ARTICLE AD BOX
ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ବେତନଟୀ ବ୍ଲକ ଅଧୀନ ସନ୍ତରା ପଞ୍ଚାୟତର ସନ୍ତରା ଗ୍ରାମ ୧୦ ନମ୍ବର ୱାର୍ଡରେ ପ୍ରତିବର୍ଷ ଲଗାଣ ବର୍ଷା ହେଲେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷରୁ ବର୍ଷାଜଳ ନିଷ୍କାସନ ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଶନିବାର ସକାଳ ପ୍ରାୟ ୭ଟାରୁ ଗ୍ରାମବାସୀମାନେ ଜରକାଛକ–ମେର୍ଦା ରାସ୍ତାର ଡାକଘର ନିକଟରେ ରାସ୍ତାରୋକ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି । ଫଳରେ ଉଭୟ ପାର୍ଶ୍ୱରେ ଶତାଧିକ ଛୋଟ ଓ ବଡ଼ ଯାନବାହାନ ଦୀର୍ଘ ସମୟ ଧରି ଅଟକି ରହିଛି ।
ରାସ୍ତା ସମ୍ପୂର୍ଣ୍ଣ ଜଳମଗ୍ନ
ଲଗାଣ ବର୍ଷା ଯୋଗୁଁ ସନ୍ତରା ପଞ୍ଚାୟତର ସନ୍ତରା ମଦାସାହି ରାସ୍ତା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି। ଏହାର ପ୍ରଭାବରେ ପ୍ରାୟ ୨୦୦ରୁ ଅଧିକ ପରିବାର ପାଣି ଘେରରେ ଫସି ରହିଥିବା ବେଳେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଏହି ପରିସ୍ଥିତିରେ ଗ୍ରାମବାସୀମାନେ ବଜାର, ବିଦ୍ୟାଳୟ, ଚିକିତ୍ସାଳୟ ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ବାହାରକୁ ଯିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା ଓ ରୋଗୀମାନେ ଅଧିକ ହଇରାଣ ହେଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।
Two Die: ବିଦ୍ୟୁତ୍ ଆଘାତରେ ଚାଷ ଜମିରେ ଚାଲିଗଲା ଜଣେ ମହିଳା ଓ ଚାଷୀଙ୍କ ଜୀବନ
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ଧରି ବର୍ଷାଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ନଥିବାରୁ ପ୍ରତ୍ୟେକ ବର୍ଷ ବର୍ଷା ଋତୁରେ ସମାନ ସମସ୍ୟା ଦେଖାଦେଉଛି। ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଶେଷରେ ବାଧ୍ୟ ହୋଇ ରାସ୍ତାରୋକ ଆନ୍ଦୋଳନର ପନ୍ଥା ଆପଣାଇଥିବା ସେମାନେ ପ୍ରକାଶ କରିଛନ୍ତି। ଗ୍ରାମବାସୀମାନେ ତୁରନ୍ତ ଜମିଥିବା ବର୍ଷାଜଳ ନିଷ୍କାସନ ସହିତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା ଓ ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବାକୁ ଦାବି କରିଛନ୍ତି। ପ୍ରଶାସନ ଶୀଘ୍ର ହସ୍ତକ୍ଷେପ କରି ଲୋକଙ୍କ ଦୁର୍ଦ୍ଦଶା ଦୂର କରିବ ବୋଲି ସ୍ଥାନୀୟ ବାସିନ୍ଦାମାନେ ଆଶା ପ୍ରକାଶ କରିଛନ୍ତି।

2 weeks ago
9


