ARTICLE AD BOX
ନୂଆଦିଲ୍ଲୀ: କାହାର ଗୋଡ଼ ଛଡ଼ାଇ ନେଇଥିଲା ଲ୍ୟାଣ୍ଡମାଇନ୍ ତ କିଏ ଦୁର୍ଘଟଣାରେ ହରାଇଥିଲେ ଅଙ୍ଗ। କିଏ ଖେଳିବାର ସ୍ୱପ୍ନ ପୂରଣ ପାଇଁ ବିକ୍ରି କରିଥିଲେ ନିଜ ଅଟୋ ରିକ୍ସା ତ ଆଉ କିଏ ଗାଁର କଚ୍ଚା ରାସ୍ତାରୁ ଦୌଡ଼ିଦୌଡ଼ି ପହଞ୍ଚିଥିଲେ ବିଶ୍ୱ ମଞ୍ଚରେ। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ (ଗ୍ଲାସଗୋ କମନୱେଲଥ୍ ଗେମ୍ସ)ରେ ଭାରତୀୟ ପାରା ଖେଳାଳିଙ୍କ ସଫଳତା କେବଳ ପଦକର କାହାଣୀ ନୁହେଁ; ବରଂ ଏହା ସଂଘର୍ଷ, ଜିଦ୍ ଓ ଅଦମ୍ୟ ସାହସର ଅନୁଭୂତି।
ଗ୍ଲାସଗୋରେ ଭାରତୀୟ ପାରା କ୍ରୀଡ଼ାବିତଙ୍କ ଐତିହାସିକ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ଦଳ ଜିତିଛି ୭ଟି ପଦକ। ସେଥିରେ ରହିଛି ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ । ସବୁଠୁ ବଡ଼ କଥା ହେଉଛି, ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୂର୍ବ ସମସ୍ତ ସଂସ୍କରଣରେ ଭାରତ ଯେତିକି ପାରା ପଦକ ଜିତିଥିଲା, ଗ୍ଲାସଗୋରେ ଏକାଥରେ ସେତିକି ପଦକ ହାସଲ କରିଛି। ଏହା ଭାରତର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସର ସର୍ବଶ୍ରେଷ୍ଠ ପାରା କ୍ରୀଡ଼ା ପ୍ରଦର୍ଶନ।
ଭାରତୀୟ ସେନାର ଦୁଇ ଖେଳାଳି ସୋମନ ରାଣା ଓ ଶୁଭମ ଜୁୟାଲ ଏଫ୍-୫୭ ସଟ୍ପୁଟ୍ରେ ରଚିଛନ୍ତି ନୂଆ ଇତିହାସ। ଲାଇନ୍ ଅଫ୍ କଣ୍ଟ୍ରୋଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡାହାଣ ଗୋଡ଼ ହରାଇଥିଲେ ସୋମନ। କିନ୍ତୁ ହାର ମାନିନଥିଲେ। ୪୩ ବର୍ଷ ବୟସରେ ୧୩ ଦଶମିକ ୪୦ ମିଟର ଥ୍ରୋ କରି ଜିତିଛନ୍ତି ସ୍ୱର୍ଣ୍ଣ।
ତାଙ୍କଠାରୁ ମାତ୍ର ୧୨ ସେଣ୍ଟିମିଟର ପଛରେ ରହି ରୌପ୍ୟ ଜିତିଛନ୍ତି ଶୁଭମ ଜୁୟାଲ। ମୋଟରସାଇକେଲ ଦୁର୍ଘଟଣାରେ ଗୋଡ଼ ହରାଇବା ପରେ ସେନା ଅଧିକାରୀ ହେବାର ସ୍ୱପ୍ନ ଭାଙ୍ଗି ଯାଇଥିଲା। କିନ୍ତୁ ପାରା କ୍ରୀଡ଼ା ତାଙ୍କୁ ଦେଇଛି ନୂଆ ପରିଚୟ। ଦୁଇ ସୈନିକ, ଦୁଇ ସଂଘର୍ଷ ଓ ଗୋଟିଏ ପୋଡିୟମ୍—ଭାରତ ପାଇଁ ଏହା ଥିଲା ଐତିହାସିକ ଏକ-ଦୁଇ ସଫଳତା।
ପାରା ପାୱାରଲିଫ୍ଟିଂରେ ଭାରତକୁ ପ୍ରଥମ ପଦକ ଦେଇଥିଲେ ଝଣ୍ଡୁ କୁମାର। ପରିବାର ଚଳାଇବା ପାଇଁ ସେ ପରିବା ବିକ୍ରି କରିବା ସହ ଅଟୋ ରିକ୍ସା ଚଳାଉଥିଲେ। ଜାତୀୟ ପ୍ରତିଯୋଗିତାକୁ ଯିବା ପାଇଁ ୨୦୨୩ରେ ନିଜ ରିକ୍ସା ବିକ୍ରି କରିଥିଲେ। ଗ୍ଲାସଗୋରେ ୧୯୦ କିଲୋଗ୍ରାମ ଭାର ଉଠାଇ ସେ ଜିତିଛନ୍ତି କାଂସ୍ୟ।
Commonwealth Games 2026: ରେସ୍ ପୂର୍ବରୁ ପାରା ସାଇକ୍ଲିଷ୍ଟ ଲିସା ଲାଇନ୍ଚ୍ୟୁତ
ମହିଳା ଏଫ୍-୫୭ ସଟ୍ପୁଟ୍ରେ ଶର୍ମିଳା ଧାଙ୍କର ଜିତିଛନ୍ତି ସ୍ୱର୍ଣ୍ଣ। ପୋଲିଓ ଯୋଗୁଁ ପିଲାବେଳୁ ଗୋଟିଏ ଗୋଡ଼ ଦୁର୍ବଳ ଥିଲେ ମଧ୍ୟ ୩୪ ବର୍ଷ ବୟସରେ ସେ ପାରା ଏଥଲେଟିକ୍ସ ଆରମ୍ଭ କରିଥିଲେ। ୯ ଦଶମିକ ୮୧ ମିଟର ଥ୍ରୋ ସହ ସେ ଇତିହାସ ରଚିଛନ୍ତି। ସେହି ଇଭେଣ୍ଟରେ ଶିଳ୍ପା କେ. ଶୈଳା ଜିତିଛନ୍ତି କାଂସ୍ୟ।
ଅନ୍ୟପଟେ, ମହାରାଷ୍ଟ୍ରର ଦିଲୀପ ମହାଦୁ ଗାଭିତ ୧୦୦ ମିଟର ଦୌଡ଼ରେ ୧୦ ଦଶମିକ ୭୧ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ଜିତି ରେକର୍ଡ କରିଛନ୍ତି। କେରଳର ମହମ୍ମଦ ବାସିଲ ରୌପ୍ୟ ଜିତି ଭାରତକୁ ଐତିହାସିକ ଏକ-ଦୁଇ ସଫଳତା ଦେଇଛନ୍ତି। ଲ୍ୟାଣ୍ଡମାଇନ୍, ଦୁର୍ଘଟଣା, ଦାରିଦ୍ର୍ୟ ଓ ଶାରୀରିକ ଚ୍ୟାଲେଞ୍ଜ ଭଳି କୌଣସି ପ୍ରତିବନ୍ଧକ ଏହି ଖେଳାଳିଙ୍କ ସ୍ୱପ୍ନକୁ ଅଟକାଇ ପାରିନାହିଁ । ଗ୍ଲାସଗୋରେ ଜିତିଥିବା ୭ଟି ପଦକ କେବଳ ଭାରତର ଶ୍ରେଷ୍ଠ ପାରା କ୍ରୀଡ଼ା ସଫଳତା ନୁହେଁ, ଏହା ସଂଘର୍ଷକୁ ଜିତରେ ପରିଣତ କରିଥିବା ଏକ ନୂଆ ପିଢ଼ିର ଆତ୍ମବିଶ୍ୱାସର ଘୋଷଣା ।

1 hour ago
1


