Social Boycott: ବର୍ଷେ ଧରି ପରିବାରକୁ ସାମାଜିକ ବାସନ୍ଦ, ଥାନାରେ ଅଭିଯୋଗ ପରେ ମଧ୍ୟ ମିଳୁନି ନ୍ୟାୟ

3 weeks ago 11
ARTICLE AD BOX

ପାରଳାଖେମୁଣ୍ଡି: ଆଧୁନିକ ବିଜ୍ଞାନ ଯୁଗରେ ଭାରତ ଚନ୍ଦ୍ରରେ ପହଞ୍ଚି ସାରିଥିବା ବେଳେ ଗଜପତି ଜିଲ୍ଲାର ଏକ ଗାଁରେ ଏବେ ବି ସାମାଜିକ ବାସନ୍ଦ ଭଳି ଅମାନବୀୟ କୁପ୍ରଥା  ଅଭିଯୋଗ ସାମ୍ନାକୁ ଆସିଛି। ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଡାଳିମ୍ବପୁର ଗ୍ରାମର ଏକ ପରିବାର ପ୍ରାୟ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ସାମାଜିକ, ଆର୍ଥିକ ଓ ମାନସିକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ପୀଡ଼ିତ ପରିବାରର ଅଭିଯୋଗ ଅନୁଯାୟୀ, ଗ୍ରାମର କଥାକଥିତ ମୁଖିଆଙ୍କ ସହ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ବୈଠକ କରି ସେମାନଙ୍କ ଉପରେ ଆର୍ଥିକ ଜରିମାନା ଲାଗୁ କରିଥିଲେ। ଜରିମାନା ଦେଇ ନପାରିବାରୁ ସେମାନଙ୍କୁ ସମାଜରୁ ବାସନ୍ଦ କରାଯାଇଥିବା ଦାବି କରାଯାଇଛି। ସାମୂହିକ ନଳକୂପ ବ୍ୟବହାର, ଚାଷ ଜମିକୁ ପାଣି ଛାଡ଼ିବା, ଟ୍ରାକ୍ଟର ଓ ଶ୍ରମିକ ସହାୟତା ପାଇବା, ଗ୍ରାମର ଦୋକାନରୁ ସାମଗ୍ରୀ କିଣିବା, ଏପରିକି ମନ୍ଦିରରେ ଦର୍ଶନ କରିବା ଉପରେ ମଧ୍ୟ କଟକଣା ଲଗାଯାଇଥିବା ଅଭିଯୋଗ ରହିଛି। ଅଭିଯୋଗ ଆହୁରି ଗୁରୁତର ଯେ, ଗ୍ରାମର କୌଣସି ସାମାଜିକ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ଉକ୍ତ ପରିବାରକୁ ଯୋଗଦେବାକୁ ଦିଆଯାଉନାହିଁ। ଯିଏ ଏହି ପରିବାର ସହ ସମ୍ପର୍କ ରଖିବେ, ସେମାନଙ୍କୁ ମଧ୍ୟ ସମାନ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯାଇଥିବା କୁହାଯାଇଛି।

ଥାନାରେ ଅଭିଯୋଗ ପରେ ବଢ଼ିଲା ଆକ୍ରୋଶ

ଦୀର୍ଘଦିନ ଧରି ନିର୍ଯାତନା ସହି ନପାରି ପରିବାର ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସ୍ପଷ୍ଟ ସମାଧାନ ବାହାରିନଥିବା ଅଭିଯୋଗ ହୋଇଛି। ବରଂ ଥାନାରେ ଅଭିଯୋଗ କରାଯାଇଥିବା ଜାଣିବା ପରେ କଥାକଥିତ ମୁଖିଆ ଓ ତାଙ୍କ ସମର୍ଥକମାନେ ଅଧିକ ଆକ୍ରୋଶ ପ୍ରଦର୍ଶନ କରିଥିବା ଏବଂ ଆଗକୁ ଆଉ କେଉଁଠି ଅଭିଯୋଗ କଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଥିବା ଦାବି କରାଯାଇଛି। ଏହାପରେ ପରିବାର ନିଜକୁ ଅସୁରକ୍ଷିତ ମନେ କରୁଥିବା ଏବଂ ଭୟଭୀତ ଅବସ୍ଥାରେ ଜୀବନ କାଟୁଥିବା କହିଛନ୍ତି। ପରିସ୍ଥିତିରେ ଅତିଷ୍ଠ ହୋଇ ପରିବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ସମସ୍ତ ଘଟଣା ବଖାଣିଥିଲେ। ତେବେ କିଛି ଦିନ ପରେ ଶୁଣାଣି କରାଯିବ ବୋଲି କୁହାଯାଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତମାନେ।

Kani River: କାଣୀନଦୀରେ ୨ଟି ଘାଇ, ତଳି ଅଞ୍ଚଳରେ ବନ୍ୟା ଜଳ

ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଅନତି ଦୂରରେ ଥିବା ଏକ ଗ୍ରାମରେ ଯଦି ବର୍ଷେ ଧରି ସାମାଜିକ ବାସନ୍ଦ ଭଳି ଅଭିଯୋଗ ଚାଲିଥାଏ, ତେବେ ସମ୍ପୃକ୍ତ ବିଭାଗର ନଜରକୁ ଏହା କିପରି ଆସିଲା ନାହିଁ? ନା କି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ପ୍ରଶାସନ ନୀରବ ରହିଛି? ଏହି ପ୍ରଶ୍ନ ଏବେ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ସମ୍ମାନର ସହ ବଞ୍ଚିବା ଏବଂ ସମାଜରେ ସ୍ୱାଧୀନ ଭାବେ ଅଂଶଗ୍ରହଣ କରିବାର ଅଧିକାର ଦେଇଛି। ସାମାଜିକ ବାସନ୍ଦ ଭଳି ପ୍ରଥା ସେହି ଅଧିକାର ଉପରେ ସିଧାସଳଖ ଆଘାତ ବୋଲି ଆଇନ ବିଶେଷଜ୍ଞମାନେ ମତ ଦେଉଛନ୍ତି।ଘଟଣା ସାମ୍ନାକୁ ଆସିବା ପରେ ପୀଡ଼ିତ ପରିବାରକୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବା ସହ ଅଭିଯୋଗର ନିଷ୍ପକ୍ଷ ତଦନ୍ତ କରି ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ଜୋର ଧରିଛି। ଆଶା କରାଯାଉଛି ଜିଲ୍ଲା ପ୍ରଶାସନ ଘଟଣାର ଗମ୍ଭୀରତାକୁ ଅନୁଭବ କରି ତୁରନ୍ତ ହସ୍ତକ୍ଷେପ କରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.