ARTICLE AD BOX
ଭୁବନେଶ୍ୱର:ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ୍ ଏବଂ ସହରାଞ୍ଚଳଗୁଡ଼ିକ ନାମର ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଳାପାଳଙ୍କୁ ଆଜି ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି l
Government English spelling: ଇଂରାଜୀ ବନାନ ଶୁଦ୍ଧି କରିବେ ସରକାର: କଟକ, ବ୍ରହ୍ମପୁରର ନାମ ସଂଶୋଧନ ତାଲିକାରେ ନାହିଁ
ରାଜ୍ୟ ସରକାର ଗତ ଜୁନ୍ ୨୨ତାରିଖରେ ଓଡ଼ିଆ ଉଚ୍ଚାରଣ ସହ ସାମଞ୍ଜସ୍ୟ ରଖି ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ୍ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକର ଇଂରାଜୀ ବନାନ ସଂଶୋଧନ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ l ଏହି ସଂଶୋଧନ କେବଳ ଇଂରାଜୀ ବନାନ ସମ୍ବନ୍ଧୀୟ ଏବଂ ପ୍ରଶାସନିକ ଏକକଗୁଡ଼ିକର ନାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ ଉଲ୍ଲିଖିତ ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ ଦସ୍ତାବିଜ, ପତ୍ରାଚାର, ଅଧିସୂଚନା, ଅଭିଲେଖ, ୱେବସାଇଟ୍, ପୋର୍ଟାଲ୍, ବିଜ୍ଞାପନ ତଥା ନାମଫଳକ ଓ ଅନ୍ୟାନ୍ୟ ସରକାରୀ ବ୍ୟବହାରରେ ପ୍ରୟୋଗ କରାଯିବ। ଏଥିସହ ଜିଲ୍ଲାସ୍ତରର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍ଥାନୀୟ ସଂସ୍ଥା ଓ ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକୁ ଏହି ସଂଶୋଧିତ ବନାନର ସମ୍ପୂର୍ଣ୍ଣ ବ୍ୟବହାର ସୁନିଶ୍ଚିତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି। ଏଥିସହିତ କାର୍ଯ୍ୟନୁଷ୍ଠାନ ରିପୋର୍ଟ୍ ୧୫ ଦିନ ମଧ୍ୟରେ ବିଭାଗକୁ ପ୍ରେରଣ କରିବାକୁ କୁହାଯାଇଛି l ସେହିପରି ସମ୍ପୃକ୍ତ ପ୍ରଶାସନିକ ଏକକ ଗୁଡିକରେ ବ୍ୟବସାୟିକ ଓ ବେସରକାରୀ ସଂସ୍ଥାମାନଙ୍କୁ ସଂଶୋଧିତ ଇଂରାଜୀ ବନାନ୍ ଅନୁଯାୟୀ ନିଜର ନାମଫଳକ ପରିବର୍ତ୍ତନ କରିବାକୁ ୬ମାସର ସମୟ ପ୍ରଦାନ କରାଯାଇଛି lରାଜସ୍ୱ ସଚିବ କହିଛନ୍ତି ଯେ, ସଂଶୋଧିତ ଇଂରାଜୀ ବନାନର ସମ୍ପୂର୍ଣ୍ଣ ବ୍ୟବହାର ଦ୍ୱାରା ରାଜ୍ୟର ଭାଷାଗତ ଓ ସାଂସ୍କୃତିକ ପରିଚୟର ସୁରକ୍ଷା ସହିତ ସମସ୍ତ ସରକାରୀ ଅଭିଲେଖ ଓ ପ୍ରଶାସନିକ କାର୍ଯ୍ୟରେ ସମାନତା ଓ ସଠିକତା ବଜାୟ ରହିବ।

2 weeks ago
8


