ARTICLE AD BOX
ନୂଆଦିଲ୍ଲୀ: ଜୁଲାଇ ୨୦ ତାରିଖରେ କକ୍ରୋଚ୍ ଜନତା ପାର୍ଟିର ‘ଚଲୋ ସଂସଦ’ ଆନ୍ଦୋଳନ ଯାତ୍ରା ସମୟରେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ କଡ଼ା ନିନ୍ଦା କରିଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ବାହାରେ ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ କଂଗ୍ରେସ ନେତାମାନେ ଧାରଣାରେ ବସିଥିବାବେଳେ ପୁଲିସ ସେମାନଙ୍କୁ ଧାରଣା ସ୍ଥଳରୁ ବଳପୂର୍ବକ ଉଠାଇ ନେଇଥିଲା। ଏହି ୨ଟି ଘଟଣାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ଆଜି ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ କରିଛନ୍ତି।
ତାମିଲନାଡ଼ୁର ଚେନ୍ନାଇରେ କଂଗ୍ରେସ କର୍ମୀମାନେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସର ଲାଠିମାଡ଼କୁ ବିରୋଧ କରି ଆନ୍ଦୋଳନ କରିଛନ୍ତି। କେରଳର ପଲକ୍କଡ଼ରେ ଯୁବ କଂଗ୍ରେସ ଏବଂ କେରଳ ଛାତ୍ର ସଂଗଠନ (କେଏସ୍ୟୁ) ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଏକ ପଦଯାତ୍ରା କରି ତାଙ୍କ ଇସ୍ତଫା ଦାବି କରିଛନ୍ତି। ସେହିପରି କର୍ଣ୍ଣାଟକର ବେଙ୍ଗାଲୁରୁରେ କଂଗ୍ରେସ ଲିଗାଲ୍ ସେଲ୍ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଆନ୍ଦୋଳନ କରିଛି। ଗୁଜରାଟର ସୁରତରେ କଂଗ୍ରେସ କର୍ମୀମାନେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଅଟକକୁ ବିରୋଧ କରି ଆନ୍ଦୋଳନ କରିଥିବାବେଳେ କିଛି କଂଗ୍ରେସ କର୍ମୀଙ୍କୁ ଏଠାରେ ପୁଲିସ ଅଟକ ରଖିଛି। ସେହିପରି ତେଲେଙ୍ଗାନା କଂଗ୍ରେସ ଆଜି ହାଇଦ୍ରାବାଦ ଲୋକଭବନରେ ଆନ୍ଦୋଳନ କରିଛି। ରାହୁଲ ଗାନ୍ଧୀଙ୍କ ଅଟକକୁ କଡ଼ା ନିନ୍ଦା କରି ତେଲେଙ୍ଗାନା କଂଗ୍ରେସ ଏହି ଆନ୍ଦୋଳନ କରିଛି। କଂଗ୍ରେସ କର୍ମୀମାନେ ‘ଚଲୋ ଲୋକଭବନ’ ପଦଯାତ୍ରା ପାଇଁ ଏକଜୁଟ ହୋଇଥିବାବେଳେ ଲୋକଭବନ ବାହାରେ ମଧ୍ୟ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।
ଇତି ମଧ୍ୟରେ ବିଜେପି ମଧ୍ୟ ଏକାଧିକ ରାଜ୍ୟରେ ପାଲଟା ଆନ୍ଦୋଳନ କରିଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ କଂଗ୍ରେସ ଆନ୍ଦୋଳନକୁ ବିରୋଧ କରି ବିଜେପି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ କରିଛି। ହାଇଦ୍ରାବାଦରେ ତେଲେଙ୍ଗାନା ବିଜେପି ସଭାପତି ରାମଚନ୍ଦ୍ର ରାଓ ଓ ଅନ୍ୟ ଦଳୀୟ ନେତାମାନେ ରାଜ୍ୟ ବିଜେପି ମୁଖ୍ୟାଳୟରୁ କଂଗ୍ରେସ ଅଫିସ ଅଭିମୁଖେ ଆନ୍ଦୋଳନ ଆରମ୍ଭ କରିଥିବାବେଳେ ପୁଲିସ ଦ୍ବାରା ଅଟକ ରହିଛନ୍ତି। ବିଜେପି କର୍ମୀମାନେ ମଧ୍ୟ ଜମ୍ମୁସ୍ଥିତ କଂଗ୍ରେସ ଅଫିସ୍ ବାହାରେ ଆନ୍ଦୋଳନ କରିଛନ୍ତି।
CJP Protest: ସିଜେପି ଆନ୍ଦୋଳନକୁ ବଲିଉଡ୍ କଳାକାରଙ୍କ ସମର୍ଥନ
ଜମ୍ମୁରେ ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ସ୍ଥିତି ଉପୁଜିଥିଲା। ପରେ ସ୍ଥିତି ସ୍ବାଭାବିକ କରିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ କଂଗ୍ରେସ ଧାରଣାକୁ ବିରୋଧ କରି ଆନ୍ଦୋଳନ କରାଯାଇଥିଲା। ଏଠାରେ ମଧ୍ୟ ବିଜେପି ଓ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ଇତି ମଧ୍ୟରେ ଆଜି ବିରୋଧୀ ସାଂସଦମାନେ କଳା ପୋଷାକ ପିନ୍ଧି ସଂସଦ ପରିସରରେ ଆନ୍ଦୋଳନ କରିଛନ୍ତି।

1 week ago
7


