ARTICLE AD BOX
ନୂଆଦିଲ୍ଲୀ: ନିଟ୍ ପେପର୍ ଲିକ୍ ବିବାଦକୁ ନେଇ ବିରୋଧୀମାନଙ୍କର ଆନ୍ଦୋଳନ ତୀବ୍ର ହୋଇଥିବାବେଳେ କେନ୍ଦ୍ର ସରାକାର ଆଜି ସ୍ପଷ୍ଟ କରିଛନ୍ତି ଯେ ସରକାର ଏହି ପ୍ରସଙ୍ଗରେ ସଂସଦରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ବିରୋଧୀ ଦଳ ନେତାମାନେ ପ୍ରଥମେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ବାହାରେ କଂଗ୍ରେସ ଧାରଣା ଏବଂ ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ଜାରି ରହିଥିବାବେଳେ ସରକାର ସଂସଦରେ ଉକ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ଲୋକସଭାରେ ସରକାରଙ୍କ ସ୍ଥିତି ସ୍ପଷ୍ଟ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କୀରଣ ରିଜିଜୁ କହିଛନ୍ତି, ସରକାର ନିଟ୍ ପେପର୍ ଲିକ୍ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି, ଆଲୋଚନାର ନିୟମ, ତାରିଖ ଏବଂ ଅବଧି ସ୍ଥିର କରିବାପାଇଁ ଏକ ସର୍ବଦଳୀୟ ବୈଠକ ଡାକିବାପାଇଁ କେନ୍ଦ୍ର ସରକାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଅନୁରୋଧ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଦେଶର ଯୁବବର୍ଗଙ୍କ ଭବିଷ୍ୟତ ପାଇଁ ଏକ ଗଠନମୂଳକ ଆଲୋଚନା ହେବା ଉଚିତ ଏବଂ ସରକାର ଏହା ଚାହାନ୍ତି ବୋଲି ସେ କହିଛନ୍ତି।
ତେବେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଥିବା ସତ୍ତ୍ବେ ବିରୋଧୀମାନେ କେନ୍ଦ୍ର ସରକାରଙ୍କ ଉପରେ ପୁଣି ଆକ୍ରମଣ କରିଛନ୍ତି ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏପର୍ଯ୍ୟନ୍ତ କାହିଁକି ହଟାଯାଇନି ବୋଲି ପ୍ରଶ୍ନ କରିଛନ୍ତି। ସମାଜବାଦୀ ପାର୍ଟି ସୁପ୍ରିମୋ ଏବଂ ସାଂସଦ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ ସରକାର ଶିକ୍ଷା ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି। ଅଖିଳେଶ କହିଛନ୍ତି, ସରକାର କାହିଁକି ଏହି ମନ୍ତ୍ରୀଙ୍କୁ ହଟାଇବାପାଇଁ ଅସମର୍ଥ ଏବଂ ସରକାରଙ୍କ ଉପରେ କ’ଣ ଚାପ ରହିଛି ତାହା ଆମେ ଚିନ୍ତା କରିବା ଉଚିତ। ଉକ୍ତ ମନ୍ତ୍ରୀ କ’ଣ ସରକାରଙ୍କର କିଛି ଗୁପ୍ତ କଥା ଜାଣିଛନ୍ତି କି। ସରକାର ଭୟଭୀତ ହୋଇ କାମ କରୁଛନ୍ତି ବୋଲି ଅଖିଳେଶ କହିଛନ୍ତି।

1 week ago
6


