ARTICLE AD BOX
ପୁରୀ: ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ରାତି ୯ଟାରୁ ବିଳମ୍ବିତ ରାତି ୩ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ସୂଚନାଯୋଗ୍ୟ, ଆଉ କିଛି ସମୟ ପରେ ବା ୧୦ଟା ବେଳେ ଆଡ଼ପ ମଣ୍ଡପରେ ମହାପ୍ରଭୁ ଦର୍ଶନ ଦେଉଛନ୍ତି। ସେଥିପାଇଁ ହଜାର ହଜାର ଭକ୍ତ ଅପେକ୍ଷା କରି ରହିଛନ୍ତି। ଏଥିଲାଗି ଭକ୍ତଙ୍କ ଲମ୍ବାଧାଡ଼ି ପରିଲକ୍ଷିତ ହେଉଛି।
Rath Yatra: ମ୍ୟୁନିଖରେ ମହାସମାରୋହରେ ପାଳିତ ହେଲା ଶ୍ରୀଜଗନ୍ନାଥ ରଥଯାତ୍ରା
ଭକ୍ତମାନେ ଆଜି(ରବିବାର) ଠାରୁ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ସୌଭାଗ୍ୟ ପାଇବେ। ଆଡ଼ପ ମଣ୍ଡପରେ ଅଧିଷ୍ଠିତ ହେବା ସ୍ବୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶ ବୋଲି ଶାସ୍ତ୍ର ବିଦିତ। ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କର ଅବସ୍ଥିତିକୁ ଜନ୍ମବେଦି ଯୋଗ କୁହାଯାଏ। ଜନ୍ମବେଦି ମହାପ୍ରଭୁଙ୍କ ପୃଥିବୀର ସବୁଠାରୁ ପ୍ରୀତିପଦ ସ୍ଥାନ ବୋଲି ପୁରାଣରେ ଉଲ୍ଲେଖ ରହିଛି। ଏଥିପାଇଁ ରଥାଯାତ୍ରାରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।
ସନ୍ଧ୍ୟାଧୂପ ପରେ ଘୋଡ଼ା ଫିଟା
ଶୁକ୍ରବାର ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ରଥ ଉପରେ ଦୈନିନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଥିଲା। ତିନି ରଥରେ ଚନ୍ଦନଲାଗି ହୋଇଥିଲା। ବଡ଼ସିଂହାର ବେଶ କରାଯାଇଥିଲା। ବଡ଼ସିଂହାର ବେଶ ଶେଷ ପରେ ବଡ଼ସିଂହାର ଭୋଗ ହୋଇଥିଲା। ଭୋଗ ନୀତି ସଂପନ୍ନ ହୋଇଥିଲା। ପରେ ରଥ ଉପରେ ରାତ୍ର ପହୁଡ଼ ହୋଇଥିଲା। ସକାଳୁ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା। ରଥ ଉପରେ ଗୋପାଳବଲ୍ଲଭ ଓ ଅନ୍ୟାନ୍ୟ ଭୋଗ ନୀତି ସଂପନ୍ନ ହୋଇଥିଲା। ତିନି ରଥରେ ମଇଲମ, ମହାସ୍ନାନ, ସର୍ବାଙ୍ଗ, ବେଶ ପରେ ମଧ୍ୟାହ୍ନଧୂପ ନୀତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାଧୂପ ପରେ ଘୋଡ଼ା ଫିଟା ଓ ଚାରବନ୍ଧା ଆରମ୍ଭ ହୋଇଥିଲା।

2 weeks ago
8


