ARTICLE AD BOX
ଭୁବନେଶ୍ବର: ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପେନ୍ସନ୍ ପ୍ରକ୍ରିୟାକୁ ଅଧିକ ସହଜ ଓ ବ୍ୟବସ୍ଥିତ କରିବା ପାଇଁ ଏକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମଡେଲ୍ ପ୍ରସ୍ତୁତ କରାଯାଉଛି। ସେଥିପାଇଁ ସମସ୍ତ ବିଭାଗକୁ ସେମାନଙ୍କ ଅଧୀନରେ ଥିବା ବିଭିନ୍ନ ପଦବି ଓ କ୍ୟାଡର୍ ସମ୍ପର୍କିତ ବିସ୍ତୃତ ତଥ୍ୟ ଦେବାକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛି। ଏ ସଂକ୍ରାନ୍ତରେ ଅର୍ଥ ବିଭାଗର ଅନୁସଚିବ ସୁନୈନା ସିଂହ ସବୁ ବିଭାଗକୁ ଏକ ଚିଠି ଲେଖିଛନ୍ତି। ଆବଶ୍ୟକ ତଥ୍ୟ ସିଧାସଳଖ ପ୍ରମୁଖ ମହାଲେଖାକାରଙ୍କ କାର୍ଯ୍ୟାଳୟକୁ ପଠାଇବାକୁ କୁହାଯାଇଛି। ପେନ୍ସନ୍ ମାମଲାଗୁଡ଼ିକର ଯାଞ୍ଚ ପାଇଁ ଚଳିତ ମାସ ନଭେମ୍ବର ୧୫ ସୁଦ୍ଧା ଏକ ଏଆଇ ମଡେଲ୍ ବିକାଶ କରିବାକୁ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ନିର୍ଦ୍ଦେଶ ଦେଇଥିଲେ।
ସେ ସମ୍ପର୍କରେ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କୁ ଉପ ମହାଲେଖାକାର କେ ନାଗେଶ୍ବର ରାଓ ଏକ ଚିଠି ଜରିଆରେ ସୂଚିତ କରିଥିଲେ। ସେ କହିଥିଲେ, ବେତନ ନିର୍ଦ୍ଧାରଣର ଯାଞ୍ଚ ପାଇଁ କ୍ୟାଡର୍ ଓ ପଦବି ସମ୍ପର୍କିତ ସୂଚନା ଜରୁରୀ। କ୍ୟାଡର୍ ବର୍ଗରେ ପ୍ରାରମ୍ଭିକ ପଦରୁ ଆରମ୍ଭ କରି ସର୍ବୋଚ୍ଚ ପଦର ତଥ୍ୟ ଦେବାକୁ ସେ କହିଥିଲେ। ବିଭାଗଗୁଡ଼ିକୁ କର୍ମଚାରୀ କେଉଁ ପଦବିରୁ ପଦୋନ୍ନତି ପାଇ ପରବର୍ତ୍ତୀ କେଉଁ ପଦବିକୁ ଯାଇପାରିବେ, ତାହାର ସ୍ପଷ୍ଟ ବିବରଣୀ ଦେବାକୁ ପଡ଼ିବ। ଏହା ସହିତ ରିଭାଇଜ୍ଡ ଆସ୍ୟୁର୍ଡ କ୍ୟାରିୟର ପ୍ରୋଗ୍ରେସନ୍ (ଆର୍ଏସିପି) ଅନୁସାରେ ମିଳୁଥିବା ଗ୍ରେଡ୍ ପେ’ ଓ ବେତନ ସ୍ତର, ଦରମା ନିର୍ଦ୍ଧାରଣ ନିୟମ, ପଦୋନ୍ନତି ଓ ଆର୍ଥିକ ଉନ୍ନତି ସମ୍ପର୍କିତ ସରକାରୀ ନିୟମାବଳୀ ମଧ୍ୟ ଦାଖଲ କରିବାକୁ ହେବ।
ଏହା ବ୍ୟତୀତ ନିଯୁକ୍ତି ନିୟମ, ସେବା ନିୟମ, କ୍ୟାଡର ପୁନର୍ଗଠନ ଆଦେଶ, ଆର୍ଏସିପି ସମ୍ପର୍କିତ ସରକାରୀ ନିର୍ଦ୍ଦେଶନାମା ଓ ପରବର୍ତ୍ତୀ ସଂଶୋଧନର ନକଲ ମଧ୍ୟ ଦେବାକୁ କୁହାଯାଇଛି। କେଉଁ ନିୟମ କେବେଠାରୁ ଲାଗୁ ହୋଇଛି ଏବଂ କୌଣସି କ୍ୟାଡର୍ ପାଇଁ ସ୍ୱତନ୍ତ୍ର ନିୟମ ବା ଦରମା ନିର୍ଦ୍ଧାରଣ ବ୍ୟବସ୍ଥା ରହିଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ ତଥ୍ୟ ଦେବାକୁ ପଡ଼ିବ। ସମସ୍ତ ତଥ୍ୟକୁ ପଦବି ଓ କ୍ୟାଡର୍ ଅନୁସାରେ ଏକତ୍ର କରି ସମ୍ପୃକ୍ତ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରି ଦାଖଲ କରିବାକୁ ଅର୍ଥ ବିଭାଗ କହିଛି।

6 minutes ago
1


