Social media: ସୋସିଆଲ୍‌ ମିଡିଆ ସିନେମାକୁ ପ୍ରଭାବିତ କରୁଛି: ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ

4 weeks ago 11
ARTICLE AD BOX

ପିଲାଦିନେ ଥିଲେ ନାଟକ ପାଇଁ ପାଗଳ। କଟକ ସହରର ପେସାଦାର ରଙ୍ଗମଞ୍ଚ ସହ ଯୋଡ଼ି ହୋଇଗଲେ। ପରେ ଓଡ଼ିଆ ସିନେମାରେ ପାଦ ଦେଇ ପାଲଟିଗଲେ ଜଣେ କିଂବଦନ୍ତି ଅଭିନେତା। ପାର୍ଶ୍ବ ଅଭିନେତା ହେଉ ହେଉ ପାଲଟିଗଲେ ରୁପେଲି ପରଦାର ଚର୍ଚ୍ଚିତ ହାସ୍ୟ ଅଭିନେତା। ଓଡ଼ିଶାର ଘରେ ଘରେ ପରିଚିତ ଏହି କଳାକାରଜଣଙ୍କ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ। ନିଜ ଅଭିନୟର ଯାଦୁରେ ଓଡ଼ିଆ ସିନେମାକୁ ଏକ ଉଚ୍ଚତାକୁ ନେଇଥିବା ଶ୍ୟାମଳେନ୍ଦୁ ଏବେ ପରିଣତ ବୟସରେ ବି ସେହି ଆଗଭଳି ହସଖୋର୍ ଓ ଚଞ୍ଚଳ। ନିକଟରେ ୨୦୨୩ ପାଇଁ ଓଡ଼ିଆ ସିନେମାର ସର୍ବୋଚ୍ଚ ସମ୍ମାନ ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର ପ୍ରଦାନ କରାଯାଇଥିବା ଅବସରରେ ତାଙ୍କୁ ଭେଟିଥିଲେ ଭାରତ ମାଝୀ

ଓଡ଼ିଆ ସିନେମାର ସର୍ବୋଚ୍ଚ ସମ୍ମାନ ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର ପାଇଁ ଆପଣଙ୍କୁ ଅଭିନନ୍ଦନ। ତେବେ ଆପଣଙ୍କୁ ଡେରିରେ ଏହି ସମ୍ମାନ ଦିଆଗଲା କି? କେତେବେଳେ ଏମିତି କଥା ମନକୁ ଆସିଛି?
ନା, ନା। ସେଭଳି କିଛି ବି ମନକୁ ଆସିନାହିଁ। ଜଣେ କଳାକାର ଭାବେ ମୋର ଯାହାକିଛି କରିବା କଥା, କରିଛି। ଅଭିନୟ ପାଇଁ ଓଡ଼ିଶାର ଲୋକ ମୋତେ ଭଲପାଇଛନ୍ତି, ଆପଣେଇଛନ୍ତି। ସେତକ ବଡ଼କଥା। ଏହି ପୁରସ୍କାର ମିଳିବା ପରେ ମୋତେ ଖୁସି ଲାଗିଥିଲା। ଭଲ ଲାଗିଥିଲା। ପୁରସ୍କାର, ସମ୍ମାନ ମିଳିବା ନମିଳିବା ନେଇ କ୍ଷୋଭ ନାହିଁ, ଜଣେ କଳାକାର ଭାବେ ଯାହା ଭଲ, ତାହା କରିଯାଇଛି।

କଳାକୁ ଆଦରି ଓଡ଼ିଶାରେ ଜଣେ ବଞ୍ଚିବା ସମ୍ଭବ କି?
ଏ ପର୍ଯ୍ୟନ୍ତ ତାହା ସମ୍ଭବ ହୋଇପାରି ନାହିଁ। ମୁଁ ଚଳଚ୍ଚିତ୍ରରେ ଅଭିନୟ କରୁଥିଲେ ବି ଭାରତ ସରକାରଙ୍କ ସଙ୍ଗ୍‌ ଆଣ୍ଡ୍‌ ଡ୍ରାମା ଡିଭିଜନ୍‌ରେ ଚାକିରି ଖଣ୍ଡେ କରୁଥିଲି। ସେହି ଚାକିରି ପାଇଁ ମୋର ସେଭଳି ଶିକ୍ଷାଗତ ଯୋଗ୍ୟତା ନ ଥିଲା। ସେମାନେ ସେଠାକାର ଅଭିନୟ ବିଭାଗ ପାଇଁ କଳାକାର ଆବଶ୍ୟକ କରୁଥିଲେ। ଏହା ଶୁଣି ମୁଁ ସେଠାକୁ ସାକ୍ଷାତ୍‌କାର ଦେବାକୁ ଗଲି। କମିଟିରେ ‘ଅମଡ଼ାବାଟ’ ଫିଲ୍ମର ନିର୍ଦ୍ଦେଶକ ଅମର ଗାଙ୍ଗୁଲି ବି ଥିଲେ। ତା’ ପୂର୍ବରୁ ତ ମୁଁ ଅନେକ ନାଟକ ଓ ଛବିରେ ଅଭିନୟ କରିସାରିଥିଲି। ଏଥିରେ ଖୁସି ହୋଇ ସେ ମୋତେ ମନୋନୀତ କଲେ। ଏମିତିରେ ଚାକିରି ଖଣ୍ଡେ ହୋଇଯାଇଥିଲା।

Donald Trump: ଭାରତର ଆର୍ଥିକ ବିକାଶକୁ ପ୍ରଶଂସା କଲେ ଟ୍ରମ୍ପ

ଆପଣ ଅନେକ ସିନେମାରେ ଅଭିନୟ କରିଛନ୍ତି, ତା ପରବର୍ତ୍ତୀ ଫିଲ୍ମ ମଧ୍ୟ ନିଶ୍ଚୟ ଦେଖିଥିବେ, ଦେଖୁଥିବେ। ଆପଣଙ୍କ ସମୟର ଆଉ ଏବେକାର ସିନେମା ଭିତରେ କ’ଣ ତଫାତ୍‌ ଦେଖୁଛନ୍ତି?
ସମୟ ଅନୁସାରେ ତଫାତ୍‌ ତ ରହିବ। ଏବେ ଟେକ୍ନୋଲୋଜି ବହୁତ ଆଗକୁ ଯାଇଛି। ସେ ହିସାବରେ ସିନେମା ବି ଆଗକୁ ଯାଉଛି। ଟେକ୍ନୋଲୋଜି ଦୃଷ୍ଟିରୁ ଦେଖିଲେ ସିନେମା ଉନ୍ନତ ହେଉଛି। ହେଲେ ବେଳେ ବେଳେ ଆମ ସିନେମାର କାହାଣୀ ଖେଚୁଡ଼ି ହୋଇଯାଉଛି। ଆଉ ଗୋଟେ କଥା, ଏଇଟା ତ ସୋସିଆଲ୍‌ ମିଡିଆର ଯୁଗ। ତା’ପାଇଁ ବି ଲୋକେ ସିନେମା ପ୍ରତି ଏତେଟା ସମୟ ଦେଇପାରୁ ନାହାନ୍ତି।

ଓଡ଼ିଆ ସିନେମାର ହାସ୍ୟ କଳାକାରଙ୍କ କଥା ପଡ଼ିଲେ ଆପଣଙ୍କ ନାଁ ଆସିବ ହିଁ ଆସିବ। ଏ କ୍ଷେତ୍ରରେ ଆପଣ ଜଣେ କିମ୍ବଦନ୍ତି କଳାକାର। ବର୍ତ୍ତମାନ ସିନେମାର ହାସ୍ୟରସ କଥା ପଡ଼ିଲେ କ’ଣ କହିବେ?
ବର୍ତ୍ତମାନର ସିନେମାରେ ହାସ୍ୟରସ ରହୁଛି, ଭଲ କଳାକାର ବି ଅଛନ୍ତି, ହେଲେ ଅନେକ ସମୟରେ ଏବର କମେଡି ଠିକ୍‌ ହେଉନି। ତେବେ ଏନେଇ ମୁଁ ନିରାଶ ନୁହେଁ। ମୁଁ ମୋ ଅନୁଭୂତିରୁ କହିବି, ଆଗରୁ ନିର୍ଦ୍ଦେଶକମାନେ ସିନେମାର ଉପଯୁକ୍ତ ସମୟ ଓ ପରିସ୍ଥିତି ଦେଖି କମେଡି ରଖୁଥିଲେ। ଆମ ଭଳି କଳାକାରଙ୍କ ଦ୍ବାରା କମେଡି କରାଉଥିଲେ। ବେଳେ ବେଳେ ସେମାନେ ସିନେମାର ସେହି ପରିସ୍ଥିତିରେ କ’ଣ କରାଯାଇପାରେ ବା କିଭଳି ଦୃଶ୍ୟ ରହିଲେ ଭଲ ହେବ, ସେ ସମ୍ପର୍କରେ ପଚାରୁ ବି ଥିଲେ।

ଆପଣ ରଙ୍ଗମଞ୍ଚରୁ ରୁପେଲି ପରଦାକୁ ଆସିଥିଲେ। କଳାକାର ଭାବେ ଆପଣ ଅନେକ ନାଟକ କରିଛନ୍ତି, ନିର୍ଦ୍ଦେଶନା ବି ଦେଇଛନ୍ତି। ନାଟକ ଜୀବନର କିଛି ଅନୁଭୂତି କହନ୍ତୁ। ମଞ୍ଚରୁ ଫିଲ୍ମକୁ ଆସିବାର କାହାଣୀ ବି କହନ୍ତୁ?
କହିବାକୁ ଗଲେ, ନାଟକ ହେଉଛି ମୋର ଜୀବନ। କଟକରେ ମୋର ଜନ୍ମ। ସେ ଗୋଟେ ଅଲଗା ସମୟ ଥିଲା। ସେତେବେଳେ ବର୍ଷକ ବାରମାସ ଭଳିଆ ସହରରେ ସବୁଦିନ କୋଉଠି ନା କୋଉଠି ନାଟକ ହେଉଥିଲା। ମୁଁ ଛୋଟବେଳୁ ଘରୁ ଲୁଚି ବାହାରି ଯାଉଥିଲି ନାଟକ ଦେଖିବାକୁ। ଏମିତି କହିବାକୁ ଗଲେ ମୁଁ ଅଭିନୟ ପାଠ ପଢ଼ି ନାହିଁ। ଏଇ ନାଟକ ଦେଖି ଦେଖି ହିଁ ମୁଁ ତା ପ୍ରତି ଆକୃଷ୍ଟ ହେଲି। ଦେଖି ଦେଖି ହିଁ ଅନ୍ୟମାନଙ୍କ ଠାରୁ ଅଭିନୟ ଶିଖିବାର ଚେଷ୍ଟାକଲି। ନାଟକ ପ୍ରତି ପ୍ରବଳ ଝୁଙ୍କ ଥିବାରୁ ନାଟକରେ ଅଭିନୟ ଆରମ୍ଭ କଲି। ଅଭିନୟରୁ ପଇସାପତ୍ର କିଛି ମିଳୁନଥିଲା, ହେଲେ ଆଗ୍ରହ ଥିଲା। ମହାନ ଅଭିନେତା ଅକ୍ଷୟ ମହାନ୍ତି (କାଶ୍ୟପ)ଙ୍କ ସହଯୋଗରେ ମୁଁ ଅନ୍ନପୂର୍ଣ୍ଣା-ବି ଗ୍ରୁପ୍‌ରେ ସାମିଲ ହୋଇଗଲି। ନିୟମିତ କଳାକାର ଭାବେ ସେଠାରେ ମୋତେ କିଛି କିଛି ପାରିଶ୍ରମିକ ମିଳିଲା। ତା’ପରେ ଫିଲ୍ମ ଲାଇନ୍‌ରେ ପଶିଲି। ବାବୁଲାଲ୍‌ ଦୋଶୀ ‘ଅଭିନେତ୍ରୀ’ ଫିଲ୍ମ ନିର୍ମାଣ କରୁଥିଲେ, ନିର୍ଦ୍ଦେଶକ ଥିଲେ ଅମିତ ମୈତ୍ର। ଗୋପାଳ ଘୋଷଙ୍କ ଘରେ ଅଡିସନ୍‌ ଚାଲୁଥିବା ଶୁଣି ତାଙ୍କ ଘରେ ପହଞ୍ଚିଲି। ମୋତେ ସେଇଠି ପ୍ରଥମ ସୁଯୋଗ ମିଳିଲା।  ତା’ପରେ ‘ଅନୁତାପ’ ଫିଲ୍ମ ଆସିଲା। ତେବେ ‘ଯାଯାବର’ ଫିଲ୍ମରେ ଯାଇ ହାସ୍ୟ ଅଭିନେତା ଭାବେ ମୋତେ ସମସ୍ତେ ଜାଣିଲେ।

ଅଭିନୀତ ଚଳଚ୍ଚିତ୍ର 
ଅଭିନେତ୍ରୀ, ସ୍ତ୍ରୀ, କିଏ କାହାର, ସଂସାର, ଧରିତ୍ରୀ, ମନ ଆକାଶ, ଯାଯାବର, ସିନ୍ଦୂରବିନ୍ଦୁ, ସୁନାସଂସାର, ଅନୁତାପ, ଅଭିମାନ, ନାଗଫାଶ, ତଅପୋଇ, ଝିଲିମିଲି, ଶ୍ରୀଜଗନ୍ନାଥ, ଅନୁରାଧା, ମା’ ଓ ମମତା, ମାନସୀ, ଜ୍ବାଇଁପୁଅ, କାବେରୀ, ସ୍ବପ୍ନସାଗର, ଅକ୍ଷିତୃତୀୟା, ନଳଦମୟନ୍ତୀ, ଦାନବୀର ହରିଶ୍ଚନ୍ଦ୍ର, ବାଟ ଅବାଟ, ସ୍ତ୍ରୀ, ଲାଲ୍‌ ପାନ ବିବି, ରାମ ରହିମ୍, ସତ କେବେ ଲୁଚି ରହେନା, ଜୋର୍‌ ଯା’ର ମୁଲକ ତା’ର, କାଳୀଶଙ୍କର, ତୋ ଆଖିରେ ମୁଁ ଓ ଆହୁରି ଅନେକ।

ନାଟକପିଛା କେତେ ଟଙ୍କା ମିଳୁଥିଲା?
ସେତେବେଳେ ନାଟକପିଛା ୨୦ରୁ ୨୫ ଟଙ୍କାଯାଏ ପାଇଛି। ଏତିକି ଟଙ୍କାର ବି ତ ସେତେବେଳେ କମ୍‌ ମୂଲ୍ୟ ନଥିଲା। ମୋ‌େତ ନାଟକ କରିବା ଦେଖି ଅନ୍ୟ ଜାଗାରୁ ବି ଅଭିନୟ ପାଇଁ ଅଫର୍‌ ଆସିବାରେ ଲାଗିଲା। ସେଥିରୁ ବି ଦି’ପଇସା ମିଳିଲା।

Donald Trump: ଖେମିନିଙ୍କ ଅନ୍ତିମ ସଂସ୍କାର ନେଇ ଟ୍ରମ୍ପଙ୍କ ଉତ୍ତେଜକ ବୟାନ

ଆପଣ କେତେକ ଫିଲ୍ମରେ ନୃତ୍ୟ ନିର୍ଦ୍ଦେଶନା ବି ଦେଇଛନ୍ତି। ଆପଣ କ’ଣ ନୃତ୍ୟ ଶିଖିଛନ୍ତି, ତାଲିମ ନେଇଛନ୍ତି?
ନା ନା, କେଉଁଠି ବି ତାଲିମ ନେଇ ନାହିଁ। କହିବାକୁ ଗଲେ ସେଇଟା ହେଉଛି ଭଗବାନଙ୍କ ଆଶୀର୍ବାଦ ଯେ ନାଚରେ ଟିକେ ଦଖଲ ଅଛି। ଆଗରୁ ପ୍ରାୟତଃ ବମ୍ବେ ବା ମାଡ୍ରାସରୁ ନୃତ୍ୟ ନିର୍ଦ୍ଦେଶକମାନଙ୍କୁ ଆମ ଓଡ଼ିଆ ଫିଲ୍ମ ପାଇଁ ଡକା ହେଉଥିଲା। ଅଧିକା ପଇସା ଖର୍ଚ୍ଚ, ପୁଣି ଖୋସାମତ କର। ଏଗୁଡ଼ା ଦେଖି ପ୍ରଯୋଜକମାନେ ମୋତେ ସୁଯୋଗ ଦେଲେ ନୃତ୍ୟ ନିର୍ଦ୍ଦେଶନା ଦେବାକୁ। ମୁଁ ତାହା କଲି। ଭଲ ହେଉଛି ବୋଲି ଅନ୍ୟମାନେ କହିଲେ ତ ମାଡ଼ିଗଲି। ଭଗବାନଙ୍କ ଆଶୀର୍ବାଦରୁ ‘ଯାଯାବର’, ‘ସ୍ତ୍ରୀ’, ‘ତଅପୋଇ’, ‘ଅଭିମାନ’... ଏମିତି କେତେ ଫିଲ୍ମରେ କୋରିଓଗ୍ରାଫି କରିଛି।

ଆପଣଙ୍କ ସମୟରେ କମେଡି ପାଇଁ ଗୋଟେ ଗୋଟେ ସିନେମା ପରିଚିତ ହେଉଥିଲା। ଆପଣଙ୍କର ଭଲ ଯୋଡ଼ିଦାର କିଏ ଥିଲେ?
ନରି ଥିଲେ ମୋ ପାଇଁ ଭଲ ଯୋଡ଼ିଦାର। ଆମ ଯୋଡ଼ିକୁ ଦର୍ଶକ ବହୁ ଭାବେ ପସନ୍ଦ କରିଛନ୍ତି। ଆଉ ମାମିନା, ନମ୍ରତା ଓ ଅନୀତା ଆଦି ଅଭିନେତ୍ରୀଙ୍କ ସହ ଯୋଡ଼ିକୁ ମଧ୍ୟ ଦର୍ଶକ ଭଲପାଇବା ଦେଇଛନ୍ତି।

ଆପଣଙ୍କ ପରେ ଅନେକ ହାସ୍ୟ ଅଭିନେତା-ଅଭିନେତ୍ରୀ ବେଶ୍ ସୁନାମ ପାଇଛନ୍ତି। ଏବେକାର ନୂଆପିଢ଼ିର ହାସ୍ୟ ଅଭିନେତାଙ୍କୁ କି ମନ୍ତ୍ର ଦେବେ?
ଏ କ୍ଷେତ୍ରରେ ଗୋଟିଏ ନୁହେଁ, ତିନିଟା କଥା କହିବି। ସେମାନେ ନିଜତ୍ବକୁ ଭୁଲନ୍ତୁନି, କାହାକୁ ଅନୁକରଣ ନକରି ନିଜର ଛାପ ତିଆରି କରନ୍ତୁ ଆଉ ଅନ୍ୟ କାହା ସହିତ ନିଜର ତୁଳନା କରନ୍ତୁନି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.