ARTICLE AD BOX
ନୂଆଦିଲ୍ଲୀ: ସରକାରୀ ଚାକିରିପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ପାଇଁ ରେଳବାଇରେ କାମ ଶିଖିବା ଓ ଅଭିଜ୍ଞତା ହାସଲ କରିବାର ଭଲ ସୁଯୋଗ ଆସିଛି। ବିଶେଷ କଥା ହେଉଛି, ଏହି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ରେଳବାଇ ପକ୍ଷରୁ ୪୬୫୧ରୁ ଅଧିକ ପଦବିରେ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ୨୦୨୬ ନଭେମ୍ବର ୧୧ରୁ ଆରମ୍ଭ ହେବ।
ଏହି ନିଯୁକ୍ତି ପାଇଁ ଦଶମ ପାସ୍ ସହିତ ଆଇଟିଆଇ ଯୋଗ୍ୟତା ଥିବା ପ୍ରାର୍ଥୀ ଆବେଦନ କରିପାରିବେ। ତେବେ ଏହା ନିୟମିତ ସରକାରୀ ଚାକିରି ନୁହେଁ, ବରଂ ଆପ୍ରେଣ୍ଟିସ୍ସିପ୍ ତାଲିମ ପାଇଁ ନିଯୁକ୍ତି।
୪୬୫୧ ପଦବିରେ ହେବ ନିଯୁକ୍ତି
ରେଳବାଇ ନିଯୁକ୍ତି ସେଲ୍ (ଆରଆରସି)ର ଉତ୍ତର ରେଳବାଇ ଜୋନ୍ ପକ୍ଷରୁ ଆପ୍ରେଣ୍ଟିସ୍ର ୪୬୫୧ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପ୍ରେଣ୍ଟିସ୍ ଆଇନ ୧୯୬୧ ଅନୁଯାୟୀ ଏହି ନିଯୁକ୍ତି କରାଯିବ। ଏହା ମାଧ୍ୟମରେ ରେଳବାଇର ବିଭିନ୍ନ ଡିଭିଜନ୍, ୱାର୍କସପ୍ ଓ ୟୁନିଟ୍ରେ ଯୁବକଯୁବତୀଙ୍କୁ ତାଲିମ ଦିଆଯିବ।
କିଏ କରିପାରିବେ ଆବେଦନ?
- ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିଥିବା ଆବଶ୍ୟକ।
- ଦଶମ ଶ୍ରେଣୀରେ ଅତିକମ୍ରେ ୫୦ ପ୍ରତିଶତ ନମ୍ବର ରହିଥିବା ଦରକାର।
- ସମ୍ପୃକ୍ତ ଟ୍ରେଡ୍ରେ ଆଇଟିଆଇ ସାର୍ଟିଫିକେଟ୍ ଥିବା ଆବଶ୍ୟକ।
- ଆଇଟିଆଇ ସାର୍ଟିଫିକେଟ୍ ଏନସିଭିଟି କିମ୍ବା ଏସସିଭିଟି ମାନ୍ୟତାପ୍ରାପ୍ତ ଅନୁଷ୍ଠାନରୁ ହୋଇଥିବା ଦରକାର।
- ପ୍ରାର୍ଥୀଙ୍କ ବୟସ ୧୫ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁଯାୟୀ ବୟସ ସୀମାରେ ଛାଡ଼ ମିଳିବ। ଏସ୍ସି ଓ ଏସ୍ଟି ବର୍ଗଙ୍କ ପାଇଁ ୫ ବର୍ଷ ଏବଂ ଓବିସି ବର୍ଗଙ୍କ ପାଇଁ ୩ ବର୍ଷ ଛାଡ଼ ରହିଛି। ଏହି ନିଯୁକ୍ତିର ବିଶେଷତ୍ୱ ହେଉଛି ଏଥିପାଇଁ କୌଣସି ଲିଖିତ ପରୀକ୍ଷା କିମ୍ବା ସାକ୍ଷାତକାର ହେବ ନାହିଁ। ମେଧା ତାଲିକା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।
ମେଧା ତାଲିକା ପ୍ରସ୍ତୁତି ପାଇଁ ଦଶମ ଓ ଆଇଟିଆଇରେ ମିଳିଥିବା ନମ୍ବରକୁ ସମାନ ଗୁରୁତ୍ୱ ଦିଆଯିବ। ଉଭୟର ପ୍ରତିଶତ ନମ୍ବରର ହାରାହାରି ଆଧାରରେ ମେଧା ତାଲିକା ପ୍ରସ୍ତୁତ ହେବ। ଏହାପରେ ମନୋନୀତ ପ୍ରାର୍ଥୀଙ୍କୁ ଦସ୍ତାବିଜ ଯାଞ୍ଚ ପାଇଁ ଡକାଯିବ। ଏଥିସହ ନିର୍ଦ୍ଧାରିତ ଡାକ୍ତରୀ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ।
ସାଧାରଣ ଓ ଓବିସି ବର୍ଗର ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ଏସ୍ସି, ଏସ୍ଟି, ଦିବ୍ୟାଙ୍ଗ ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି।
ଆବେଦନ କରିବା ପାଇଁ ପ୍ରଥମେ ଉତ୍ତର ରେଳବାଇର ଅଧିକାରିକ ୱେବ୍ସାଇଟ୍କୁ ଯାଆନ୍ତୁ। ଏହାପରେ Apprentice Recruitment 2026 ଲିଙ୍କ୍ରେ କ୍ଲିକ୍ କରି ରେଜିଷ୍ଟ୍ରେସନ୍ କରନ୍ତୁ। ଆବଶ୍ୟକ ବ୍ୟକ୍ତିଗତ ଓ ଶିକ୍ଷାଗତ ତଥ୍ୟ ପୂରଣ କରିବା ସହ ଫଟୋ, ଦସ୍ତଖତ ଓ ଆବଶ୍ୟକ ଦସ୍ତାବିଜ ଅପଲୋଡ୍ କରନ୍ତୁ। ଶୁଳ୍କ ଦେବା ପରେ ଫର୍ମ ସବମିଟ୍ କରି ଏହାର ପ୍ରିଣ୍ଟଆଉଟ୍ ରଖନ୍ତୁ।
ତାଲିମ ପରେ ମିଳିବନି ସ୍ଥାୟୀ ଚାକିରିର ଗ୍ୟାରେଣ୍ଟି
ପ୍ରାର୍ଥୀମାନେ ଏକଥା ମନେ ରଖିବା ଜରୁରୀ ଯେ, ଆପ୍ରେଣ୍ଟିସ୍ସିପ୍ ତାଲିମ ଶେଷ ହେବା ପରେ ରେଳବାଇରେ ସ୍ଥାୟୀ ଚାକିରି ମିଳିବାର କୌଣସି ଗ୍ୟାରେଣ୍ଟି ନାହିଁ। ଏହି ନିଯୁକ୍ତିର ଉଦ୍ଦେଶ୍ୟ ହେଉଛି ଯୁବକଯୁବତୀଙ୍କୁ ବୈଷୟିକ ଓ ବ୍ୟବହାରିକ ତାଲିମ ଦେଇ କାର୍ଯ୍ୟ ଅଭିଜ୍ଞତା ପ୍ରଦାନ କରିବା। ତେଣୁ ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ଅଧିକାରିକ ବିଜ୍ଞପ୍ତିକୁ ଭଲଭାବେ ପଢ଼ିବା ଆବଶ୍ୟକ।

2 days ago
3


