ARTICLE AD BOX
ବଳଦେବ, ପଞ୍ଚାସ୍ୱାଦୀ, ମୁଣ୍ଡାଫଟା, କାଳିଆଗଜା, ହାମିଲ୍ଟନ୍ ସୁନ୍ଦରୀ, ଶିମିଳିପାଳ ସୁନ୍ଦରୀ, ଦହିପାଖୁଡ଼ି-ଏସବୁ ନାମର ଆମ୍ବ କେବେ ଆପଣ ଖାଇଛନ୍ତି? ଅଧିକାଂଶ ଏ ପ୍ରଶ୍ନର ଉତ୍ତରରେ କହିବେ ‘ନା’। କିନ୍ତୁ ସୁନ୍ଦରୀ, ହିମ ସାଗର, ମଲ୍ଲିକା, ଆଲଫନ୍ସୋ କି ବାଇଗଣପଲେଇ ଆମ୍ବ କଥା ପଚାରିେଲ ବହୁ ଲୋକ କହିବେ, ହଁ ଖାଇଛୁ। ଓଡ଼ିଆରେ ଢ଼ଗଟିଏ ଅଛି- ଗାଁ କନିଆଁ ସିଙ୍ଘାଣିନାକୀ। ଆମ ରାଜ୍ୟର ଆମ୍ବଗୁଡ଼ିକ କ୍ଷେତ୍ରରେ ଏହା ବେଶ୍ ପ୍ରଯୁଜ୍ୟ। ଓଡ଼ିଶାର ନିଜସ୍ବ କିସମର ଆମ୍ବ ସ୍ବାଦରେ, ରୂପରେ ଓ ଗୁଣରେ ଉତ୍କୃଷ୍ଟ ହୋଇଥିଲେ ବି ଆମେ ପରଦେଶୀ ଆମ୍ବ ମୋହରେ ପଡ଼ିଛେ। ଅସଲରେ ଓଡ଼ିଶାରେ ବହୁ ଉନ୍ନତ କିସମ ଆମ୍ବ ଫଳୁଥିବା ବେଳେ ପ୍ରଚାର ପ୍ରସାର ଅଭାବରୁ ସେସବୁ ବଜାରରେ ଲୋକପ୍ରିୟ ହୋଇପାରି ନାହିଁ।
ଯୌବନ ଜିନ୍ଦାବାଦ: ଯୁବକାବସ୍ଥାରେ ନେଇଥିବା ସେହି ନିଷ୍ପତ୍ତି ପାଇଁ ମୁଁ ଗର୍ବିତ
ଉଦାହରଣ ସ୍ବରୂପ, ଅତି ବିରଳ ତଥା ଦାମୀ କୁହାଯାଉଥିବା ଜାପାନୀ ‘ମିୟାଜିକି’ ଆମ୍ବ ମଧ୍ୟ ଓଡ଼ିଶାରେ ଫଳେ, ଯାହାର ମୂଲ୍ୟ କିଲୋ ପ୍ରତି ଲକ୍ଷାଧିକ ଟଙ୍କା। ରଙ୍ଗ,ସ୍ବାଦ ଓ ଆକାର ପାଇଁ ମିୟାଜିକି ବିଶ୍ୱର ସବୁଠାରୁ ଦାମୀ ଆମ୍ବର ମାନ୍ୟତା ପାଇଛି। ଏହାର ରଙ୍ଗ ଲାଲ୍ ଓ ସ୍ବାଦ ଅତ୍ୟଧିକ ମିଠା। ଗୁଣାତ୍ମକ ମାନ ଓ ଓଜନ ଅନୁସାରେ ଏହାର ଦାମ୍ ଏତେ ଅଧିକ ରହିଛି। ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଏହି ଆମ୍ବର ସଫଳ ଚାଷ ହୋଇଛି। କେବଳ ବିଦେଶୀ କିସମର ନୁହେଁ, ସ୍ଥାନୀୟ ଦେଶୀ ଆମ୍ବ ମଧ୍ୟ ଓଡ଼ିଶାରେ ପ୍ରଚୁର ଫଳିଥାଏ। ଏହା ନିର୍ଦ୍ଦିଷ୍ଟ ଅଞ୍ଚଳର କୃଷି-ଜଳବାୟୁ ଉପରେ ନିର୍ଭର କରିଥାଏ। ଉଦ୍ୟାନ ବିଶେଷଜ୍ଞଙ୍କ ମତରେ ଆମ ଏଠି ୬୦ରୁ ଅଧିକ କିସମ ଆମ୍ବ ଉତ୍ପାଦନ ହୋଇଥାଏ।
ଓଡ଼ିଶାର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ୬୦ରୁ ଅଧିକ ସ୍ଥାନୀୟ ଓ ବିଦେଶୀ କିସମ ଆମ୍ବ ପ୍ରଦର୍ଶନୀ କରିଥାଏ। ଏଥିରେ ମୟୂରଭଞ୍ଜର ଉଜ୍ଜ୍ୱଳ ନାଲି ରଙ୍ଗର ‘ଶିମିଳିପାଳ ସୁନ୍ଦରୀ’ ଭଳି ସ୍ଥାନୀୟ ଆମ୍ବ ସହିତ ରାଜ୍ୟରେ ବ୍ୟାବସାୟିକ ଭାବେ ଚାଷ କରାଯାଉଥିବା ଲୋକପ୍ରିୟ କିସମ ‘ଆମ୍ରପାଲି’ ଓ ‘ମଲ୍ଲିକା’ ବି ଅନ୍ତର୍ଭୁକ୍ତ। ଯଦିଓ ଓଡ଼ିଶାର ସବୁ ଜିଲ୍ଲାରେ ଆମ୍ବଚାଷ ହୁଏ, କିନ୍ତୁ ବିଶେଷକରି ଢେଙ୍କାନାଳ ଓ କେନ୍ଦୁଝର ଆମ୍ବଚାଷ ପାଇଁ ଉପଯୁକ୍ତ । ଏହା ସହିତ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଫୁଲବାଣୀ ଓ କୋରାପୁଟ ଭଳି ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଆମ୍ବ ଦେଖିବାକୁ ମିଳେ। ଉତ୍ତର ଭାରତରୁ ଆସିଥିବା ‘ଆମ୍ରପାଲି’ କିସମ ବର୍ତ୍ତମାନ ଓଡ଼ିଶାରେ ବହୁଳ ଭାବରେ ଚାଷ କରାଯାଉଛି। କିଛି ଅଞ୍ଚଳରେ ‘ମଲ୍ଲିକା’ ଓ ଗୁଜରାଟର ପ୍ରସିଦ୍ଧ ‘କେଶର’ ଆମ୍ବ ମଧ୍ୟ ଭଲ ଫଳୁଛି। ପଶ୍ଚିମବଙ୍ଗର ଲୋକପ୍ରିୟ କିସମ ‘ହିମସାଗର’ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ଚାଷ କରାଯାଉଛି। ‘ସୁନ୍ଦରୀ’ ଓ ‘ବାଇଗଣପଲେଇ’ ଦୁଇଟି ଆନ୍ଧ୍ରପ୍ରଦେଶ କିସମ ହୋଇଥିଲେ ବି ଓଡ଼ିଶାର ପୁରୀ ଓ ଅନ୍ୟ ଜିଲ୍ଲାରେ ବ୍ୟାପକ ଭାବେ ଦେଖିବାକୁ ମିଳେ।
Education: ଅଲଚିକି ବଦଳରେ ଦେବନାଗରୀ ଲିପିରେ ବହି ଛପାକୁ ଏଆଇଓଏସୟୁର ବିରୋଧ
ଓଡ଼ିଶାରେ ପୂର୍ବରୁ ରାଜାମାନଙ୍କର ବଡ଼ ବଡ଼ ଆମ୍ବ ବଗିଚା ଥିଲା, ଯେଉଁଠି ଭିନ୍ନ ଭିନ୍ନ କିସମର ଗଛ ଲଗା ଯାଇଥିଲା। ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଭଲ ଭଲ ସ୍ଥାନୀୟ କିସମ ଚିହ୍ନଟ କରି ଭୁବନେଶ୍ୱର ଭଳି ଏକ କେନ୍ଦ୍ରୀୟ ସ୍ଥାନରେ ଜର୍ମପ୍ଲାଜମ୍ ବ୍ୟାଙ୍କ୍ କରାଯିବା ଉଚିତ। କୋରାପୁଟ, ସମ୍ବଲପୁର, ମୟୂରଭଞ୍ଜ ଓ ଗଞ୍ଜାମ ଭଳି ଚାରୋଟି ଭିନ୍ନ ଜୋନ୍ରେ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରି ସ୍ଥାନୀୟ କିସମର କଲମୀ କରାଯିବା ଉଚିତ। ଆମ୍ବ ଗଛଗୁଡ଼ିକ ଯେପରି ପ୍ରତିବର୍ଷ ନିୟମିତ ଭାବେ ଫଳ ଦେବେ ସେଥିପ୍ରତି ଧ୍ୟାନ ଦେବାକୁ ହେବ। ମ୍ୟାଙ୍ଗୋ ହପର୍ ଭଳି ପୋକ ଯୋଗୁଁ ବହୁତ ବଉଳ ବା ଫୁଲ ନଷ୍ଟ ହୋଇଯାଏ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବା ଉଚିତ ବୋଲି କହିଛନ୍ତି ଓୟୁଏଟିର ଅବସରପ୍ରାପ୍ତ ପ୍ରଫେସର ଡ.ତ୍ରିନାଥ ମହାରଣା। ବର୍ତ୍ତମାନ ଆମ୍ବ କେବଳ ଖାଇବା ପାଇଁ ବ୍ୟବହାର ହେଉନାହିଁ, ବରଂ ଆମ୍ବରୁ ଜୁସ୍, ସ୍କ୍ୱାସ୍, ନେକ୍ଟର୍ ଏବଂ ଆମ୍ବଶଢ଼ା ପ୍ରସ୍ତୁତ ହେଉଛି। ଆମ ଓଡ଼ିଶାର ଆମ୍ରପାଲି ଭଳି ଆମ୍ବ ଏବେ ଇଂଲଣ୍ଡ ଓ ଅନ୍ୟାନ୍ୟ ରାଷ୍ଟ୍ରକୁ ମଧ୍ୟ ରପ୍ତାନି ହେଉଛି, ଯାହା ଏକ ଶୁଭ ସୂଚନା। କିନ୍ତୁ ଓଡ଼ିଶାର ନିଜସ୍ବ ଆମ୍ବର ବହୁ ଭଲ କିସମ ରହିବା ସତ୍ତ୍ବେ ଏହାର ବ୍ୟାପକ ଚାଷ କରାଯାଇ ଅନ୍ୟ ରାଜ୍ୟକୁ ପଠାଯାଇ ପାରୁନାହିଁ। ଚାଷୀମାନଙ୍କ ମଧ୍ୟରେ ଦୂରଦୃଷ୍ଟି ଓ ଜ୍ଞାନକୌଶଳ ଅଭାବ ଯୋଗୁଁ ଆମ ସ୍ଥାନୀୟ ଆମ୍ବର ଜାତୀୟ ସ୍ତରରେ ପ୍ରତିଷ୍ଠା ହୋଇପାରୁନାହିଁ।

2 weeks ago
9


