ARTICLE AD BOX
ରୁପ୍ରା (ଅଜୟ ସେନାପତି): କଳାହାଣ୍ଡିଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ସମେତ କର୍ମେ ଗାଁ, ଭୀମକେଲା, ଭାନପୁର, ଘୋଡ଼ାବନ୍ଧ, ପଲମ, ଟକର୍ଲା, ଗିଗିନା ଓ ମୁସ୍କୁଟି ପଂଚାୟତର ସମସ୍ତ ଗ୍ରାମରେ ଶୁକ୍ରବାର ରାତିରୁ ଚଳିତ ମୌସୁମୀ ଋତୁର ପ୍ରଥମ ଲଘୁଚାପ ପ୍ରଭାବରେ ତୁହାକୁତୁହା ଝିପି ଝିପି ବର୍ଷା ହେଉଥିବା ବେଳେ ଶନିବାର ରାତିସାରା ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା l ସେହିପରି ତିନିଦିନ ହେଲା ଏପରିକି ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ଲାଗିରହିଛି l ଫଳରେ ବିଭିନ୍ନ ଗ୍ରାମ୍ୟ ରାସ୍ତା ସମେତ ଅନେକ ତଳିଆ ଜାଗାରେ ବର୍ଷାପାଣି ଜମିରହିଥିବା ଦେଖିବାକୁ ମିଳିଛି l
ନଳକୂପର ସୌର ପ୍ରକଳ୍ପରୁ ପାଣି ବାହାରି ପାରୁନାହିଁ
ମେଘ ଢାଙ୍କି ରହିଥିବାରୁ ରୁପ୍ରାର ଅନେକ ନଳକୂପର ସୌର ପ୍ରକଳ୍ପରୁ ପାଣି ବାହାରି ପାରୁନାହିଁ, ଫଳରେ ଲୋକେ ପାନୀୟ ଜଳ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ରୁପ୍ରା ଆମ୍ବେଦକର ଛକରେ ଥିବା ନଳକୂପ ପରିସରରେ ଆଣ୍ଠୁଏ ପାଣି ଜମି ରହିଥିବାରୁ ଲୋକେ ପାଣି ନେବାପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଦୃଷ୍ଟି ଗୋଚର ହୋଇଛି, ସେହିପରି ନଳକୂପ ପରିସରରେ ଜମି ରହିଥିବା ଦୂଷିତ ମଇଳା ପାଣି ନଳକୂପ ଭିତରକୁ ପସିଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି l ତେବେ ରୁପ୍ରାରେ ବିପର୍ଯ୍ୟସ୍ତ ଡ୍ରେନ ସମସ୍ୟା ଯୋଗୁଁ ଗ୍ରାମର ମୁଖ୍ୟରାସ୍ତାରୁ ଅଙ୍ଗନବାଡି କେନ୍ଦ୍ର - ୧କୁ ଯାଇଥିବା ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଥିବାରୁ ଗମନାଗମନ ସମୟରେ ସ୍ଥାନୀୟ ଲୋକେ ତଥା ଅଙ୍ଗନବାଡି କେନ୍ଦ୍ରର କୁନିକୁନି ପିଲାମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସେହିପରି ରୁପ୍ରା ପେକ୍ସ ରାସ୍ତା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସମ୍ମୁଖ ରାସ୍ତା, ପୂର୍ବତନ ବ୍ଲକ ଅଧ୍ୟକ୍ଷl ବବିତା ସାହୁଙ୍କ ଗଳି ରାସ୍ତା, ତ୍ରିନାଥ ମନ୍ଦିର ଛକରୁ ଷ୍ଟେଟବ୍ୟାଙ୍କକୁ ସଂଯୋଗ କରୁଥିବା ଛକ ରାସ୍ତା ସମେତ ଅନ୍ୟାନ୍ୟ ରାସ୍ତା ମାନଙ୍କରେ ମଧ୍ୟ ବର୍ଷାଜଳ ସମେତ ନଳକୂପ ଓ ଘରୋଇ ବ୍ୟବହାର ବଳକା ଦୂଷିତ ପାଣି ପ୍ରବାହିତ ହେଉଛି, ଫଳରେ ମଶା ମାଛିଙ୍କ ବଂଶ ବୃଦ୍ଧି ହେବା ଆଶଙ୍କା ସୃଷ୍ଟି ହୋଇଛି l ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଲୋକେ ଦାବୀ କରିଛନ୍ତି l
ସେହିପରି ତିନିଦିନ ହେଲା ତୁହାକୁ ତୁହା ବର୍ଷା ହେଉଥିବାରୁ ମାଟିଘର ଭୁଶୁଡ଼ିବା ଆଶଙ୍କା ଥିବାରୁ ଗରିବ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ବର୍ଷା ପ୍ରଭାବରେ ରୋପଣ ହୋଇଥିବା କପା ଗଜା ହୋଇନପାରି ପଚିଯିବା ଆଶଙ୍କା ଦେଖାଦେଇଛି। ତେବେ ବର୍ଷା ଜାରି ରହିଲେ ବୁଣା ଯାଇଥିବା ଧାନ ମଧ୍ୟ ନଷ୍ଟ ହେବା ସମ୍ଭାବନା ରହିଥିବାରୁ ଚାଷୀମାନେ ଚିନ୍ତିତ ରହିଛନ୍ତି l ସେହିପରି ପହିଲି ବର୍ଷାରେ କୁନି ଶିଶୁମାନେ କାଗଜ ଡ଼ଙ୍ଗା ଭସାଉଥିବାର ଦେଖିବାକୁ ମିଳିଛି l

4 weeks ago
12


