ARTICLE AD BOX
ନୂଆଦିଲ୍ଲୀ: ହୋମୱାର୍କ... ଏହି ଗୋଟିଏ ଶବ୍ଦ ଶୁଣିଲେ ଅନେକ ପିଲାଙ୍କ ମୁହଁ ଶୁଖିଯାଏ। କିଏ ବାହାନା କରେ, କିଏ ଲୁଚିଯାଏ, ଆଉ କିଏ ମୋବାଇଲରେ ବ୍ୟସ୍ତ ହୋଇଯାଏ। ହେଲେ ଚୀନ୍ର ପିଲାମାନେ ହୋମୱାର୍କରୁ ବଞ୍ଚିବାକୁ ବାହାର କରିଛନ୍ତି ଏକ ନିଆରା ଉପାୟ। ସେମାନେ ହୋମୱାର୍କ କରୁନାହାନ୍ତି, ବରଂ ତାକୁ ଚୋବାଇ ଚୋବାଇ ଖାଉଛନ୍ତି! ଆଜ୍ଞା ହଁ... କପି ଭଳି ଦେଖାଯାଉଥିବା ଏହି ହୋମୱାର୍କ ବାସ୍ତବରେ ଏକ ଖାଦ୍ୟ। ଯାହାକୁ ଦେଖି ଅଭିଭାବକ ଆଶ୍ଚର୍ଯ୍ୟ, ଆଉ ସୋସିଆଲ ମିଡିଆ ବି ଚକିତ।
"ମାଆ... ଆଜି ହୋମୱାର୍କ ସାରିଦେଲି..."
ଏକଥା ଶୁଣି ମାଆ ଖୁସି ହେବା ପୂର୍ବରୁ ଜାଣିପାରୁଛନ୍ତି, ପିଲାଟି ହୋମୱାର୍କ ଲେଖିନି, ଖାଇଦେଇଛି! ଚୀନ୍ରେ ଏବେ ବଜାରକୁ ଆସିଛି ‘ଏଡିବଲ୍ ହୋମୱାର୍କ’। ଏହା ଦେଖିବାକୁ ଠିକ୍ ସ୍କୁଲ୍ ୱର୍କବୁକ୍ ଭଳି। କଭର ପେଜ୍, ଲାଇନ୍, ପୃଷ୍ଠା... ସବୁକିଛି ଅସଲି ବହି ଭଳି। ହେଲେ ଏହାକୁ ପଢ଼ିବା ପାଇଁ ନୁହେଁ, ଖାଇବା ପାଇଁ ତିଆରି କରାଯାଇଛି। ଚାଉଳ କାଗଜରେ ତିଆରି ଏହି ଛୋଟ ବହିଗୁଡ଼ିକ ପିଲାମାନଙ୍କ ମଧ୍ୟରେ ଏବେ ଭାରି ଲୋକପ୍ରିୟ। ସ୍କୁଲ୍ ବ୍ୟାଗ୍ରେ ବହି ସହ ଏହା ମଧ୍ୟ ରହୁଛି। ଦୂରରୁ ଦେଖିଲେ ଲାଗିବ ପିଲାଟି ପାଠ ପଢ଼ୁଛି, କିନ୍ତୁ ପାଖକୁ ଗଲେ ଜଣାପଡ଼ିବ ସେ ବହିର ପୃଷ୍ଠା ଛିଣ୍ଡାଇ ଖାଉଛି। ଏହି ଅନନ୍ୟ ଆଇଡିଆ ଏବେ ଚୀନ୍ର ଅନଲାଇନ୍ ମାର୍କେଟରେ ଧୂମ୍ ମଚାଇଛି। କିନ୍ତୁ ଏହା କେବଳ ଖାଦ୍ୟ ନୁହେଁ, ଏହା ପଛରେ ରହିଛି ଏକ ବଡ଼ ବାର୍ତ୍ତା।
ପଢ଼ା ଓ ପରୀକ୍ଷାର ଚାପ ଏବେ ପିଲାମାନଙ୍କ ପାଇଁ ଏକ ବଡ଼ ସମସ୍ୟା। ଅନେକ ପିଲା ହୋମୱାର୍କକୁ ନେଇ ମାନସିକ ଚାପ ଅନୁଭବ କରୁଛନ୍ତି। ସେଥିପାଇଁ ‘ହୋମୱାର୍କ ଖାଇଦେବା’ ଏକ ପ୍ରତୀକ ହୋଇପଡ଼ିଛି। ଅର୍ଥାତ୍ ଯେଉଁ ଜିନିଷ ଚାପ ଦେଉଛି, ତାକୁ ମଜାରେ ଖାଇଦେବା। ସୋସିଆଲ ମିଡିଆରେ ଏହି ଟ୍ରେଣ୍ଡର ଭିଡିଓ ଲକ୍ଷ ଲକ୍ଷ ଭ୍ୟୁ ପାଉଛି। କିଏ କିଏ କହୁଛନ୍ତି ଏହା ପିଲାଙ୍କ ପାଇଁ ମଜାଦାର ଆଇଡିଆ। ଆଉ କେହି କହୁଛନ୍ତି, ଏହା ପଛରେ ଲୁଚି ରହିଛି ପଢ଼ାର ବଢ଼ୁଥିବା ଚାପର କାହାଣୀ। ଯାହା ଆଜିର ଶିକ୍ଷା ବ୍ୟବସ୍ଥାକୁ ନେଇ ନୂଆ ପ୍ରଶ୍ନ ଉଠାଇଛି। ସାଧାରଣତଃ ହୋମୱାର୍କ ନ କଲେ ଶିକ୍ଷକ ରାଗନ୍ତି। ହେଲେ ଚୀନ୍ରେ ଏବେ ହୋମୱାର୍କ ଖାଇଦେଲେ ମଧ୍ୟ କେହି କିଛି କହୁନାହାନ୍ତି। କାରଣ ଏହା ଅସଲି ହୋମୱାର୍କ ନୁହେଁ, ଏକ ସ୍ନାକ୍ସ। ତଥାପି ଏହି ଭାଇରାଲ୍ ଟ୍ରେଣ୍ଡ ଗୋଟିଏ କଥା ସ୍ପଷ୍ଟ କରିଦେଇଛି... ପିଲାମାନଙ୍କ ପାଇଁ ହୋମୱାର୍କ ଏବେ ବି ସବୁଠୁ ବଡ଼ "ଟେନସନ୍"। ଆଉ ସେଥିପାଇଁ ବୋଧହୁଏ ସେମାନେ କହୁଛନ୍ତି "କରିବୁ କାହିଁକି... ଖାଇଦେବୁ!"

18 hours ago
2


