Senior Citizens' Festival: ୧୮ରେ ବୟୋଜ୍ୟେଷ୍ଠ ଉତ୍ସବ ଉଦ୍‌ଘାଟନ ସମାରୋହ: ଦେଶରେ ପ୍ରଥମ ବୟୋଜ୍ୟେଷ୍ଠ ଉତ୍ସବ ଆରମ୍ଭ ହେବ ଓଡ଼ିଶାରେ

4 days ago 4
ARTICLE AD BOX

ଭୁବନେଶ୍ୱର: ବରିଷ୍ଠ ନାଗରିକ ଉତ୍ସବଗୁଡ଼ିକରେ ଯେଉଁ ବୟୋଜ୍ୟେଷ୍ଠମାନେ ବର୍ଷ ବର୍ଷ ଧରି ନିଷ୍କ୍ରିୟ ଦର୍ଶକ ଭାବେ ରହିଆସୁଥିଲେ ସେମାନେ ସୃଷ୍ଟିକର୍ତ୍ତା ଭାବେ ଠିଆ ହେବେ। ନିଜର ସୃଜନଶୀଳତା, କଳା ଓ ଭାବନାତ୍ମକ ସନ୍ତୁଷ୍ଟି ପ୍ରକାଶ କରି ଦର୍ଶକଙ୍କ ମନ ଜିଣିବେ। ଗୀତ, ନୃତ୍ୟ, ଅଭିନୟ, କବିତା ଓ କାହାଣୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ‘ବୋଉ ଫାଉଣ୍ଡେସନ୍‌’ ପ୍ରୋଜେକ୍ଟ ‘ରାହା’ ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ଅଲଗା ମଞ୍ଚ ପ୍ରସ୍ତୁତ କରିଛି। ଯେଉଁଠାରେ ହଜାର ହଜାର ବୟୋଜ୍ୟେଷ୍ଠ ଗୀତ, ନୃତ୍ୟ, ଅଭିନୟ, କବିତା ଓ କାହାଣୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜକୁ ସକ୍ରିୟ ସୃଷ୍ଟିକର୍ତ୍ତା ଅନୁଭବ କରିବାର ସୁଯୋଗ ପାଇବେ। 

ସୃଜନଶୀଳତା ପ୍ରଦର୍ଶନ କରିବେ ବରିଷ୍ଠ ନାଗରିକ

ଏହି ଅବସରରେ ଆୟୋଜିତ ୫ଟି ପ୍ରତିଯୋଗିତା ପାଇଁ ହଜାରେ ଜଣ ପଞ୍ଜୀକରଣ କରିଥିଲେ। ତନ୍ମଧରୁ ପ୍ରତ୍ୟେକ ବିଭାଗରେ ୫୦ଜଣ ଚୟନ ହୋଇଛନ୍ତି। ଯେଉଁମାନେ ଆସନ୍ତା ୧୯ ତାରିଖରୁ ୨୩ ତାରିଖ ଯାଏଁ ଗୀତଗୋବିନ୍ଦ ସଦନରେ ଆୟୋଜିତ ହେବାକୁ ଥିବା କ୍ଷୁଦ୍ରଗଳ୍ପ, ନୃତ୍ୟ, ସଙ୍ଗୀତ, କବିତା ଓ ଅଭିନୟ ପ୍ରତିଯୋଗିତାରେ ଭାଗ ନେବେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ବିଭାଗରେ ଶ୍ରେଷ୍ଠ ଦଶ ଜଣଙ୍କୁ ବଛାଯାଇ ସମ୍ୱର୍ଦ୍ଧିତ କରାଯିବ। ଆସନ୍ତା ୧୮ ତାରିଖରେ ବୟୋଜ୍ୟେଷ୍ଠ ଉତ୍ସବର ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟର ସମସ୍ତ ବରିଷ୍ଠ ନାଗରିକ ସଂଗଠନ, ଗଣମାଧ୍ୟମ ଅନୁଷ୍ଠାନର ସମ୍ପାଦକ, ମେୟର, ସାମାଜିକ ସୁରକ୍ଷା ବିଭାଗର ମନ୍ତ୍ରୀ, ସାମାଜିକ କର୍ମୀ ଉପସ୍ଥିତ ରହିବେ। ଏଥିସହିତ ସମାରୋହରେ ୬୦ ବର୍ଷ ତଳର ଚିରସବୁଜ ଚଳଚ୍ଚିତ୍ର ‘କା’ ପ୍ରଦର୍ଶିତ ହେବ। 

ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି ସାମ୍ୱାଦିକ ସମ୍ମିଳନୀରେ ସହମୁଖ୍ୟ ତଥା ବିଧାୟକ ବାବୁ ସିଂହ, ସହମୁଖ୍ୟ ପ୍ରସନ୍ନ କୁମାର ଦାସ, ସୂର୍ଯ୍ୟମଣି ତ୍ରିପାଠୀ, ମଧୁମାଧବ ଜେନା, ସେବା ମହାପାତ୍ର, ନିରଞ୍ଜନ ପଣ୍ଡା,  ପ୍ରିୟଦର୍ଶୀ ମିଶ୍ର, ଜଗନ୍ନାଥ ପ୍ରଧାନ, ବୋଉ ଫାଉଣ୍ଡେସନର ସହପ୍ରତିଷ୍ଠାତା ସସ୍ମିତା ଦାଶ, ଟ୍ରଷ୍ଟି ମୁଖ୍ୟ ସଂଯୁକ୍ତା ଦାଶ ଓ ରାଜ୍ୟ ବରିଷ୍ଠ ନାଗରିକ ପରିଷଦର ସଦସ୍ୟ ଅତିଶ ମହାନ୍ତି ପ୍ରମୁଖ ଯୋଗଦେଇ କହିଲେ ଯେ ଦୁଇ ବର୍ଷ ଧରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନରେ ଆୟୋଜିତ ଉତ୍ସବଗୁଡ଼ିକ ମୁଖ୍ୟତଃ ବାହାର ବ୍ୟବସାୟିକ ଇଭେଣ୍ଟ ମ୍ୟାନେଜମେଣ୍ଟ୍‌ ଏଜେନ୍ସିମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ଫଳରେ ବୟୋଜ୍ୟେଷ୍ଠ ନାଗରିକମାନେ କେବଳ ଦର୍ଶକ ଭାବେ ରହିଯାଉଥିଲେ। ହେଲେ ଏହି ଉତ୍ସବ ୬୦ ବର୍ଷ ଓ ତା’ଠୁ ଊର୍ଦ୍ଧ୍ୱ ବୟସ୍କମାନଙ୍କୁ ପ୍ରତିଭା, ସ୍ମୃତି ଓ ସୃଜନଶୀଳତା ପ୍ରଦର୍ଶନ କରିବା ପାଇଁ ଏକ ସମ୍ମାନଜନକ ମଞ୍ଚ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ବୋଲି କହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.