Ola taxi: ଆଗୁଆ ଟିପ୍‌ସ ଦେବା ବ୍ୟବସ୍ଥା ବନ୍ଦ କରିବ ଓଲା!

1 hour ago 3
ARTICLE AD BOX

ନୂଆଦିଲ୍ଲୀ: ଓଲା କ୍ୟାବ୍‌ରେ ଯାତ୍ରା କରିବା ପୂର୍ବରୁ ଡ୍ରାଇଭରଙ୍କୁ ଟିପ୍ସ ଦେବାର ବ୍ୟବସ୍ଥାକୁ ନେଇ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ବ୍ୟବସ୍ଥା ତୁରନ୍ତ ବନ୍ଦ କରିବାକୁ ଓଲାକୁ ନିର୍ଦ୍ଦେଶ ଦେବା ସହ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଓଲାର ପରିଚାଳନା କରୁଥିବା ଏଏନ୍‌ଆଇ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍ ଲିମିଟେଡ୍‌ ଉପରେ ଏହି ଜରିମାନା ଲାଗୁ ହୋଇଛି। 

ଓଲା ଆପ୍‌ରେ ଗ୍ରାହକ କ୍ୟାବ୍ ବୁକ୍ କରିବା ପରେ ଡ୍ରାଇଭର ଯାତ୍ରା ଗ୍ରହଣ କରିବା ପୂର୍ବରୁ ଅଧିକ ଟଙ୍କା ଟିପ୍‌ସ ଆକାରରେ ଦେବାକୁ ବିକଳ୍ପ ରହିଥିଲା। ଏଥିସହ ଆପ୍‌ରେ ଏଭଳି ବାର୍ତ୍ତା ଦେଖାଯାଉଥିଲା ଯେ ଟିପ୍‌ସ ଦେଲେ ଶୀଘ୍ର ଗାଡ଼ି ମିଳିବାର ସମ୍ଭାବନା ବଢ଼ିପାରେ। ପ୍ରଥମେ ୧୦ରୁ ୪୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଟଙ୍କା ଦେବାର ବିକଳ୍ପ ଥିବାବେଳେ ପରେ ଏହା ୪୯୯ ଟଙ୍କା ପର୍ଯ୍ୟନ୍ତ ରଖାଯାଇଥିଲା।

ଗ୍ରାହକଙ୍କୁ ଅଧିକ ଟଙ୍କା ଦେବା ପାଇଁ ମାନସିକ ଚାପ ପକାଇବା ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ଭଳି କାମ କରୁଥିଲା ବୋଲି ସିସିପିଏ ମତ ଦେଇଛି। ଟିପ୍‌ସ ଦେଲେ ଗାଡ଼ି ଶୀଘ୍ର ମିଳିବ ବୋଲି କୌଣସି ନିଶ୍ଚିତତା ନଥିଲା। ଏପରିକି ଓଲା ଦ୍ୱାରା ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଥିଲା ଯେ ଦିଲ୍ଲୀରେ ଅତିରିକ୍ତ ଟଙ୍କା ଦେବାକୁ ଚାହିଥିବା ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୩୨ ପ୍ରତିଶତଙ୍କ ଯାତ୍ରାକୁ ଡ୍ରାଇଭର ଗ୍ରହଣ କରିଥିଲେ। କିନ୍ତୁ ଅତିରିକ୍ତ ଟଙ୍କା ଦେବାର ବିକଳ୍ପ ନଥିବା ବୁକିଂରେ ଏହି ହାର ୬୮ % ଥିଲା। ବେଙ୍ଗାଲୁରୁରେ ମଧ୍ୟ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା।

Customers Extra Money: ଶୀଘ୍ର ବୁକିଂ ପାଇଁ  ଓଲା ଓ ଉବର୍‌ ମାଗିପାରିବେନି ଅଧିକ ଟଙ୍କା

ସିସିପିଏ କହିଛି ଯେ, ଯାତ୍ରା ଶେଷ ହେବା ପରେ ଡ୍ରାଇଭରଙ୍କ ସେବାରେ ସନ୍ତୁଷ୍ଟ ହୋଇ ଟିପ୍‌ସ ଦେବା ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଟିପ୍‌ସ ମାଗିବା ଯୁକ୍ତିସଙ୍ଗତ ନୁହେଁ। ଏହା ଗ୍ରାହକଙ୍କୁ ଭ୍ରମିତ କରିବା ସହ ଅନ୍ୟାୟ ବ୍ୟବସାୟିକ ପ୍ରକ୍ରିୟା। ଏହାକୁ ମାନସିକ ଚାପ ପକାଇ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପ୍ରବର୍ତ୍ତାଇବା ଭଳି ଏକ ଡାର୍କ ପ୍ୟାଟର୍ଣ୍ଣ ଭାବେ ମଧ୍ୟ ଗ୍ରହଣ କରାଯାଇଛି। ଏଥିସହ ଓଲା ଆପ୍‌ରୁ ଏଭଳି ସମସ୍ତ ବାର୍ତ୍ତା, ସୂଚନା ଓ ବ୍ୟବସ୍ଥା ହଟାଇବାକୁ ସିସିପିଏ ନିର୍ଦ୍ଦେଶ ଦେଇଛି। ଗ୍ରାହକ ସୁରକ୍ଷା ନିୟମ ପାଳନ କରିବା ସହ ୧୫ ଦିନ ମଧ୍ୟରେ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କମ୍ପାନିକୁ କୁହାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.