ARTICLE AD BOX
ନୂଆଦିଲ୍ଲୀ: ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଯୋଗୁଁ କ୍ଷମତାଚ୍ୟୁତ ହୋଇ ଭାରତରେ ଆଶ୍ରୟ ନେବାର ଦୁଇବର୍ଷ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ବୁଧବାର ପ୍ରଥମ ସାର୍ବଜନୀନ ଆଭାସୀ (ଭର୍ଚୁଆଲ୍) ମଞ୍ଚକୁ ଆସି ଏକ ଭାବପୂର୍ଣ୍ଣ ଅଡିଓ ବକ୍ତବ୍ୟ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରୁ ଦେଇଥିବା ଏହି ସମ୍ବୋଧନରେ ସେ କହିଛନ୍ତି ଯେ ୨୦୨୪ ଜୁଲାଇ-ଅଗଷ୍ଟ ମାସରେ ତାଙ୍କ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ହୋଇଥିବା ଜନଆନ୍ଦୋଳନ କୌଣସି ସ୍ୱାଭାବିକ ଛାତ୍ର ପ୍ରତିବାଦ ନଥିଲା। ଏହା ଗଣତାନ୍ତ୍ରିକ ପ୍ରକ୍ରିୟା ବାହାରେ ତାଙ୍କ ସରକାରକୁ ହଟାଇ ନୂତନ ଶାସନ ପ୍ରତିଷ୍ଠା ପାଇଁ ଏକ ଯୋଜନାବଦ୍ଧ ବୈଦେଶିକ ଅପରେସନ୍ ଥିଲା।
Blunt Black Perfume: ବ୍ଲଣ୍ଟ୍ ବ୍ଲାକ୍ ପରଫ୍ୟୁମ୍ ଉନ୍ମୋଚିତ
ନୂଆଦିଲ୍ଲୀରୁ ପ୍ରଥମ ଆଭାସୀ ସମ୍ବୋଧନ
ଡିସେମ୍ବରରେ ସ୍ୱଦେଶ ଫେରିବେ
ଢାକା ପ୍ରଶାସନର ତୀବ୍ର ଆପତ୍ତି ସତ୍ତ୍ୱେ ହସିନାଙ୍କ ଏହି କାର୍ଯ୍ୟକ୍ରମ ଏକ ବେସରକାରୀ ସଂସ୍ଥା ଦ୍ୱାରା ଆୟୋଜିତ ହୋଇଥିଲା, ଯେଉଁଥିରେ ଭାରତ ସରକାରଙ୍କ କୌଣସି ସମ୍ପୃକ୍ତି ନଥିବା ସ୍ପଷ୍ଟ କରାଯାଇଛି। ଶେଖ୍ ହସିନା ନିଜ ବକ୍ତବ୍ୟ ପ୍ରାରମ୍ଭରେ ବାଂଲାଦେଶର ପ୍ରତିଷ୍ଠାତା ତଥା ତାଙ୍କ ପିତା ଶେଖ୍ ମୁଜିବୁର ରହମାନ, ୧୯୭୧ ମସିହା ମୁକ୍ତିଯୁଦ୍ଧର ସହିଦ ଏବଂ ୧୯୭୫ ଅଗଷ୍ଟ ସାମରିକ ବିଦ୍ରୋହରେ ପ୍ରାଣ ହରାଇଥିବା ତାଙ୍କ ପରିବାର ସଦସ୍ୟମାନଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶର ସାମ୍ପ୍ରତିକ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି ପ୍ରକାଶ କରି ସେ କହିଥିଲେ, ସଂରକ୍ଷଣ ନୀତିରେ ସଂସ୍କାର ବାହାନାରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ବହୁ ପୂର୍ବରୁ ଷଡ଼ଯନ୍ତ୍ର ମାଧ୍ୟମରେ ରୂପ ଦିଆଯାଇଥିଲା। ନୋବେଲ୍ ବିଜେତା ମହମ୍ମଦ ୟୁନୁସ ନିଜେ ଏହି ଭୟାନକ ଚକ୍ରାନ୍ତ ପଛର ସତ୍ୟ ସାର୍ବଜନୀନ କରିଛନ୍ତି। କୋଟା ଆନ୍ଦୋଳନକୁ ଜାଣିଶୁଣି ଏକ ସୂତ୍ରୀ ଦାବିରେ ପରିଣତ କରାଯାଇ ସଂଗଠିତ ଗୋଷ୍ଠୀଗୁଡ଼ିକ ଦ୍ୱାରା କ୍ଷମତା ଦଖଲ ପାଇଁ ବ୍ୟାପକ ହିଂସା କରାଯାଇଥିଲା।
ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରୁଥିବା ଲୋକଙ୍କୁ ପ୍ରଶ୍ନ କରି ହସିନା କହିଛନ୍ତି, ଆନ୍ଦୋଳନକାରୀଙ୍କ ଦ୍ୱାରା ୪୫୦ରୁ ଅଧିକ ପୁଲିସ ଥାନା ଏବଂ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ପୋଡ଼ି ଦିଆଯିବା ସହ ଅନେକ ପୁଲିସ କର୍ମଚାରୀଙ୍କୁ ହତ୍ୟା କରାଗଲା। ଶୃଙ୍ଖଳା ରକ୍ଷା କରିବା କ’ଣ ପ୍ରଶାସନର ଦାୟିତ୍ୱ ନଥିଲା? ବର୍ତ୍ତମାନର ମଧ୍ୟବର୍ତ୍ତୀକାଳୀନ ସରକାରକୁ ସମ୍ପୂର୍ଣ୍ଣ ବେଆଇନ ବୋଲି ଅଭିହିତ କରି ହସିନା ଏହି ସରକାର ଅପରାଧୀମାନଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରୁଥିବା କହିଥିଲେ। ୨୦୨୪ ଅଗଷ୍ଟ ୫ ତାରିଖରୁ ଭାରତରେ ନିର୍ବାସିତ ଜୀବନ ବିତାଉଥିବା ଏହି ବରିଷ୍ଠ ନେତ୍ରୀ ନିଜ ବିରୋଧରେ ଆସିଥିବା ସମସ୍ତ ଆପରାଧିକ ମାମଲାକୁ ପ୍ରତ୍ୟାଖ୍ୟାନ କରିବା ସହ ଆସନ୍ତା ଡିସେମ୍ବର ମାସରେ ବାଂଲାଦେଶ ଫେରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

1 hour ago
2


