Notice: ଇନଷ୍ଟାଗ୍ରାମ ବିଜ୍ଞାପନରେ ଶିଶୁ ଯୌନ ଶୋଷଣର ପ୍ରସାର: ମେଟା କମ୍ପାନୀକୁ କେନ୍ଦ୍ର ସରକାରଙ୍କ ନୋଟିସ

4 weeks ago 11
ARTICLE AD BOX

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଶିଶୁ ଯୌନ ନିର୍ଯାତନା ଓ ଶୋଷଣ ସମ୍ପର୍କିତ ବିଷୟବସ୍ତୁକୁ ପ୍ରୋତ୍ସାହନ ଦେଉଥିବା ପେଡ୍ ବିଜ୍ଞାପନ ଚାଲୁଥିବା ଅଭିଯୋଗରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହାର ମୂଳ କମ୍ପାନି ମେଟାକୁ ଏକ ନୋଟିସ ଜାରି କରିଛି। ମନ୍ତ୍ରଣାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ଜାରି କରାଯାଇଥିବା ଏହି ନିର୍ଦ୍ଦେଶରେ ଇନଷ୍ଟାଗ୍ରାମକୁ ଏଭଳି ସମସ୍ତ ଆପତ୍ତିଜନକ ବିଜ୍ଞାପନ ଓ ବିଷୟବସ୍ତୁକୁ ତୁରନ୍ତ ହଟାଇବାକୁ କୁହାଯିବା ସହ ଆସନ୍ତା ୭ ଦିନ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ସମୟ ଦିଆଯାଇଛି। ଯଦି କମ୍ପାନି ସନ୍ତୋଷଜନକ ତଥ୍ୟ ପ୍ରଦାନ ନକରେ, ତେବେ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୭ବି ଏବଂ ଶିଶୁ ସୁରକ୍ଷା ପକ୍ସୋ ଆଇନ, ୨୦୧୨ ଅନୁଯାୟୀ ମେଟା ବିରୋଧରେ କଠୋର ଅପରାଧିକ ମାମଲା ରୁଜୁ କରାଯିବ ବୋଲି ସରକାର ସ୍ପଷ୍ଟ ଚେତାବନୀ ଦେଇଛନ୍ତି।

US Iran Talks: ଆମେରିକା-ଇରାନ ବୈଷୟିକ ଆଲୋଚନା ଜୁଲାଇ ୧୧ରେ ଇସଲାମାବାଦରେ ହୋଇପାରେ

ବିବିସିର ଏକ ଅନୁସନ୍ଧାନମୂଳକ ରିପୋର୍ଟ ପରେ ଏହି ବଡ଼ ଧରଣର ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି, ଯେଉଁଥିରେ ଅଭିଯୋଗ ହୋଇଛି ଯେ ଇନଷ୍ଟାଗ୍ରାମର ଆଲଗୋରିଦମ ଏଭଳି ଅଶ୍ଳୀଳ ଭିଡିଓକୁ ସୁପାରିଶ କରିବା ସହ ଫେସବୁକ ଓ ଇନଷ୍ଟାଗ୍ରାମରେ ''ରେପ୍ ଭିଡିଓ'' ଓ ''ଚାଇଲ୍ଡ ଭିଡିଓ'' ଭଳି ନିଷିଦ୍ଧ ଶବ୍ଦ ଥିବା ବିଜ୍ଞାପନକୁ ମଧ୍ୟ ଅନୁମତି ଦେଇଛି, ଯାହା ମାଧ୍ୟମରେ ଉପଭୋକ୍ତାମାନେ ସେହିସବୁ ଭିଡିଓ କିଣିବା ପାଇଁ ବାହ୍ୟ ପ୍ଲାଟଫର୍ମ ଟେଲିଗ୍ରାମର ବିଭିନ୍ନ ଚ୍ୟାନେଲକୁ ନିର୍ଦ୍ଦେଶିତ ହେଉଥିଲେ।

ଅପରାଧରୁ ମୁକ୍ତି ପାଇପାରିବ ନାହିଁ

ସରକାରୀ ସୂତ୍ରରୁ ପ୍ରକାଶ ଯେ, କୌଣସି ବିଜ୍ଞାପନ ପ୍ଲାଟଫର୍ମରେ ପ୍ରସାରିତ ହେବା ପୂର୍ବରୁ ସେଗୁଡ଼ିକର ଯାଞ୍ଚ ହେଉଥିବା ବେଳେ ଏଭଳି ଅତ୍ୟନ୍ତ ସଂଗୀନ ଓ ଦୁର୍ନୀତିମୂଳକ ବିଜ୍ଞାପନ କିଭଳି ମେଟାର ସ୍କ୍ରିନିଂ ପ୍ରକ୍ରିୟା ଦେଇ ପାସ୍ ହେଲା ଏବଂ କମ୍ପାନି ଏଥିରୁ ରାଜସ୍ୱ ଆଦାୟ କଲା, ସେନେଇ ଅଧିକାରୀମାନେ ଜବାବ ମାଗିଛନ୍ତି। ମେଟା ନିଜକୁ କେବଳ ଏକ ମାଧ୍ୟମ ବା ମଧ୍ୟବର୍ତ୍ତୀ ସଂସ୍ଥା କହି ତୃତୀୟ ପକ୍ଷର ବିଷୟବସ୍ତୁ ଆଳରେ ଏହି ଅପରାଧରୁ ମୁକ୍ତି ପାଇପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏହି ପ୍ରସଙ୍ଗରେ ମେଟା କମ୍ପାନିର ଜଣେ ମୁଖପାତ୍ର କହିଛନ୍ତି ଯେ, ଶିଶୁ ସୁରକ୍ଷା ଓ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ପ୍ରସଙ୍ଗରେ କମ୍ପାନିର ନୀତି ସମ୍ପୂର୍ଣ୍ଣ କଠୋର ଏବଂ ଏଥିପାଇଁ ଶୂନ୍ୟ ସହନଶୀଳତା ଆପଣାଯାଇଥାଏ। ସେମାନେ ଏଭଳି ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ଅତ୍ୟାଧୁନିକ ଏଆଇ (କୃତ୍ରିମ ବୁଦ୍ଧିମତା) ବ୍ୟବହାର କରୁଛନ୍ତି, କିନ୍ତୁ ସାରା ବିଶ୍ୱରେ ଥିବା ସେମାନଙ୍କର ୩.୫ ବିଲିୟନ ଉପଭୋକ୍ତାଙ୍କ ମଧ୍ୟରେ ଲୁଚି ରହି ସୁରକ୍ଷା ବ୍ୟବସ୍ଥାକୁ ଧୋକା ଦେବାକୁ ଚେଷ୍ଟା କରୁଥିବା ଅପରାଧୀଙ୍କ ସହ ସେମାନଙ୍କର ଏକ ନିରନ୍ତର ସଂଗ୍ରାମ ଜାରି ରହିଛି। ଅଭିଯୋଗ ପାଇବା ମାତ୍ରେ ସମ୍ପୃକ୍ତ ବିଜ୍ଞାପନ ଓ ଆକାଉଣ୍ଟଗୁଡ଼ିକୁ ସସପେଣ୍ଡ କରାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବାକୁ କମ୍ପାନିର ବିଶେଷଜ୍ଞ ଦଳ କାମ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.