ARTICLE AD BOX
ଗୁରୁଗ୍ରାମ: ଗୁରୁଗ୍ରାମର ସେକ୍ଟର ୧୧୦ ସ୍ଥିତ ଶ୍ରୀରାମ ଛକ ନିକଟ ଦ୍ୱାରକା ଏକ୍ସପ୍ରେସୱେରେ ଗୁରୁବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କ ଦ୍ରୁତଗାମୀ କାର୍ ଧକ୍କାରେ ୨ ଜଣ ନିର୍ମାଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ଛାତ୍ରଙ୍କ ବିରୋଧରେ ଆଇନଗତ ମାମଲା ରୁଜୁ
ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୨ଟା ୩୦ ମିନିଟରେ ଗୁରୁଗ୍ରାମ ମେଟ୍ରୋପୋଲିଟାନ୍ ଡେଭେଲପମେଣ୍ଟ ଅଥରିଟି ଅଧୀନରେ ୪ ଜଣ ଶ୍ରମିକ ରାସ୍ତା ମଝିରେ ଥିବା ଡିଭାଇଡରରେ ଲୁହା ବାଡ଼ ଲଗାଉଥିଲେ। ଏହି ସମୟରେ ଦିଲ୍ଲୀ ଆଡ଼ୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ସେମାନଙ୍କୁ ସିଧାସଳଖ ଧକ୍କା ଦେଇଥିଲା। ଘଟଣାସ୍ଥଳରୁ ସ୍ଥାନୀୟ ଲୋକ ଓ ପୁଲିସ ସହାୟତାରେ ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ୨ ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ, ଏବଂ ଅନ୍ୟ ଦୁଇଜଣ ଆହତ ଶ୍ରମିକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ଦୁର୍ଘଟଣା ଘଟାଇଥିବା କାର୍ ଚାଳକ ଜଣକ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷର ଛାତ୍ର ବେଦାନ୍ତ ଖାନ୍ନା ବୋଲି ପୁଲିସ ସୂଚନା ଦେଇଛି। ସେ ସେକ୍ଟର ୧୧୦ର ସ୍ଥାନୀୟ ବାସିନ୍ଦା। ଏହି ଦୁର୍ଘଟଣାରେ ଗାଡ଼ି ଚାଳକ ବେଦାନ୍ତ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଦୁର୍ଘଟଣାର ପ୍ରକୃତ କାରଣ ଅନୁସନ୍ଧାନ କରୁଛି। ମୃତକଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ମିଳିବା ପରେ ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଆଇନଗତ ମାମଲା ରୁଜୁ କରାଯିବ ବୋଲି ପୁଲିସ କହିଛି।

14 hours ago
2


