ARTICLE AD BOX
ନୂଆଦିଲ୍ଲୀ: ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶରେ ବ୍ୟାପକ ବର୍ଷା ଆଣିଛି। ପ୍ରବଳ ବର୍ଷା ଯୋଗୁ ଅନେକ ଧନଜୀବନ ନଷ୍ଟ ହୋଇଛି। ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀର ଏବଂ ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡରେ ବନ୍ୟା, ଭୂସ୍ଖଳନ ଯୋଗୁ ଅନେକ ଜୀବନ ଯାଇଛି। ଅନେକ ରାସ୍ତା ଓ ସେତୁ ବନ୍ୟା ଜଳରେ ଭାସି ଯାଇଛି। ରେଳସେବା ପ୍ରଭାବିତ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ସଂସ୍ଥାମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବର୍ଷା ଓ ବନ୍ୟା ଯୋଗୁଁ ଘରେ ପାଣି ପଶି କିମ୍ବା ଘର ଭୁଶୁଡ଼ି ପଡ଼ିବା ଯୋଗୁଁ ହଜାର ହଜାର ଲୋକଙ୍କୁ ବାସଚ୍ୟୁତ ହେବାକୁ ପଡ଼ିଛି।ଚଳିତ ଜୁଲାଇ ମାସରେ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ବାଦଲ ଫଟା ବର୍ଷା, ଭୂସ୍ଖଳନ, ବର୍ଷା ଯୋଗୁ ସଡ଼କ ଦୁର୍ଘଟଣା ଘଟଣାରେ ୬୬ ଜଣଙ୍କର ମୃତ୍ୟୁ ହୋଇଛି। କାଙ୍ଗ୍ରା ଜିଲ୍ଲାରେ ଗତକାଲି ରାତିସାରା ହୋଇଥିବା ବର୍ଷାରେ ତିନି ଜଣ ଆହତ ହୋଇଛନ୍ତି ଓ ୧୨ଟି ଘର କ୍ଷତିଗ୍ରସ୍ତ ହୋଇଛି। ମଙ୍ଗଳବାର ଛଅଟି ଘର ଭାସିଯିବା ପରେ ଉପତ୍ୟକାରେ କ୍ଷତିଗ୍ରସ୍ତ ଘର ସଂଖ୍ୟା ୧୮ ରେ ପହଞ୍ଚିଛି। ଆସାମରେ ୩୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଜମ୍ମୁ-କାଶ୍ମୀରରେ ଗତ ୪୮ ଘଣ୍ଟାରେ ୨୩ ଜଣଙ୍କ ଜୀବନ ଯାଇଛି। ନାଗାଲାଣ୍ଡରେ ୯ ଜଣଙ୍କର ମୃତ୍ୟୁ ହୋଇଛି।
ଜମ୍ମୁ-କାଶ୍ମୀରରେ ଗତ ୪୮ ଘଣ୍ଟାରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି। ପୁଞ୍ଚ ଓ ରାଜୌରୀ ଜିଲ୍ଲାରେ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ସତ ଜଣ ଲୋକ ନିଖୋଜ ଅଛନ୍ତି। ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଛି। କେନ୍ଦ୍ରଶାସିତ ଅଞ୍ଚଳର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି, ଜମ୍ମୁ ଡିଭିଜନର ପୁଞ୍ଚ, ରାଜୌରୀ, କାଠୁଆ, ରିଆସି, ସାମ୍ବା ଓ କିସ୍ତୱାଡ଼ ଏବଂ କାଶ୍ମୀରର ବଡଗାମ, ବାନ୍ଦିପୋରା ଓ ଗଣ୍ଡେରବଲରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ଝେଲମ ଓ ଚେନାବ ନଦୀ ଓ ଅନେକ ଉପନଦୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗ୍ରାମ ଓ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରବଳ ବର୍ଷା ପରେ ସଲାଲ ଡ୍ୟାମର ସମସ୍ତ ଗେଟ ଖୋଲାଯାଇଛି।

1 week ago
5


