ARTICLE AD BOX
ରାୟଗଡା/ପଦ୍ମପୁର (ଶିବ ପ୍ରସାଦ ଦୋରା): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ମେ’ ମାସ ୧ତାରିଖରେ ରାୟଗଡ଼ାରେ ଘୋଷଣା କରିଥିଲେ ଗ୍ରାମାଞ୍ଚଳର ଭତ୍ତିଭୁମି ବିକାଶ ହେବ ଓ ଜିଲ୍ଲାରେ ଆଉ ଭାରରେ ବୁହା ହେବା ଭଳି ଦୃଶ୍ୟ ଦେଖାଯିବନି। ଏଥି ପାଇଁ ରାୟଗଡା ଜିଲ୍ଳାରେ ୭୦୦କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ। କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଗ୍ରାମାଞ୍ଚଳ ରାସ୍ତାର ବିକାଶ ହୋଇପାରୁନି ଓ ବାରମ୍ବାର ଭାରରେ ବୁହାହେବା ଭଳି ଅଭାବନିୟ ଘଟଣା ଦେଖିବାକୁ ମିଳୁଛି। ପୁଣି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ନୂଆଗଡ ପଂଚାୟତ ଅନ୍ତର୍ଗତ ସାଟା ଗ୍ରାମରେ।
ଗ୍ରାମକୁ ଭଲ ରାସ୍ତା ଟିଏ ନ ଥିବାରୁ ଗ୍ରାମରେ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ। ଫଳରେ ଜଣେ ଗର୍ଭବତୀ ମହିଳାଙ୍କୁ ଭାରରେ ୫ କିମି ଉର୍ଧ୍ବ ରାସ୍ତାରେ ବୋହି ଆଣି ଗ୍ରାମବାସୀ ଓ ପରିବାରବର୍ଗ ଆମୁଲାନ୍ସ ନିକଟରେ ପହଞ୍ଚାଇଥିଲେ।
ସୂଚନା ଅନୁଯାୟୀ, ଆଜି ସାଟା ଗ୍ରାମର ଏସୋ ମାଝୀଙ୍କ ପତ୍ନୀ ରିବିକା ମାଝୀଙ୍କ ପ୍ରସବ ଜନିତ ବେଦନା ଆରମ୍ଭ ହୋଇଥିଲା। ତେଣୁ ପରିବାର ବର୍ଗ ୧୦୮ ଅମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ତେବେ ସାଟା ଗ୍ରାମକୁ ପକ୍କା ରାସ୍ତା ଟିଏ ନଥିବା ଯୋଗୁଁ ଆମୁଲାନ୍ସଟି ଗ୍ରାମରେ ପହଞ୍ଚି ପାରିନଥିଲା। ଫଳରେ ପରିବାର ବର୍ଗ, ଆମ୍ବୁଲାନ୍ସ କର୍ମଚାରୀ ଓ ଗ୍ରାମବାସୀ ବାଧ୍ୟ ହୋଇ ଗର୍ଭବତୀ ମହିଳାଙ୍କୁ ଏକ ସାଟା ଗ୍ରାମରୁ ପାଜିଲିବନ୍ଧ ଗ୍ରାମ ଯାଏ କାଦୁଅ ଓ ପଥୁରିଆ ରାସ୍ତାରେ ୫ କିମିରୁ ଊର୍ଦ୍ଧ୍ବ ରାସ୍ତା ଭାରରେ ବୋହି ଆଣି ଆମୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ପରେ ଗର୍ଭବତୀ ମହିଳାଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଭର୍ତି କରାଯାଇଥିଲା।
ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି, ଦୀର୍ଘ ବର୍ଷ ହେଲା ସାଟା ଗ୍ରାମକୁ ପକ୍କା ରାସ୍ତା ଟିଏ ନଥିବା ଯୋଗୁଁ ବର୍ଷା ଦିନେ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମୁଖୀନ ହେବାକୁ ପଢୁଛି। ବିଶେଷ କରି ଗର୍ଭବତୀ ମହିଳା ଓ ରୋଗୀଙ୍କୁ ମେଡ଼ିକାଲ ନେବା ସମୟରେ ବହୁତ ଅସୁବିଧାର ସମୁଖୀନ ହେବାକୁ ପଢୁଛି। ତେଣୁ ସରକାର ତୁରନ୍ତ ଏହି ରାସ୍ତା ନିର୍ମାଣ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି। ଆମ୍ବୁଲାନ୍ସର ଟେକ୍ଲିସିଆନ ଜଶବନ୍ତ ନାୟକ, ପାଇଲଟ ବିନୋଦ କୁମାର ସାହୁକାର, ଏଟେଣ୍ଡାଣ୍ଟ ପ୍ରମୋଦ ଜେନା, ଆଶା ଦିଦି ସୁମତି ମାଝି ଓ ଗ୍ରାମବାସୀଙ୍କ ସହାୟତାରେ ଗର୍ଭବତୀ ମହିଳା ଜଣଙ୍କ ୫କିମି ଭାରରେ ବୁହାଯାଇଥିଲେ। ଏଭଳି ଘଟଣା କିଛି ଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦେଖିବାକୁ ମିଳୁଛି। ଗତ ୧୫ଦିନ ମଧ୍ୟରେ ୫ଟି ଏଭଳି ଭାରରେ ବୁହାହେବା ଘଟଣା ସାମ୍ନାକୁ ଆସିଛି।

1 hour ago
1


