍ଧି ପାଉଛି, ତେଣୁ ଅଧିକାଂଶ ଅଞ୍ଚଳରେ ଦିନର ତାପମାତ୍ରା ବୃଦ୍ଧି ପାଇବା ସ୍ୱାଭାବିକ। ଯେଉଁ ସବୁ ସ୍ଥାନରେ ଉଦ୍ଭିଦ ଅଞ୍ଚଳ ଓ ପତିତ ଜମି ନଷ୍ଟ ହେଉଛି ସେଠାରେ ତାପମାତ୍ରା ନିୟମିତ ଭାବେ ବୃଦ୍ଧି ପାଉଛି। ସହରର ଉତ୍ତର ଓ ପୂର୍ବ ଦିଗରେ ଥିବା ଚାଷ ଜମି ଉପରେ ବିଶାଳ କୋଠା ନିର୍ମାଣ ହେବା ତାପମାତ୍ରା ବଢ଼ିବାର ଅନ୍ୟତମ କାରଣ ପାଲଟିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

Recruitment: IIT ଧାରୱାଡରେ ସ୍ଥାୟୀ ନିଯୁକ୍ତି ସୁଯୋଗ: ଚାକିରି ପାଇଁ କରିପାରିବେ ଆବେଦନ

ଗବେଷଣାରୁ ଜଣାପଡ଼ିଛି ଯେ ବୃଦ୍ଧି ପାଉଥିବା ତାପମାତ୍ରା ଆଉ କେବଳ ସହରଗୁଡ଼ିକରେ ସୀମିତ ହୋଇ ରହିନାହିଁ। ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି ସମେତ ଅନେକ ଆଭ୍ୟନ୍ତରୀଣ ଓ ପାହାଡ଼ିଆ ଜିଲ୍ଲାରେ ମଧ୍ୟ ତାପମାତ୍ରା ବଢ଼ୁଛି। ପାହାଡ଼ିଆ ଅଞ୍ଚଳରେ ଉଦ୍ଭିଦ ହ୍ରାସ, ଜଙ୍ଗଲ କ୍ଷୟ ଯୋଗୁଁ ନିରନ୍ତର ଉତ୍ତାପ ବଢ଼ୁଛି। ଗବେଷକମାନେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଏଭଳି ତାତି ଦୀର୍ଘ ସମୟ ଧରି ଜାରି ରହିବା ଦ୍ୱାରା ସ୍ୱାସ୍ଥ୍ୟ, ଶକ୍ତି ଚାହିଦା ଓ ପରିବେଶଗତ ସ୍ଥାୟିତ୍ୱ ଉପରେ ଗମ୍ଭୀର ପ୍ରଭାବ ପଡ଼ିପାରେ। ଉପଗ୍ରହ-ଆଧାରିତ ନିରୀକ୍ଷଣ କିପରି ଦୁର୍ବଳ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିପାରିବ ସେନେଇ ଅଧ୍ୟୟନରେ ଦର୍ଶାଯାଇଛି। ଏହି ଆହ୍ୱାନର ମୁକାବିଲା ପାଇଁ ସହରାଞ୍ଚଳରେ ବ୍ୟାପକ ସବୁଜବଳୟ ସୃଷ୍ଟି, ତାତି-ପ୍ରତିରୋଧୀ ଭିତ୍ତିଭୂମି ଗ୍ରହଣ, ହେନ୍ତାଳ ବନ ଓ ନଦୀକୂଳ ଉଦ୍ଭିଦ ପୁନରୁଦ୍ଧାର, ସହରାଞ୍ଚଳ ଯୋଜନା ଏବଂ ପରିବେଶ ପରିଚାଳନାରେ ଉଚ୍ଚ-ରିଜୋଲ୍ୟୁସନ୍ ସାଟେଲାଇଟ୍ ତଥ୍ୟକୁ ଏକୀକୃତ କରିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.