ARTICLE AD BOX
ଛତ୍ରପୁର (ବସନ୍ତ ମହାରଣା): ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ବନ୍ୟା ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳ ବେହାଲ ହୋଇପଡ଼ିଥିବା ବେଳେ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ବିଶେଷକରି ଚାଷୀକୁଳ ଉପରେ ବନ୍ୟାର ପ୍ରଭାବ ପ୍ରଭାବ ଦେଖିବାକୁ ମିଳିଛି। ବର୍ଷଯାକର ପରିଶ୍ରମ ଧାନ ପାଣିରେ ବୁଡ଼ିଯିବା ସହ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିପଡ଼ିଛି।
ଗଂଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ବି ଚାଷଜମି ଜଳମଗ୍ନ ରହିଛି। କେଉଁଠି ଆଣ୍ଠୁଏ ପାଣିରେ ଧାନ ଫସଲ ବୁଡ଼ି ରହିଛି ତ ଆଉ କେଉଁଠି ଧାନଜମି ପୋଖରୀର ରୂପ ନେଇଛି। ପାଣିରେ ବୁଡ଼ି ଧାନଗଛ ନଷ୍ଟ ହେବାକୁ ବସିଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ଚାଷଜମିରେ ବାଲି ମାଡ଼ିଯାଇଛି। ଫଳରେ ଚାଷୀମାନେ ଚଳିତ ଖରିଫ ଋତୁର ଫସଲ ହରାଇବା ଆଶଙ୍କାରେ ଚିନ୍ତିତ ହୋଇପଡ଼ିଛନ୍ତି।
ସମୁଦ୍ରକୁ ଶଙ୍ଖେ ପାଣି
ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକ୍ର ପୋଟଲାମପୁର, ବଡ଼ମାଧପୁର, ବଉଳଗାଁ, ମହାନାଦପୁର ସମେତ ବିଭିନ୍ନ ଅଞ୍ଚଳରେ ଧାନଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଧାନ ପୁଡ଼ା ଧରିବା ସମୟରେ ବନ୍ୟାପାଣି ମାଡ଼ି ଆସିବାରୁ ଚାଷୀଙ୍କ ଆଶା ଏବେ ନିରାଶାରେ ପରିଣତ ହୋଇଛି। ଏପରି ସ୍ଥିତିରେ ସରକାରଙ୍କ ପକ୍ଷରୁ ଘୋଷିତ କ୍ଷତିପୂରଣ ରାଶି ଚାଷୀଙ୍କ ପାଇଁ ଯଥେଷ୍ଟ ନୁହେଁ ବୋଲି ଚାଷୀମାନେ କହିଛନ୍ତି। ଘୋଷିତ ସହାୟତା ‘ସମୁଦ୍ରକୁ ଶଙ୍ଖେ ପାଣି’ ସଦୃଶ ବୋଲି ଚାଷୀ ନେତା ରାଜେନ୍ଦ୍ର ନାହାକ, ଓ ସିପିଆଇ ଜିଲ୍ଲା ସହ - ସମ୍ପାଦକ ନୀଳକଣ୍ଠ ଦାଶ କହିଛନ୍ତି।
‘Arnab’: ‘ଅର୍ଣ୍ଣବ’ ଉଜାଡ଼ିଲା ଚାଷ
ସହାୟତା ରାଶି ପ୍ରଦାନ ଦାବି
ସେ ଚାଷୀଙ୍କ କ୍ଷତିକୁ ଆକଳନ କରି ଅଧିକ ପରିମାଣର ସହାୟତା ରାଶି ପ୍ରଦାନ କରିବା ସହ ଫସଲ ବୀମା କରିଥିବା ଚାଷୀଙ୍କୁ ବୀମା କମ୍ପାନିଗୁଡ଼ିକ ତୁରନ୍ତ ଓ ନିରପେକ୍ଷ ଭାବେ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ଚାଷୀଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ସ୍ୱତନ୍ତ୍ର ପଦକ୍ଷେପ ନେବା ଆବଶ୍ୟକ ବୋଲି ପୋଟଲାମପୁର ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ରୁଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ସିପିଆଇ ଜିଲ୍ଲା ସହସମ୍ପାଦକ ନୀଳକଣ୍ଠ ଦାଶ ଦାବି କରିଛନ୍ତି।

48 minutes ago
1


