Supreme Court: ଏସ୍‌ସି/ଏସ୍‌ଟି ଆସନରେ ପାଳିକରି ସଂରକ୍ଷଣ ଦେବା ଦାବି ଖାରଜ, ଆବେଦନକାରୀଙ୍କୁ ସୁପ୍ରିମ୍‌କୋର୍ଟ କହିଲେ ‘ଭୁଲ୍‌ ନମ୍ବର ଡାଏଲ୍‌ କରୁଛନ୍ତି’

12 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଲୋକସଭା ଓ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କ ପାଇଁ ସଂରକ୍ଷିତ ନିର୍ବାଚନମଣ୍ଡଳୀଗୁଡ଼ିକରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପରିବର୍ତ୍ତନ ବା ପାଳିକରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଦାବିକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଏହା ସଂସଦର ବିଚାର କ୍ଷେତ୍ର ବୋଲି କହିବା ସହ ଏଥିପାଇଁ ନ୍ୟାୟପାଳିକା ନିର୍ଦ୍ଦେଶ ଦେଇପାରିବ ନାହିଁ ବୋଲି ବୁଧବାର କହିଛନ୍ତି। ଆବେଦନକାରୀଙ୍କୁ ଉଦ୍ଦେଶ୍ୟ କରି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଥିଲେ, ଆପଣ ଭୁଲ୍‌ ନମ୍ବର ଡାଏଲ୍‌ କରୁଛନ୍ତି। ଏହି ଦାବି ନେଇ ସଂସଦ ଓ ନିର୍ବାଚିତ ପ୍ରତିନିଧିଙ୍କ ପାଖକୁ ଯିବା ଉଚିତ।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆହ୍ଲାବାଦ ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ। ୨୦୦୨ର ପରିସୀମା ନିର୍ଦ୍ଧାରଣ ଆଇନର ଧାରା ୯(୧)(ଗ)ର ବୈଧତାକୁ ଚ୍ୟାଲେଞ୍ଜ କରି ଏହି ମାମଲା ଦାଏର ହୋଇଥିଲା। ଏହି ଧାରା ଅନୁସାରେ ଏସ୍‌ସି ଓ ଏସ୍‌ଟି ଜନସଂଖ୍ୟାର ଅନୁପାତ ଅଧିକ ଥିବା ଅଞ୍ଚଳରେ ସଂରକ୍ଷିତ ଆସନ ଚିହ୍ନଟ କରାଯାଏ। କିନ୍ତୁ ଏଥିରେ ନିର୍ଦ୍ଦିଷ୍ଟ ସମୟ ପରେ ଆସନ ପରିବର୍ତ୍ତନ କରିବାର ବ୍ୟବସ୍ଥା ନାହିଁ।

ସମ୍ବିଧାନର ଉଲ୍ଲଂଘନ 
ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲା ଅନ୍ତର୍ଗତ ୧୯୧-କାଦିପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ଜଗଦୀଶ ସିଂହ ଏହି ଆବେଦନ କରିଥିଲେ। ତାଙ୍କ ଯୁକ୍ତି ଥିଲା, ଏହି ଆସନ ପ୍ରାୟ ସାତ ଦଶନ୍ଧି ଧରି ଏସ୍‌ସିଙ୍କ ପାଇଁ ସଂରକ୍ଷିତ ରହିଛି। ଏପରି ବ୍ୟବସ୍ଥା ସମ୍ବିଧାନର ଧାରା ୧୪, ୧୫ ଓ ୧୯ରେ ଥିବା ସମାନତା ଓ ଅନ୍ୟାନ୍ୟ ମୌଳିକ ଅଧିକାରର ଉଲ୍ଲଂଘନ କରୁଛି। ପଞ୍ଚାୟତ ଓ ପୌରସଂସ୍ଥାରେ ଥିବା ଧାରା ୨୪୩ଡି ଓ ୨୪୩ଟି ଅନୁସାରେ ଏଠାରେ ମଧ୍ୟ ପାଳିକରି ସଂରକ୍ଷଣ ଲାଗୁ କରିବାକୁ ସେ ଦାବି କରିଥିଲେ।

Judgement: ଲାଞ୍ଚ ମାମଲାରେ ପୂର୍ବତନ ଜିଆର୍‌ଏସ୍‌ଙ୍କୁ ୩ ବର୍ଷ ଜେଲ୍‌

ଶୁଣାଣି ସମୟରେ ବିଚାରପତି ବାଗଚୀ କହିଥିଲେ, ବହୁଦଳୀୟ ଗଣତନ୍ତ୍ରରେ ଭୋଟରମାନେ ଜାତି ବା ଧର୍ମ ଆଧାରରେ ନୁହେଁ, ବରଂ ରାଜନୈତିକ ଦଳର ବିଚାରଧାରା ଆଧାରରେ ଭୋଟ୍‌ ଦେବା ଆଶା କରାଯାଏ। ଏକ ନିର୍ବାଚନମଣ୍ଡଳୀରେ ଏସ୍‌ସି ଜନସଂଖ୍ୟା ଅଧିକ ଥିଲେ ଅନ୍ୟ ସମୁଦାୟର ଭୋଟର ନିଶ୍ଚିତ ଭାବେ ଜାତି ଆଧାରରେ ଭୋଟ୍‌ ଦେବେ ବୋଲି ଧରିନେବା ଠିକ୍‌ ନୁହେଁ। କେଉଁ ଆସନରେ କିପରି ସଂରକ୍ଷଣ ରହିବ, ତାହା ଆଇନ ପ୍ରଣୟନକାରୀଙ୍କ ନିଷ୍ପତ୍ତିର ବିଷୟ ବୋଲି ସେ କହିଥିଲେ। ଖଣ୍ଡପୀଠ ରାୟରେ କହିଥିଲେ, ଆବେଦନକାରୀ ସାଂସଦ ଓ ଅନ୍ୟ ଜନପ୍ରତିନିଧିଙ୍କ ନିକଟରେ ଦାବି ଉପସ୍ଥାପନ କରି ଏଥିପାଇଁ ସହମତି ସୃଷ୍ଟି କରିପାରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.