ARTICLE AD BOX
ମୁଜାଫରନଗର: ରୁଷରେ ପଢ଼ିବାକୁ ଯାଇଥିବା ଉତ୍ତର ପ୍ରଦେଶ ପଶ୍ଚିମାଞ୍ଚଳର ୩ ଜଣ ଭାରତୀୟ ଯୁବକ ନିଖୋଜ ହେବା ଘଟଣା ସାମ୍ନାକୁ ଆସିଛି। ପାସପୋର୍ଟ ଜବତ କରାଯାଇ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ରୁଷ ସେନାରେ ଭର୍ତ୍ତି କରାଯାଇ ୟୁକ୍ରେନ ଯୁଦ୍ଧରେ ନିୟୋଜିତ କରାଯାଇଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ନିଖୋଜ ଯୁବକମାନେ ହେଲେ ମୁଜାଫରନଗରର ହିମାଂଶୁ ଶର୍ମା (୨୪), ଶକ୍ତି ପୁଣ୍ଡିର (୨୩) ଏବଂ ଶାମଲିର ଆଶୁ ସୈନି (୨୫)। ଗତ ଜୁଲାଇ ୩୦ ତାରିଖରେ ମସ୍କୋରୁ ଏକ ଜରୁରୀ ଫୋନ୍ କଲ୍ ଆସିବା ପରଠାରୁ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ। ଜଣେ ସ୍ଥାନୀୟ ଏଜେଣ୍ଟଙ୍କ ଜରିଆରେ ଛାତ୍ର ଭିସାରେ ରୁଷୀୟ ଭାଷା ଶିଖିବା ପାଇଁ ସେମାନେ ମସ୍କୋ ଯାଇଥିଲେ।
ଏହି ସମ୍ବେଦନଶୀଳ ମାମଲାରେ ଆଶୁ ସୈନିଙ୍କ ପରିବାର ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ର ଜରୁରୀ ହସ୍ତକ୍ଷେପ ଲୋଡ଼ାଯାଇଥିବା ବେଳେ, ଅନ୍ୟ ଦୁଇ ଯୁବକଙ୍କ ପରିବାର ଉତ୍ତର ପ୍ରଦେଶ ସରକାର ଓ ଜିଲ୍ଲା ପ୍ରଶାସନର ସହାୟତା ମାଗିଛନ୍ତି। ଯୁବକମାନଙ୍କୁ ପ୍ରଲୋଭିତ କରି ପଠାଇଥିବା ସଂପୃକ୍ତ ଏଜେଣ୍ଟ ବିରୋଧରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, ରୁଷ ସେନାରେ କାର୍ଯ୍ୟରତ ପ୍ରାୟ ଦୁଇ ଡଜନ୍ ଭାରତୀୟଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ରୁଷ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଅନ୍ୟପଟେ ୟୁକ୍ରେନ ଯୁଦ୍ଧକ୍ଷେତ୍ରରେ ନିୟୋଜିତ ଥାଇ ଏପର୍ଯ୍ୟନ୍ତ ୩୦ରୁ ଉର୍ଦ୍ଧ୍ୱ ଭାରତୀୟଙ୍କ ମୃତ୍ୟୁ ଘଟିସାରିଥିବା ବେଳେ, ପ୍ରତାରଣାର ଶିକାର ହୋଇଥିବା ଯୁବକଙ୍କ ପରିବାର ପକ୍ଷରୁ ଆଗତ ପିଟିସନ୍ ଉପରେ ସୁପ୍ରିମକୋର୍ଟ ମଧ୍ୟ ଶୁଣାଣି କରୁଛନ୍ତି।
ଅଧିକ ଦେଖନ୍ତୁ-

2 days ago
1


