Rajya Sabha elections: ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ ପ୍ରସଙ୍ଗ: ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଛଘୁଞ୍ଚା

1 week ago 7
ARTICLE AD BOX

ଭୁବନେଶ୍ବର (ଚୌଧୁରୀ ଅମିତାଭ ଦାସ): ମାର୍ଚ୍ଚ ୧୬ ରାଜ୍ୟସଭା ନିର୍ବାଚନରେ ୧୧ ବିଧାୟକ ଦଳୀୟ ନିଷ୍ପତ୍ତିକୁ ଅମାନ୍ୟ କରିଥିଲେ। ସେଥିରେ ଥିଲେ ବିଜେଡିର ୮ ଓ କଂଗ୍ରେସର ୩ ବିଧାୟକ। ଉଭୟ ଦଳ ସେମାନଙ୍କୁ ଆଇନର ନାଲି ଆଖି ଦେଖାଇଥିଲେ। ସେମାନଙ୍କ ସଭ୍ୟ ପଦ ରଦ୍ଦ କରିବାକୁ କୋର୍ଟ ଯିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ଏହା ମଧ୍ୟରେ ପାଖାପାଖି ୬ ମାସ ବିତିଗଲାଣି। ଉଭୟ ଦଳ କୋର୍ଟକୁ ଯିବାର ସମ୍ଭାବନା କ୍ଷୀଣ। ଓଲଟା ନିଲମ୍ବିତ ବିଧାୟକଙ୍କୁ ଦଳକୁ ଫେରାଇ ଆଣିବା ପାଇଁ ଭିତିରିଆ ଆଲୋଚନା ଆରମ୍ଭ ହୋଇ ଯାଇଥିବା ସୁରାକ ମିଳିଲାଣି। ରାଜନୀତିରେ କେହି ସ୍ଥାୟୀ ମିତ୍ର କି ଶତ୍ରୁ ନୁହନ୍ତି, ସେହି ନ୍ୟାୟରେ ଘର ବାହୁଡ଼ା ଯୋଜନା ଚାଲିଛି। କିନ୍ତୁ ଏ ନେଇ କେହି ମୁହଁ ଖୋଲୁ ନାହାନ୍ତି। 

ଏହି ୧୧ ବିଧାୟକ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଭୋଟ ନଦେଇ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ ଦେଇଥିଲେ। ଫଳରେ ଶ୍ରୀ ରାୟ ବିଜୟୀ ହୋଇଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା। କଂଗ୍ରେସ ତତ୍‌କ୍ଷଣାତ ତିନି ବିଧାୟକ ସୋଫିଆ ଫିରଦୋସ, ଦାଶରଥୀ ଗମାଙ୍ଗୋ ଓ ରମେଶ ଜେନାଙ୍କୁ ଦଳରୁ ନିଲମ୍ବନ କରିବା ସହ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲା। କିନ୍ତୁ ବିଜେଡି ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନ ନେଇ ମାର୍ଚ୍ଚ ୧୭ ତାରିଖରେ ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କଲା। ସେମାନେ ହେଲେ ସୁବାସିନୀ ଜେନା, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ରମାକାନ୍ତ ଭୋଇ, ନବକିଶୋର ମଲ୍ଲିକ ଓ ଚକ୍ରମଣି କଅଁର। ତିନି ଦିନ ଭିତରେ ଏହି ବିଧାୟକମାନେ ଉତ୍ତର ରଖି ନୋଟିସ୍‌କୁ ବେଆଇନ ଓ ଭିତ୍ତିହୀନ ବୋଲି ଆରୋପ ଲଗାଇଲେ। ଏହା ପରେ ୨୧ ତାରିଖରେ ଏହି ୬ ଜଣଙ୍କୁ ଦଳ ନିଲମ୍ବିତ କଲା। ପୂର୍ବରୁ ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ଭିନ୍ନ କାରଣ ପାଇଁ ନିଲମ୍ବିତ ହୋଇସାରିଥିଲେ। ପ୍ରଚଳିତ ନିୟମ ଅନୁଯାୟୀ ବିଧାୟକଙ୍କ ସଦସ୍ୟତା ରଦ୍ଦ ସଂକ୍ରାନ୍ତୀୟ ଦାବିପତ୍ର ନିର୍ବାଚନର ୪୫ ଦିନ ଭିତରେ ବାଚସ୍ପତିଙ୍କୁ ଦେବା କଥା। କଣ୍ଟ ପୂରିବାର ଦୁଇ ଦିନ ପୂର୍ବରୁ ଅର୍ଥାତ ଏପ୍ରିଲ୍ ୨୭ ତାରିଖରେ ବିଜେଡି ପକ୍ଷରୁ ବାଚସ୍ପତିଙ୍କୁ ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ସଂକ୍ରାନ୍ତୀୟ ଦାବିପତ୍ର ପ୍ରଦାନ କରାଗଲା। 

ଦଳକୁ ଫେରାଇ ଆଣିବାକୁ ଚାଲିଲାଣି ଆଲୋଚନା 
ସରକାରଙ୍କ ସମର୍ଥନ ପାଉନାହାନ୍ତି ନିଲମ୍ବିତ ବିଧାୟକ

ଜୁନ୍ ୨୨ ତାରିଖରେ ବାଚସ୍ପତି ତାଙ୍କ ନିଷ୍ପତ୍ତି ଶୁଣାଇ ଉଭୟ ବିଜେଡି ଓ କଂଗ୍ରେସର ଆବେଦନକୁ ନାକଚ କରିଦେଇଥିଲେ। ଦାଏର ହୋଇଥିବା ପିଟିସନ୍‌ଗୁଡ଼ିକରେ ଆଇନଗତ ପ୍ରକ୍ରିୟାକୁ ସମ୍ପୂଣ୍ଣ ଭାବେ ପାଳନ କରାଯାଇ ନାହିଁ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ କୁହାଯାଇଥିଲା। ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିଜେଡି ଓ କଂଗ୍ରେସ ବିରୋଧ କରିଥିଲେ। ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି କହିଥିଲେ। 

ବାଚସ୍ପତି ରାୟ ଶୁଣାଇବାରେ ଏହା ମଧ୍ୟରେ ଅଢ଼େଇ ମାସ ବିତିଗଲାଣି। ନା ବିଜେଡି ନା କଂଗ୍ରେସ, କେହି ବି କୋର୍ଟଙ୍କ ଦ୍ବାରସ୍ଥ ହୋଇ ନାହାନ୍ତି। ଯେ କୌଣସି ନିର୍ବାଚନ ସଂକ୍ରାନ୍ତୀୟ ମାମଲା ୪୫ ଦିନ ଭିତରେ ହେବାର ବ୍ୟବସ୍ଥା ରହିଛି। ଏହି ସମୟ ଅତିକ୍ରାନ୍ତ ହୋଇଗଲାଣି। ତେଣୁ ଉଭୟ ଦଳ ଆଉ କୋର୍ଟକୁ ଯିବାର ସମ୍ଭାବନା କମ୍। ଯଦି ବି କୋର୍ଟକୁ ଯାଆନ୍ତି, ତେବେ ସେମାନଙ୍କ ଆବେଦନ ଉପରେ ବିଚାର ନ ହୋଇପାରେ। ଆହୁରି ମଧ୍ୟ ରାଜ୍ୟସଭା ନିର୍ବାଚନରେ ହ୍ବିପ୍‌ ମାନିବାକୁ ବିଧାୟକ ବାଧ୍ୟ ନୁହନ୍ତି। ତେଣୁ ଏହି ମାମଲା ସପକ୍ଷରେ ଯୁକ୍ତି ଦୃଢ଼ ହୋଇ ନପାରେ। ଆହୁରି ମଧ୍ୟ ଶାସକ ଦଳର ଦୁଇ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଉପାସନା ମହାପାତ୍ରଙ୍କୁ ମତଦାନ ବେଳେ ଦ୍ବିତୀୟ ବାଲଟ୍ ଯୋଗାଯାଇଥିବାରୁ ବିଜେଡି ତାହାର ପ୍ରତିବାଦ କରିଥିଲା। ଏ ନେଇ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲା। ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେଡିର ଏହି ଅଭିଯୋଗ ଶୁଣାଣି କରିଥିଲେ। କିନ୍ତୁ ଦ୍ବିତୀୟ ବାଲଟ୍‌ ଯୋଗାଣରେ କିଛି ଭୁଲ୍ ହୋଇ ନାହିଁ ବୋଲି ସିଇଓ କହିଥିଲେ। ଏହି ପ୍ରସଙ୍ଗରେ ବିଜେଡି ଆଇନର ଆଶ୍ରୟ ନେବ ବୋଲି କହିଥିଲା, କିନ୍ତୁ ତାହା ମଧ୍ୟ ହେଲା ନାହିଁ। 

ସବୁଠାରୁ ରୋଚକ ବିଷୟ ହେଲା, ନିଲମ୍ବିତ ବିଧାୟକଙ୍କୁ ଦଳକୁ ଫେରାଇ ଆଣିବା ପାଇଁ ଉଭୟ ବିଜେଡି ଓ କଂଗ୍ରେସରେ କସରତ ଆରମ୍ଭ ହେଲାଣି। ବିଜେଡିର ତିନି ଓ କଂଗ୍ରେସର ଜଣେ ବିଧାୟକ ଦଳକୁ ଫେରିବା ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଗଲାଣି। ଉଭୟ ଦଳରେ କିଛି ବରିଷ୍ଠ ନେତା ବେଶ୍‌ ସତର୍କତାର ସହ ମଧ୍ୟସ୍ଥତା କରୁଛନ୍ତି। ସେଥି ପାଇଁ ନିଲମ୍ବିତ ହୋଇଥିବା ବିଧାୟକମାନଙ୍କ ନିର୍ବାଚନମଣ୍ଡଳୀରେ ଏ ଯାଏଁ ଦ୍ବିତୀୟ ଧାଡ଼ିର ନେତାଙ୍କୁ ସମ୍ପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ବ ଦିଆଯାଉ ନାହିଁ। ଏମିତିରେ ବି କ୍ରସ୍ ଭୋଟିଂ କରି ଦଳରୁ ନିଲମ୍ବିତ ହେବାର କିଛି ମାସ ପରେ ସେହି ଦଳକୁ ଫେରିବାର ଉଦାହରଣ ଅତୀତରେ ରହିଛି। ତେଣୁ ରାଜନୀତିରେ ସବୁ ସମ୍ଭବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଯେ ଶାସକ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇଥିବା ବିଧାୟକମାନେ ସରକାରଙ୍କ ସମର୍ଥନ ପାଇବେ ବୋଲି ଆଶା ରଖିଥିଲେ। ବିଶେଷ କରି ନିଜ ନିର୍ବାଚନମଣ୍ଡଳୀରେ ବିଭିନ୍ନ କାମରେ ସେମାନଙ୍କ ପତିଆରା ଠିକ୍ ରହିବ ବୋଲି ଭାବିଥିଲେ। କିନ୍ତୁ ସେପରି କିଛି ଘଟୁ ନାହିଁ। ଗୋଟିଏ ଦୁଇଟି ନିର୍ବାଚନମଣ୍ଡଳୀକୁ ଛାଡ଼ିଦେଲେ ଅନ୍ୟଗୁଡ଼ିକରେ ଏହି ବିଧାୟକମାନେ ସରକାରଙ୍କ ସହଯୋଗ ଓ ସମର୍ଥନ ପାଇ ପାରୁନାହାନ୍ତି। ବିଜେପିର ତୃଣମୂଳ ସ୍ତରର ନେତା ଓ ପରାଜିତ ପ୍ରାର୍ଥୀମାନେ ସେମାନଙ୍କ ବାଟ ଓଗାଳିବାର କୌଣସି ସୁଯୋଗ ହାତଛଡ଼ା କରୁ ନାହାନ୍ତି। ଉପର ମହଲରେ ବିଧାୟକମାନେ ଏହା ଜଣାଉଥିଲେ ବି କିଛି ସୁଫଳ ମିଳୁନି। ତେଣୁ ଏମିତି ତ୍ରିଶଙ୍କୁ ପରିସ୍ଥିତିରେ ରହିବା ଅପେକ୍ଷା ସୁଯୋଗ ଦେଖି ନିଜ ଦଳକୁ ଫେରିଗଲେ ଭଲ ବୋଲି କିଛି ବିଧାୟକ ନିଜ ସମର୍ଥକଙ୍କୁ କହୁଥିବା ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.