ARTICLE AD BOX
ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ତ୍ରୁଟିବିଚ୍ୟୁତି ଘଟଣା ସମ୍ପ୍ରତି ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏନେଇ ରାଜ୍ୟର ବିଜେପି ସରକାର ବିଭିନ୍ନ ମହଲରୁ ସମାଲୋଚିତ ହେଉଛନ୍ତି। ଏହି ଘଟଣାରେ ରାଜ୍ୟ ସରକାର ନିଜର ଆଭିମୁଖ୍ୟ ଦୃଢ଼ କରିଛନ୍ତି। ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି।
ମିଳିଥିବା ସୂଚନାନୁସାରେ, ଏସ୍ସିଇଆର୍ଟିର ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗକୁ ଆଧାର କରି କ୍ରାଇମବ୍ରାଞ୍ଚରେ କେସ୍ ନଂ–୦୮/୨୦୨୬ ରୁଜୁ କରାଯାଇଛି। ଏହି ମାମଲା ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍), ୨୦୨୩ର ଧାରା ୩୧୬(୫), ୨୦୧, ୩(୫) ଏବଂ ୬୧(୨) ଅନୁଯାୟୀ ଏହି ମାମଲା ଦାୟର କରାଯାଇଛି।
କ୍ରାଇମବ୍ରାଞ୍ଚ ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିଏସ୍ପି ନରେନ୍ଦ୍ର କୁମାର ବେହେରାଙ୍କୁ ଏହି ସମ୍ବେଦନଶୀଳ ମାମଲାର ମୁଖ୍ୟ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।
Textbook error issue: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ତ୍ରୁଟିଶୂନ୍ୟ ବହି ମିଳିବ, ଖୁବ୍ଶୀଘ୍ର ନୂତନ ପୁସ୍ତକ
ତଦନ୍ତକୁ ବ୍ୟାପକ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି। ପାଠ୍ୟପୁସ୍ତକ ପ୍ରସ୍ତୁତି, ବିଷୟବସ୍ତୁ ଚୟନ, ଅନୁମୋଦନ, ମୁଦ୍ରଣ, ପ୍ରକାଶନ ଏବଂ ବଣ୍ଟନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବ। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଦସ୍ତାବିଜ, ରେକର୍ଡ ଓ ଅନ୍ୟାନ୍ୟ ସାକ୍ଷ୍ୟ ସଂଗ୍ରହ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବ।
କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାର ନିରପେକ୍ଷ ତଦନ୍ତ କରାଯାଇ ପ୍ରମାଣ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଜି ପୁଲିସ ମୁଖ୍ୟାଳୟରୁ ଜାରି ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି।

3 weeks ago
10


