Rain: ବର୍ଷା ଆଉ ୨୪ ଘଣ୍ଟା: ଆଜି ପୂର୍ବାହ୍ଣ ଯାଏଁ ୮ ଜିଲ୍ଲାକୁ ରେଡ୍ ଆଲର୍ଟ

4 weeks ago 13
ARTICLE AD BOX

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବାରୁ ଜନଜୀବନ ବହୁ ପରିମାଣରେ ପ୍ରଭାବିତ ହୋଇଛି। ସ୍ଥାନେ ସ୍ଥାନେ ଜଳବନ୍ଦି ଭଳି ସ୍ଥିତି ଉପୁଜିଛି। ଲଗାଣ ବର୍ଷା ଫଳରେ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷାର ପ୍ରକୋପ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ସୋମବାର ପୂର୍ବାହ୍ଣ ମଧ୍ୟରେ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଏବଂ ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ରେଡ୍‌ ଆଲର୍ଟ ଜାରି ହୋଇଛି।

ଏହି ସମୟ ମଧ୍ୟରେ ଯାଜପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲାର କେ‌ତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ଆଲର୍ଟ ଦିଆଯାଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ପାଗରେ ସୁଧାର ଆସିବ ଏବଂ ବର୍ଷା ପରିମାଣ କମିବ। ତଥାପି ବରଗଡ଼, ସମ୍ବଲପୁର, ଅନୁଗୋଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ପରବର୍ତ୍ତୀ ଦୁଇଦିନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। 

ଝାଡ଼ଖଣ୍ଡ ଓ ଛତିଶଗଡ଼ମୁହାଁ ଅବପାତ

ଅନ୍ୟପକ୍ଷରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅବପାତ ଅପରାହ୍ଣ ସାଢ଼େ ୨ଟା ବେଳକୁ ବାଲେଶ୍ବର ନିକଟବର୍ତ୍ତୀ 

ଚାନ୍ଦିପୁର ଓ ଦୀଘା ମଧ୍ୟରେ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ରିପୋର୍ଟ ଲେଖାଯିବା ବେଳକୁ ଅବପାତ ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢ଼ୁଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଅତିକ୍ରମ କରିବ। ପ୍ରଭାବରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ  ଓଡ଼ିଶା ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ଝଡ଼ପବନ ସହ ପ୍ରତିକୂଳ ପାଣିପାଗ ଜାରି ରହିବ। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ଏବଂ ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାରେ ସର୍ବାଧିକ ୨୮ ସେମି, ଫୁଲବାଣୀରେ ୨୨ ସେମି, ଜି.ଉଦୟଗିରିରେ ୨୨ ସେମି, ଟିକାବାଲିରେ ୨୨ ସେମି, ବାଲିଗୁଡ଼ାରେ ୨୧ ସେମି, ଚକାପାଦରେ ୨୧ ସେମି, ବଲାଙ୍ଗୀର ତୁରେକେଲାରେ ୨୬ ସେମି, ଟିଟିଲାଗଡ଼ରେ ୨୧ ସେମି ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.