Nuakhai 2026: ‘ଭେଦଭାବ ଦୂର କରି ଆମକୁ ଏକାଠି କରେ ନୂଆଁଖାଇ’

3 days ago 4
ARTICLE AD BOX

ଭୁବନେଶ୍ବର: ନୂଆ ଖୁସି ଏବଂ ଉତ୍ସାହ ନେଇ ନୂଆଁଖାଇ ଆସିଛି। ନିଜ ଆତ୍ମୀୟଙ୍କୁ ଛାଡ଼ି ଦୂରରେ ରହୁଥିବା ଲୋକେ ପୁଣି ଜନ୍ମମାଟିରେ ଏକାଠି ହୋଇଛନ୍ତି। ଜନ୍ମମାଟିରେ ଲୋକଙ୍କର ଏହି  ସମାଗମ ଆଜି ନୂଆ ଆଶା ଏବଂ ନୂଆ ଭାବନା ସୃଷ୍ଟି କରୁଛି। ଛୋଟ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ଉତ୍ସାହିତ ଦେଖାଯାଉଛନ୍ତି। ଖାଲିଖାଲି ଲାଗୁଥିବା ପରିବାରରେ ଏବେ ପୂର୍ଣ୍ଣତା ଦେଖାଯାଉଛି। ଗାଁ ଦାଣ୍ଡରେ ବୟସ୍କମାନେ ତାସ୍‌ ଖେଳୁଥିବା ବେଳେ ପଡ଼ିଆରେ ଯୁବକମାନେ କ୍ରିକେଟ୍‌ ଖେଳିବାରେ ବ୍ୟସ୍ତ ଦେଖାଯାଉଛନ୍ତି। କେବଳ ଏତିକି ନୁହେଁ ବହୁ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି। ଭଲ ବର୍ଷା ଯୋଗୁଁ ଚଳିତ ବର୍ଷ ଧାନ ସହିତ ଅନ୍ୟ ଫସଲ ହସୁଛି। ପ୍ରତିବର୍ଷ ତୁଳନାରେ ଏଥରର ନୂଆଁଖାଇ ଅଲଗା ଅନୁଭବ ହେଉଛି।  

Nuakhai6

ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ପାଳନ ହେଉଛି। ସେଥି ମଧ୍ୟରୁ କୃଷିଭିତ୍ତିକ ପର୍ବ ‘ନୂଆଁଖାଇ’ଅନ୍ୟତମ। ଏହି ପର୍ବ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇ ଉଠିଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ, ବଲାଙ୍ଗୀରର ମା’ ସମଲେଶ୍ବରୀ, ମା’ ପାଟଣେଶ୍ବରୀ ଏବଂ ସୋନପୁରର ମା’ ସୁରେଶ୍ବରୀଙ୍କ ଠାରେ ନୂଆଁ ଲାଗି ହେଉଛି। ନୂଆଁ ଧାନରୁ ପ୍ରସ୍ତୁତ ଭୋଗ ଇଷ୍ଟଦେବୀଙ୍କୁ ଅର୍ପଣ କରାଯାଉଛି। ଇଷ୍ଟ ଦେବୀଙ୍କୁ ଯେଉଁ ଭୋଗ ଅର୍ପଣ କରାଯାଏ, ତାହା ‘ନବାର୍ଣ୍ଣ’ ନାମରେ ଅଧିକ ପରିଚିତ। ଦେହୁରୀ ନବାର୍ଣ୍ଣକୁ ଅର୍ପଣ କଲା ପରେ ଭୋଗ ରୂପେ ଅନ୍ୟ ସମସ୍ତଙ୍କୁ ବାଣ୍ଟିଥାନ୍ତି। ଘରେ ଆୟୋଜିତ ପୂଜାରେ ନୂଆ ଲାଗି ହେଲା ପରେ ପରିବାରର ମୁଖ୍ଯଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି। 

Climate panchayat: ନୂଆଁଖାଇରେ ପ୍ରତ୍ୟେକେ ଗଛଟିଏ ଲଗାଇବାକୁ ଆହ୍ବାନ

ବହୁ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ

Nuakhai2

ନୂଆଁଖାଇ ସବୁଠାରୁ ବଡ଼ ପର୍ବ ହୋଇଥିବାରୁ ଘରେ ବହୁ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ବ୍ୟଞ୍ଜନକୁ ଖଲିପତ୍ରରେ ପରସା ଯାଇଥାଏ। ସମସ୍ତେ ଖାଇସାରିଲା ପରେ ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି। ସେହିପରି ପଡ଼ୋଶୀ ବୟୋଜ୍ୟେଷ୍ଠମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି। ଏହି ସମୟରେ ନିଜ ଭିତରେ ପୂର୍ବରୁ ଥିବା ମତଭେଦ ଭୁଲି ଯାଆନ୍ତି। ପରିବାର ମଧ୍ୟରେ ଥିବା ମତଭେଦକୁ ମଧ୍ୟ ନୂଆଁଖାଇ ଦୂରେଇ ଦେଇଥାଏ।  

ଆମ ଚିନ୍ତାରେ ମଧ୍ୟ ଏକତା
ଆମେ ସମସ୍ତେ ଏକ, ଆମ ଚିନ୍ତାରେ ମଧ୍ୟ ଏକତା ରହିଛି। ଏହାର ଉଦାହାରଣ ହେଉଛି ନୂଆଁଖାଇ ପର୍ବ। ଏହି ଭାଇଚାରାର ପର୍ବ ଚୌହାନ ବଂଶର ଶାସନ କାଳରୁ ପାଳିତ ହୋଇ ଆସୁଛି। ଚାଷର ପର୍ବ ନୂଆଁଖାଇ ସହିତ ଚାଷୀ ଜୀବନର ସଂପର୍କ ଅତି ଘନିଷ୍ଠ। ଚାଷୀ ଯାହା ଫସଲ ଉତ୍ପାଦନ କରିଥାଏ, ତାହାକୁ ଏକା ନଖାଇ ଅନ୍ୟମାନଙ୍କର ଉଦ୍ଦେଶ୍ୟରେ ମଧ୍ୟ ଆଦାନପ୍ରଦାନ କରିଥାଏ। ବାସ୍ତବରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ କହିଥିବା କଥା ‘ଜୟ ଯବାନ, ଜୟ କିଷାନ’ ନୂଆଁଖାଇ ପର୍ବକୁ ମଧ୍ୟ ବଳ ଯୋଗାଉଛି।

Nuakhai

ବଦଳିଛି ନୂଆଁଖାଇର ରୂପ 
ବିଗତ କିଛି ଦଶନ୍ଧି ହେଲା ନୂଆଁଖାଇର ରୂପ ବଦଳିଛି। ପଶ୍ଚିମ ଓଡ଼ିଶା ବାହାରେ ମଧ୍ୟ ନୂଆଁଖାଇ ପାଳନ କରାଯାଉଛି। ପଶ୍ଚିମ ଓଡ଼ିଶାର ଲୋକ ନୂଆଁଖାଇଦିନ ଯେତେ‌ଦୂରରେ ଥିଲେ ମଧ୍ୟ ଜନ୍ମମାଟିରେ ଉପସ୍ଥିତ ହେବାକୁ ଚେଷ୍ଟା କରିଥାନ୍ତି। ଅସୁବିଧା କାରଣରୁ ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି, ସେମାନେ ଦୂରରେ ରହୁଥିବା ଜାଗାରେ ନୂଆଁଖାଇ ପାଳନ କରିଥାନ୍ତି। ଗୁଜରାଟର ସୁରତ, ଛତିଶଗଡ଼ର ରାୟପୁର, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ତାମିଲନାଡୁର ଚେନ୍ନାଇ, ମହାରାଷ୍ଟ୍ରର ମୁମ୍ବାଇ ଏବଂ ଦିଲ୍ଲୀରେ ମଧ୍ୟ ପଶ୍ଚିମ ଓଡ଼ିଶାର ଲୋକ ଗୋଷ୍ଠୀଗତ ଭାବେ ନୂଆଁଖାଇ ପାଳନ କରୁଛନ୍ତି। ସେହିପରି ବିଦେଶରେ ମଧ୍ୟ ନୂଆଁଖାଇ ପାଳନ କରାଯାଉଛି।

ପରଂପରାର କଥା କୁହେ ନୂଆଁଖାଇ 

WhatsApp Image 2026-09-13 at 17.09.05

ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁରର ଚା‌ଷୀ ଲକ୍ଷ୍ମୀ ନାରାୟଣ ସାହୁ କୁହନ୍ତି, ନୂଆଁଖାଇ ପରଂପରା ଏବଂ ସଂସ୍କୃତିର କଥା କହିଥାଏ। ଆମ ଖାଇବା, ପିନ୍ଧିବା ଏବଂ ଚଳଣୀର କଥା କହିଥାଏ ନୂଆଁଖାଇ ପର୍ବ। ଆମ ଭିତରେ ଥିବା ଭେଦଭାବ ଏବଂ ମତାନ୍ତରକୁ ମଧ୍ୟ ନୂଆଁଖାଇ ଦୂର କରିଥାଏ। ଗାଁରେ ପରିବାର ଏବଂ ସାହିପଡ଼ିଶାଙ୍କ ସହିତ ମିଶି ନୂଆଁଖାଇବାରେ ଯେଉଁ ଆନନ୍ଦ ମିଳିଥାଏ, ତାହା ଆଉ କେଉଁଠି ମିଳିପାରି ନଥାଏ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.