ARTICLE AD BOX
ନୂଆଦିଲ୍ଲୀ: ଦୀର୍ଘ ୨୬ ଦିନର ଅନଶନ ପରେ ଶେଷରେ ଅନଶନ ଭାଙ୍ଗିଛନ୍ତି ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଶ୍ୱାସନ ମିଳିବା ପରେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ସେ ଅନଶନ ଭଙ୍ଗ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜେ. ପି. ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ସେ ପାନୀୟ ଗ୍ରହଣ କରି ଉପବାସ ଭାଙ୍ଗିଛନ୍ତି । ଏହି ସମୟରେ ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ମଧ୍ୟ ଉପସ୍ଥିତ ରହିଥିଲେ ।
Sonam Wangchuk: ଆନ୍ଦୋଳନକାରୀଙ୍କ ବିରୋଧରେ ହେବନି ପୁଲିସ ମାମଲା
ଅନଶନ ଭାଙ୍ଗିବା ପରେ ସୋନମ ୱାଙ୍ଗଚୁକ କହିଛନ୍ତି ଯେ, ଦେଶରେ ସମ୍ଭାବ୍ୟ ହିଂସାକୁ ଏଡ଼ାଇବା ଏବଂ ସରକାରଙ୍କ ସହ ଦୀର୍ଘ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । କେଉଁ ସର୍ତ୍ତରେ ସେ ଅନଶନ ଭାଙ୍ଗିଛନ୍ତି, ସେନେଇ ଖୁବଶୀଘ୍ର ବିସ୍ତୃତ ଭିଡିଓ ଜାରି କରିବେ ବୋଲି ମଧ୍ୟ କହିଛନ୍ତି। ସେ ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବାକୁ ଓ କୌଣସି ପ୍ରକାର ହିଂସାକୁ ପ୍ରୋତ୍ସାହନ ନଦେବାକୁ ଆହ୍ୱାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜେ. ପି. ନଡ୍ଡା କହିଛନ୍ତି ଯେ, ଜନ୍ତର-ମନ୍ତରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ପ୍ରଦର୍ଶନକାରୀଙ୍କ ବିରୋଧରେ ମାମଲା ରୁଜୁ ନକରିବାକୁ ସରକାର ସକାରାତ୍ମକ ଭାବେ ବିଚାର କରୁଛନ୍ତି । ପେପର ଲିକ୍ ରୋକିବା, ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଏବଂ ପୀଡ଼ିତ ପରିବାରଙ୍କ ପାଇଁ କ୍ଷତିପୂରଣ ପ୍ରସଙ୍ଗରେ ମଧ୍ୟ ସରକାର ପଦକ୍ଷେପ ନେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୱାଙ୍ଗଚୁକଙ୍କ ସୁସ୍ଥତା କାମନା କରିଛନ୍ତି । ଜୁନ୍ ୨୮ରୁ ଆରମ୍ଭ ହୋଇଥିବା ଏହି ଅନଶନ ସମୟରେ ସୋନମ ୱାଙ୍ଗଚୁକ ପ୍ରାୟ ୧୧ କିଲୋଗ୍ରାମ ଓଜନ ହରାଇଥିଲେ । ତାଙ୍କ ଏହି ଆନ୍ଦୋଳନ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପେପର ଲିକ୍ ମାମଲାରେ ଜବାବଦେହିତା ଦାବିକୁ ନେଇ କେନ୍ଦ୍ରିତ ଥିଲା।
ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର
୨୬ ଦିନର ଅନଶନ ପରେ ସୋନମ ୱାଙ୍ଗଚୁକଙ୍କ ଏହି ନିଷ୍ପତ୍ତି ଏବେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ପେପର ଲିକ୍ ପ୍ରସଙ୍ଗରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । ଏପଟେ ଦିଲ୍ଲୀର ଜନ୍ତମନ୍ତରରେ ସିଜେପି ନିଜ ଆନ୍ଦୋଳନ ଜାରି ରଖିଛି। ସିଜେପରିର ପ୍ରତିଷ୍ଠତା ଅଭିଜିତ୍ ଦୀପକେ ନିଜ ଦାବିରେ ଅଟଳ ରହିଛନ୍ତି। ସେ କହିଛନ୍ତି ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେଇଛନ୍ତି ଏବଂ ପରୀକ୍ଷା ପ୍ରଣାଳୀରେ କୌଣସି ସ୍ଥାୟୀ ସମାଧାନ ନଆସିଛି ସେ ପର୍ଯ୍ୟନ୍ତ ସେ ଏହି ଆନ୍ଦୋଳନ ଜାରି ରଖିବେ। ତେବେ ଦୀର୍ଘ ୨୬ ଦିନ ପରେ ସୋନମ ଓ୍ବାଙ୍ଗଚୁକ ଅନଶନ ଭାଙ୍ଗିଥିବା ବେଳେ ସିଜେପି କେତେ ଦିନ ଧରି ଆନ୍ଦୋଳନ ଜାରି ରଖିବ ତାହା ଦେଖିବାକୁ ବାକି ରହିଲା।

1 week ago
5


