ARTICLE AD BOX
ମୁମ୍ବାଇ: ଟେଲିଭିଜନଠାରୁ ବଲିଉଡ୍ ପର୍ଯ୍ୟନ୍ତ ନିଜର ଅଭିନୟରେ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରାଚୀ ଦେଶାଇ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୭ ବର୍ଷ ବୟସରେ ଟେଲିଭିଜନରୁ ଅଭିନୟ ଜୀବନ ଆରମ୍ଭ କରିଥିବା ପ୍ରାଚୀ ପରେ ଅନେକ ବଲିଉଡ୍ ଫିଲ୍ମରେ କାମ ମଧ୍ୟ କରିଛନ୍ତି।
୧୭ ବର୍ଷ ବୟସରେ ଟିଭିରେ ଡେବ୍ୟୁ
ପ୍ରାଚୀ ଦେଶାଇଙ୍କ ଜନ୍ମ ୧୯୮୮ ସେପ୍ଟେମ୍ବର ୧୨ରେ ଗୁଜୁରାଟର ସୁରଟରେ ହୋଇଥିଲା। ଅଭିନୟ ପ୍ରତି ଆଗ୍ରହ ଥିବାରୁ ମାତ୍ର ୧୭ ବର୍ଷ ବୟସରେ ସେ ଟେଲିଭିଜନରେ ପାଦ ଥାପିଥିଲେ। ୨୦୦୬ରେ ଏକତା କପୁରଙ୍କ ଧାରାବାହିକ ‘କସମ୍ ସେ’ ଜରିଆରେ ସେ ଅଭିନୟ ଆରମ୍ଭ କରିଥିଲେ। ଏଥିରେ ସେ ରାମ କପୁରଙ୍କ ବିପକ୍ଷରେ ଅଭିନୟ କରିଥିଲେ। ଅଭିନୟ ସହ ପ୍ରାଚୀ ନୃତ୍ୟରେ ମଧ୍ୟ ଦକ୍ଷ। ୨୦୦୭ରେ ସେ ଲୋକପ୍ରିୟ ନୃତ୍ୟ ରିଆଲିଟି ସୋ’ ‘ଝଲକ ଦିଖଲା ଜା’ର ଦ୍ୱିତୀୟ ସିଜନ୍ର ବିଜୟିନୀ ହୋଇଥିଲେ।
‘ରକ୍ ଅନ୍’ରୁ ବଲିଉଡ୍ ଯାତ୍ରା
୨୦୦୮ରେ ‘ରକ୍ ଅନ୍!!’ ଫିଲ୍ମ ଜରିଆରେ ପ୍ରାଚୀ ବଲିଉଡରେ ପ୍ରବେଶ କରିଥିଲେ। ପରେ ସେ ‘ଲାଇଫ୍ ପାର୍ଟନର’, ‘ୱନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ’, ‘ବୋଲ ବଚ୍ଚନ’, ‘ତେରି ମେରି କାହାନୀ’, ‘ଆଇ, ମି ଔର୍ ମୈଁ’, ‘ପୁଲିସଗିରି’, ‘ଅଜହର’ ଏବଂ ‘ରକ୍ ଅନ୍ ୨’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ‘ବୋଲ ବଚ୍ଚନ’ ଫିଲ୍ମର ସୁଟିଂ ସମୟରେ ପ୍ରାଚୀ ଦେଶାଇ ଓ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିବା ନେଇ ଖବର ପ୍ରକାଶ ପାଇଥିଲା। ଉଭୟଙ୍କ ସମ୍ପର୍କକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା। ତେବେ ଏହି ସମ୍ପର୍କ ଦୀର୍ଘ ସମୟ ଚାଲି ନଥିଲା।
ଏବେ କ’ଣ କରୁଛନ୍ତି ପ୍ରାଚୀ?
ପ୍ରାଚୀ ଦେଶାଇ ଏବେ ଅଭିନୟ କ୍ଷେତ୍ରରେ ସକ୍ରିୟ ନାହାନ୍ତି। ୨୦୨୪ରେ ଜି୫ରେ ମୁକ୍ତିଲାଭ କରିଥିବା ଥ୍ରିଲର୍ ଫିଲ୍ମ ‘ସାଇଲେନ୍ସ ୨: ଦ ନାଇଟ୍ ଆଉଲ୍ ବାର୍ ସୁଟଆଉଟ୍’ରେ ସେ ଶେଷଥର ପାଇଁ ନଜର ଆସିଥିଲେ। ବର୍ତ୍ତମାନ ତାଙ୍କ ହାତରେ କୌଣସି ନୂଆ ପ୍ରୋଜେକ୍ଟ ବା କାମ ନଥିବା ସୂଚନା ମିଳିଛି।

6 days ago
7


