ARTICLE AD BOX
କାଳିଆପାଣି (ରବି ନାରାୟଣ କର): ଆନ୍ଧ୍ରପ୍ରଦେଶର ତିରୁପତିରେ ୪ ଦିନ ଧରି ସ୍ଥାନୀୟ ଜଣେ ଆଦିବାସୀ ଶ୍ରମିକଙ୍କ ଶବ ବନ୍ଧା ପଡ଼ିଛି। ମୃତକ ଜଣକ ଯାଜପୁରଜିଲ୍ଲା କାଳିଆପାଣି ଥାନା କଅଁସ ପଞ୍ଚାୟତ ତଳଙ୍ଗି ପେଣ୍ଠସାହି ଗାଁର ସ୍ବର୍ଗତ ପାନ ସିଂହ ଓ ଧନସିଂହ ସୁଣ୍ଢିଙ୍କ ସବା ସାନପୁଅ ଚନ୍ଦନ(୧୮)। ସେ ଦେଢ଼ବର୍ଷ ଧରି ତିରୁପତିର ଏପି ଆପାରେଲ୍ସ କମ୍ପାନିର କଟିଂ(ବି) ବିଭାଗରେ ଲୋଡର ଭାବେ କାର୍ଯ୍ୟ କରୁଥିଲେ। କମ୍ପାନିରେ ତାଙ୍କ କର୍ମଚାରୀ ସଂଖ୍ୟା ୧୦୫୦୫୧୫୨୭ ରହିଛି। ସେଠାରେ ନାବାଳକ ବୟସରୁ ସେ ସେପ୍ଟେମ୍ବର ମାସ ୬ ତାରିଖରୁ ନିଯୁକ୍ତି ପାଇଥିବା ତାଙ୍କ ପରିଚୟପତ୍ରରେ ଉଲ୍ଲେଖ ରହିଛି।
୨୦୨୪ ମସିହାରେ ଚନ୍ଦନ ଚଢ଼େଇଧରା ପାଖ ସୁକୁଟିଝର ଧବଳାଇ ଆଦର୍ଶ ସଂସ୍କୃତ ବିଦ୍ୟାଳୟରୁ ୮୨ ପ୍ରତିଶତ ନମ୍ବର ରଖି ମାଟ୍ରିକ୍(ମଧ୍ୟମା) ପାସ କରିଥିଲେ। ଉଚ୍ଚଶିକ୍ଷା ପାଇଁ ଅଭିଳାଷ ଥିଲେ ହେଁ ଅଭାବ ଅନଟନ କାରଣରୁ ପୁଅ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ପଳାଇଥିଲା ବୋଲି ତାଙ୍କ ବାପା କହନ୍ତି। ୧୫ ମାସ ଧରି ପୁଅ ଆଉ ଘରକୁ ଆସିନଥିଲା। ଏଇ ଦଶହରାରେ ଆସିବ ବୋଲି ସେ କଥା ଦେଇଥିଲା। ହେଲେ ୩୦ ତାରିଖ ରାତିରେ ପୁଅ ଚନ୍ଦନର ମୃତ୍ୟୁ ଖବର ମିଳିଥିଲା। ଡ୍ୟୁଟି ପରେ ବସାଘରେ ତା’ର ମୃତ୍ୟୁ ହୋଇଥିଲା ବୋଲି କମ୍ପାନି କର୍ତ୍ତୃପକ୍ଷ ସଫେଇ ଦିଅନ୍ତି। ପୁଅର ଏତାଦୃଶ ମୃତ୍ୟୁ ସଂପର୍କରେ ଫୋନ୍ ଯୋଗେ ସୂଚନା ମିଳିବାରେ ବାପା ଧନସିଂହ ଏବଂ ୩ ବଡ଼ଭାଇ ମନସା, ପୁକୁଲୁ ଓ ସିଙ୍ଗରାଇ ବିଚଳିତ ହୋଇପଡ଼ିଥିଲେ।
ସୁସ୍ଥ ସବଳ ଥିବା ଚନ୍ଦନଙ୍କ ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ତାଙ୍କ ମୃତ୍ୟୁର କାରଣ ଜାଣିବା ଅତିରିକ୍ତ ତାଙ୍କ ଶବ ଆଣିବାକୁ ଇଛା ପ୍ରକାଶ କରିଥିଲେ ହେଁ କମ୍ପାନି କର୍ତ୍ତୃପକ୍ଷ ଆଦୌ ସହଯୋଗ କରୁନଥିବା ପରିବାର ଅଭିଯୋଗ କରନ୍ତି। ଏ ସଂପର୍କରେ ଧନସିଂହ କାଳିଆପାଣି ପୁଲିସ ହସ୍ତକ୍ଷେପ ଲୋଡ଼ିଥିଲେ। ଘଟଣାକୁ ନେଇ ଏସ୍ପି ଯଶ ପ୍ରତାପ ଶ୍ରୀମାଲ ଆନ୍ଧ୍ରପ୍ରଦେଶ ପୁଲିସ ସହ ଯୋଗାଯୋଗ କରିଥିଲେ। କିନ୍ତୁ ନିଯୁକ୍ତିଦାତା ଅଜବ ସର୍ତ୍ତ ରଖିଥିଲେ। ଚନ୍ଦନର ମୃତ୍ୟୁ ପଛରେ କମ୍ପାନିର କୌଣସି ଭୂମିକା ନଥିବା ଏବଂ ଏଥିପାଇଁ ପରିବାର ପକ୍ଷରୁ କ୍ଷତିପୂରଣ କିମ୍ବା ସହାୟତା ରାଶି ଦାବି କରାଯାଉନଥିବା ଦର୍ଶାଇ ପୁଲିସ ମଧ୍ୟସ୍ଥତାରେ ସ୍ବୀକାରୋକ୍ତି ପତ୍ର ପଠାଇଲେ ଶବ ହସ୍ତାନ୍ତର ପ୍ରକ୍ରିୟାରେ ସହଯୋଗ କରାଯାଇପାରେ ବୋଲି କମ୍ପାନି ପକ୍ଷରୁ କୁହାଯାଇଥିଲା। ସେଦିନରୁ ଧରି ଶବ ଗଳିତ ଅବସ୍ଥାରେ ସେଠାରେ ପଡ଼ି ରହିଥିଲେ ହେଁ ଥାନାରେ ମାମଲା ରୁଜୁ କିମ୍ବା ବ୍ୟବଛେଦ କରାଯାଉନଥିବା ଜଣାପଡ଼ିଛି।
UP Cabinet Decision: ୟୁପି କ୍ୟାବିନେଟର ବଡ଼ ନିଷ୍ପତ୍ତି: ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଦେବେ ଯୋଗୀ ସରକାର
ଏ ସଂପର୍କରେ କାଳିଆପାଣି ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ତିରୁପତି ପୁଲିସ ସହ ଯୋଗାଯୋଗ କରାଯାଇଛି। ଆସନ୍ତାକାଲି ସେଠାରେ ଶବ ବ୍ୟବଛେଦ କରାଯିବ ବୋଲି ତିରୁପତି ପୁଲିସ ଠାରୁ ସୂଚନା ମିଳିଥିବା ସେ କହିଥିଲେ। ତେବେ ଏ କ୍ଷେତ୍ରରେ ସଂପୃକ୍ତ କମ୍ପାନିର ଅଜବ ଯୁକ୍ତି ଓ ଅସହଯୋଗ ଆଭିମୁଖ୍ୟକୁ ନେଇ ସେ ଚିନ୍ତା ପ୍ରକଟ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯଥାଶୀଘ୍ର ଏଥିରେ ହସ୍ତକ୍ଷେପ କରି ଗରିବ ଆଦିବାସୀ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଆଞ୍ଚଳିକ ଆଦିବାସୀ ସମାଜ ଦାବି କରିଛି।

1 day ago
1


