'Sambad': ‘ସମ୍ବାଦ’ ପକ୍ଷରୁ ବରପାଲିରେ ସ୍ବଭାବ କବିଙ୍କ ଜୟନ୍ତୀ: ‘ଗଙ୍ଗା‌ଧରଙ୍କ ରଚନାର ଶାଳୀନତା ଅତୁଳନୀୟ’

2 weeks ago 6
ARTICLE AD BOX

ବରପାଲି/ବରଗଡ଼: ତିଥି ଅନୁସାରେ ଶ୍ରାବଣ ପୂର୍ଣ୍ଣିମାରେ ଜଣେମାତ୍ର କବିଙ୍କ ଜୟନ୍ତୀ ପାଳନ କରାଯାଇଥାଏ। ସେ ହେଉଛନ୍ତି ସ୍ବଭାବ କବି ଗଙ୍ଗାଧର ମେହେର। ତାଙ୍କର କାବ୍ୟ, କବିତାରେ ପ୍ରକୃତିର ଝଲକ ଦେଖିବାକୁ ମିଳୁଥିଲା। ସେହିପରି ଗଙ୍ଗାଧର ମାତୃ ଉପାସକ ଥିଲେ। ଯାହାକି ତାଙ୍କ କାବ୍ୟ ତପସ୍ବିନୀରେ ଉଲ୍ଲେଖ ରହିଛି। ତାଙ୍କର କବିତାରେ ପ୍ରକୃତି ଜୀବନ୍ତ ରୂପ ପାଉଥିଲା ବୋଲି କଟକ ଖ୍ରୀଷ୍ଟ କଲେଜର ଅବସରପ୍ରାପ୍ତ ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ଦାଶ କହିଛନ୍ତି। ‘ସମ୍ବାଦ’, ‘କନକ ନ୍ୟୁଜ୍‌’ ଓ ‘ଆମ ଓଡ଼ିଶା’ର ମିଳିତ ଆନୁକୂଲ୍ୟରେ ବରପାଲିସ୍ଥିତ ଗଙ୍ଗାଧର କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ‘ଓଡ଼ିଆ ଅସ୍ମିତାର ଅନନ୍ୟ ଶ୍ରାବଣ’ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡ. ଦାଶ କହିଲେ, ମହାନ କବି କାଳିଦାସଙ୍କୁ ଆଦର୍ଶ ଭାବେ ଗ୍ରହଣ କରିଥିଲେ ଗଙ୍ଗାଧର। ଏଣୁ ମେହେରଙ୍କ କାବ୍ୟ କବିତା ବେଶ୍‌ ଉଚ୍ଚକୋଟୀର ଥିଲା। ଓଡ଼ିଶାର ପ୍ରକୃତିକୁ ସେ ବେଶ୍‌ ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ। ପ୍ରକୃତିକୁ ସେ ଜୀବନ୍ତ ରୂପ ଦେଇ ପାରିଥିଲେ ବୋଲି ଡ. ଦାଶ କହିଥିଲେ।

Neglect: ନବରଂଗପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ବିଦ୍ୟୁତ ସଂଯୋଗ କଟିଲେ ସବୁ ଅନ୍ଧାର

‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ସଂପାଦକ ତନୟା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ‌ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ. ଚନ୍ଦ୍ର‌‌ଶେଖର ହୋତା କହିଲେ, ଗଙ୍ଗାଧରଙ୍କ ଜୀବନ ସଂଘର୍ଷମୟ ଥିଲା। ୧୮୬୨ରେ ଜନ୍ମଗ୍ରହଣ କରିଥିବା ଗଙ୍ଗାଧର ତାଙ୍କ କବିତା ମାଧ୍ୟମରେ ସ୍ବାଧୀନତା ଆନ୍ଦୋଳନ, ଭାଷା ଆନ୍ଦୋଳନ ଓ ଗଡ଼ଜାତ ଆନ୍ଦୋଳନକୁ ଆଗକୁ ଆଣିଥିଲେ। ସେ ଭାରତ ବର୍ଷର ଯୁଗପୁରୁଷ ଥିଲେ। ଗଙ୍ଗାଧରଙ୍କ କବିତାରେ ଶାଳୀନତା ଥିଲା। ମୃତ୍ୟୁ ପରେ ବି ପ୍ରେମ ବଞ୍ଚିରହେ ବୋଲି ଗଙ୍ଗାଧର ନିଜ କବିତାରେ କହିଥିଲେ, ଯେଉଁ ଧାରାକୁ ପରବର୍ତ୍ତୀ ପିଢ଼ିର କବିମାନେ ବି ସୁନ୍ଦର ଢଙ୍ଗରେ ଆଗକୁ ବଢ଼ାଇଥିଲେ ବୋଲି ଡ. ହୋତା କହିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲୋକକବି ପଦ୍ମଶ୍ରୀ ହଳଧର ନାଗ କହିଲେ, ମେହେର ସାହିତ୍ୟରେ ମଧ୍ୟ ସମ୍ବଲପୁରୀ ଭାଷାର ବ୍ୟବହାର ଦେଖିବାକୁ ମିଳିଛି। କାରଣ ଗଙ୍ଗାଧର ଓଡ଼ିଆରେ ଲେଖୁଥିଲେ ମଧ୍ୟ ତାଙ୍କର ନିଜ ଭାଷାକୁ ଛାଡ଼ି ନଥିଲେ। ଭାଷା ଯାହା ହେଉ ନା କାହିଁକି ସାହିତ୍ୟ ସବୁ ବେଳେ ସାହିତ୍ୟ। କବି ଗଙ୍ଗାଧର ବହୁ ନିର୍ଯାତନା ଓ ଅପମାନର ଶିକାର ହୋଇଛନ୍ତି। ତାଙ୍କର ଘର ପୋଡ଼ି ଯାଉଥିବା ସମୟରେ ସେ ନଈକୂଳରେ ବସି ବିଶ୍ବ ଦେଖ ମଧୁମୟ ସଂଗୀତ ଲେଖୁଥିଲେ। ତାଙ୍କୁ ଯେଉଁମାନେ ଅପମାନିତ କରୁଥିଲେ, କବି ତାଙ୍କୁ ନିଜ ସନ୍ତାନ ଭଳି ଦେଖୁଥିଲେ। ସେ ମହାନ ହୃଦୟର ଅଧିକାରୀ ଥିଲେ। ତେଣୁ ଜଣେ ମହାନ କବି ହୋଇ ପାରିଥିଲେ ବୋଲି ଶ୍ରୀ ନାଗ କହିଥିଲେ।

Neglect: ରେଳ ଲାଇନ୍‌ରେ ଅଟକିଛି ଛଅ ଗାଁର ଜୀବନଯାତ୍ରା!

‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ତ୍ତା ସମ୍ପାଦକ ଭବାନୀ ଶଂକର ତ୍ରିପାଠୀ କହିଲେ, ଗଙ୍ଗାଧରଙ୍କ ଜୟନ୍ତୀ ସାରା ଓଡ଼ିଶାରେ ପାଳନ କରାଯାଇଥାଏ। ସେ କେବି ବି ସମ୍ମାନ ଗ୍ରହଣ କରିବା ପାଇଁ ଲାଳାୟିତ ନଥିଲେ। ଗଙ୍ଗାଧର କେବଳ କବି ନଥିଲେ ସେ ଜଣେ ସମାଜ ସଂସ୍କାରକ ଭାବେ ତାଙ୍କର ଲେଖନୀ ଚାଳନା କରୁଥିଲେ। ନିଜ ଅଭିଭାଷଣରେ ଶ୍ରୀମତୀ ପଟ୍ଟନାୟକ କହିଲେ ଯେ, ଗଙ୍ଗାଧର କୌଣସି ବିଶ୍ବବିଦ୍ୟାଳୟରେ ପାଠ ପଢ଼ି ନଥିଲେ। କିନ୍ତୁ ତାଙ୍କ ନାମରେ ସମ୍ବଲପୁରରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ସାର୍ଟିଫିକେଟ୍‌ କାହାରି ଯୋଗ୍ୟତା କ‌ହେ ନାହିଁ। ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଗଙ୍ଗାଧରଙ୍କ ମନରେ ଜ୍ଞାନର ଭୋକ ରହିଥିଲା। ଓଡ଼ିଶା ସାହିତ୍ୟର ବିକାଶ ଦିଗରେ ତାଙ୍କର ଉଦ୍ୟମ ବେଶ୍‌ ପ୍ରଶଂସନୀୟ ବୋଲି ସେ କହିଥିଲେ। ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ମୁଖ୍ୟ ଜ୍ଞାନରଂଜନ ମିଶ୍ର  ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରପାଲି ବ୍ଲକ୍‌ ପ୍ରତିନିଧି ପଦ୍ମଲୋଚନ ସାହୁ ଧନ୍ୟବାଦ ଦେଇଥିଲେ। ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲିଟିଲ୍‌ ଏଞ୍ଜେଲ୍‌ ପବ୍ଲିକ୍‌ ସ୍କୁଲ୍‌ ଓ ମହଦା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିକ୍ଷୟିତ୍ରୀ ପ୍ରତିମା ସାହୁଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.