ARTICLE AD BOX
ନୂଆଦିଲ୍ଲୀ: ଇ୨୦ ପେଟ୍ରୋଲ୍ର ଖରାପ ଦିଗକୁ ନେଇ ଚାଲିଥିବା ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏଥିରେ ଭାରତୀୟ ଗାଡ଼ି ନିର୍ମାତା ସଂଘ (ସିଆମ୍) ସାମିଲ ହୋଇଛି। ଗାଡ଼ିରେ ପକାଯାଉଥିବା ତେଲରେ କ୍ଲୋରାଇଡ୍ ମାତ୍ରା ଅଧିକ ରହୁଥିବାରୁ ବିଭିନ୍ନ ପାର୍ଟସ୍ ଖରାପ ହେଉଛି। ତେଣୁ କ୍ଲୋରାଇଡ୍ର ଏକ ବାଧ୍ୟତାମୂଳକ ସୀମା ଧାର୍ଯ୍ୟ କରିବା ପାଇଁ ପଦକ୍ଷେପ ନେବାକୁ ସିଆମ୍ ପକ୍ଷରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି।
ତେଲରେ ଅତ୍ୟଧିକ ଆର୍ଦ୍ରତା ସ୍ତରକୁ ନେଇ ମଧ୍ୟ ସଂଘ ଚିନ୍ତା ପ୍ରକଟ କରିଛି। ସର୍ବୋଚ୍ଚ ଆର୍ଦ୍ରତା ସୀମା କେଜି ପିଛା ୩୦୦୦ ମିଲିଗ୍ରାମ ରହିଛି, କିନ୍ତୁ କେତେକ ମାମଲାରେ ଏହି ସ୍ତର କେଜି ପିଛା ୧୦,୦୦୦ ମିଲିଗ୍ରାମ ଅତିକ୍ରମ କରିଯାଉଥିବା ସିଆମ୍ ଜଣାଇଛି। ଆର୍ଦ୍ରତା ସ୍ତର ଅଧିକ ରହିଲେ ଗାଡ଼ିରେ ତେଲ ପକାଇବା ପରେ ତାହା ହଠାତ୍ ଅଚଳ ହୋଇଯିବା ଆଶଙ୍କା ରହିଛି।
Petrol:ଇ୨୦ ପେଟ୍ରୋଲ୍ରେ ମାଇଲେଜ୍ ୫% ପର୍ଯ୍ୟନ୍ତ କମୁଛି -ଇଞ୍ଜିନ କ୍ଷତି ଅଭିଯୋଗକୁ ଖଣ୍ଡନ
ସିଆମ୍ର ଚିଠି ଉପରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ମତ ରଖି କହିଛି ଯେ ତୈଳ କମ୍ପାନିଗୁଡ଼ିକ ନିୟମିତ ବ୍ୟବଧାନରେ ତେଲର ମାନ ପରୀକ୍ଷା କରୁଛନ୍ତି। ଦେଶରେ ଥିବା ୮୭,୦୦୦ରୁ ଅଧିକ ପେଟ୍ରୋଲ୍ ପମ୍ପ୍ରେ ପ୍ରତିଦିନ ୮-୧୨ ଥର ପାଣି ପଶିବା ପରୀକ୍ଷା କରାଯାଉଛି। କ୍ଲୋରାଇଡ୍ ଓ ସଲ୍ଫର୍ ସ୍ତରକୁ ନେଇ ୨୦୦୦ରୁ ଅଧିକ ନମୁନା ପରୀକ୍ଷଣ କରାଯାଇଥିଲା। ସେଥିରୁ ମାତ୍ର ଦୁଇଟି ମାମଲାରେ କ୍ଲୋରାଇଡ୍ ସ୍ତର ଅଧିକ ଥିବା ଜଣାପଡ଼ିଥିଲା। ସେହି ଦୁଇ ପେଟ୍ରୋଲ୍ ପମ୍ପ୍ରେ ତେଲ ବିକ୍ରି ବନ୍ଦ କରିଦିଆଯାଇଛି। ଅପମିଶ୍ରଣ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ମନ୍ତ୍ରଣାଳୟ କହିଛି।
ଚିଠିରେ ସିଆମ୍ ଜଣାଇଛି ଯେ କିଛି ଦିନ ମଧ୍ୟରେ ଇନ୍ଧନ କିମ୍ବା ଇଞ୍ଜିନ ଏମିସନ୍ ଗ୍ୟାସ୍ ସହ ଜଡ଼ିତ ଥିବା ଫୁଏଲ୍ ଇଞ୍ଜେକ୍ଟର, ଇନ୍ଧନ ପମ୍ପ, ଇଜିଆର୍ ଭାଲ୍ଭ, ଏଗ୍ଜଷ୍ଟ ସିଷ୍ଟମ୍ ଓ ଅନ୍ୟାନ୍ୟ ପାର୍ଟସ୍ରେ ଦେଖାଦେଉଥିବା ସମସ୍ୟା ଯଥେଷ୍ଟ ବଢ଼ିଯାଇଛି। ଖରାପ ହୋଇଥିବା କିଛି ପାର୍ଟସ୍କୁ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ ତେଲରେ କ୍ଲୋରାଇଡ୍ ମାତ୍ରା ଅଧିକ ରହୁଥିବାରୁ ପାର୍ଟସ୍ରେ କଳଙ୍କି ଲାଗୁଛି ଓ ସେଥିରେ କ୍ଷୟକ୍ଷତି ହେଉଛି। ଖରାପ ହୋଥିବା ପାର୍ଟସ୍ରୁ ମଧ୍ୟ କ୍ଲୋରାଇଡ୍ ଉଦ୍ଧାର କରାଯାଇଥିଲା। ଗାଡ଼ି ଟାଙ୍କିରୁ ସଂଗ୍ରହ କରାଯାଇଥିବା ତେଲ ପରୀକ୍ଷଣ ପରେ ସେଥିରେ କେଜି ପିଛା ୫୦୦ ମିଲିଗ୍ରାମ କ୍ଲୋରାଇଡ୍ ଓ ପେଟ୍ରୋଲ ପମ୍ପରୁ ସଂଗୃହୀତ ତେଲରେ କେଜି ପିଛା ୩୫୦ ଗ୍ରାମ ପର୍ଯ୍ୟନ୍ତ କ୍ଲୋରାଇଡ୍ ଥିବା ଜଣାପଡ଼ିଥିଲା। ଦେଶରେ ଇ୨୦ ପେଟ୍ରୋଲ୍ ବିକ୍ରି ହେବା ପରଠାରୁ କ୍ଲୋରାଇଡ୍ ଜନିତ ମାମଲା ଯଥେଷ୍ଟ ବଢ଼ିଯାଇଛି। ଇ୨୦ ପେଟ୍ରୋଲ୍ ପାଇଁ କ୍ଲୋରାଇଡ୍ ସୀମାକୁ କେଜି ପିଛା ୧ ମିଲିଗ୍ରାମ ଓ ଇ୮୫ ପେଟ୍ରୋଲ୍ ପାଇଁ କେଜି ପିଛା ୩ ମିଲିଗ୍ରାମ କରିବାକୁ ସରକାରଙ୍କୁ ସିଆମ୍ ପ୍ରସ୍ତାବ ଦେଇଛି। କ୍ଲୋରାଇଡ୍ର ଉତ୍ସ ଖୋଜି ବାହାର କରିବା ପାଇଁ ତୈଳ କମ୍ପାନିଗୁଡ଼ିକୁ କହିବାକୁ ମଧ୍ୟ ସରକାରଙ୍କୁ ନିବେଦନ କରାଯାଇଛି।

1 hour ago
2


