ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ପାଇଁ PG (ପେଇଂ ଗେଷ୍ଟ) ଖୋଜିବା ଯେତିକି କଷ୍ଟକର, ସେଠାରେ ରହିବା ମଧ୍ୟ ସେତିକି ଚିନ୍ତାଜନକ। ମନମୁତାବକ ଭଡ଼ା, ସୁରକ୍ଷାର ଅଭାବ ଏବଂ ମାଲିକଙ୍କ ମନମାନିକୁ ନେଇ ବର୍ଷ ବର୍ଷ ଧରି ଅଭିଯୋଗ ଆସୁଥିଲା। ଏବେ ଏସବୁ ଉପରେ ଲଗିପାରେ ବ୍ରେକ୍। ସତ୍ୟ ନିକେତନରେ PG ବିଲ୍ଡିଂ ଭୁଶୁଡ଼ି ପଡ଼ିବା ଘଟଣା ପରେ ଦିଲ୍ଲୀ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ସରକାର ଏକ ନୂଆ PG ନୀତି ଆଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି ନୀତି ଲାଗୁ ହେଲେ ପ୍ରତ୍ୟେକ PG ମାଲିକଙ୍କୁ ଲାଇସେନ୍ସ ନେବା ବାଧ୍ୟତାମୂଳକ ହେବ। କେବଳ ସେତିକି ନୁହେଁ, GovPG ପୋର୍ଟାଲ ମାଧ୍ୟମରେ PG ଗୁଡ଼ିକର ତଥ୍ୟ, ଭଡ଼ା ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ସରକାରୀ ନଜର ରହିବ।
Satya Niketan building: ସତ୍ୟ ନିକେତନ ଅଘଟଣ ପରେ କାଲି ପଡ଼ୋଶୀ କୋଠା ଭଙ୍ଗାଯିବ
ନୂଆ ନୀତିରେ ଭଡ଼ା ନିର୍ଦ୍ଧାରଣ, ସିକ୍ୟୁରିଟି ଡିପୋଜିଟ୍, ଛାତ୍ରଛାତ୍ରୀଙ୍କୁ ବେଦଖଲ କରିବାର ନିୟମ, CCTV କ୍ୟାମେରା, ଫାୟାର ସେଫ୍ଟି ଏବଂ ବିଲ୍ଡିଂ ସୁରକ୍ଷା ଭଳି ବିଷୟକୁ ବିଶେଷ ଗୁରୁତ୍ୱ ଦିଆଯିବ। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଶୁଣିବା ପାଇଁ ମଧ୍ୟ ଅଲଗା ବ୍ୟବସ୍ଥା ରହିବ। ଶହର ଉନ୍ନୟନ ମନ୍ତ୍ରୀ ଆଶିଷ ସୁଦ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା। ସତ୍ୟ ନିକେତନ ଦୁର୍ଘଟଣା ପରେ ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଭୁଶୁଡ଼ି ପଡ଼ିଥିବା PG ବିଲ୍ଡିଂରେ ଅନୁମୋଦିତ ପ୍ଲାନ ନଥିଲା, ଅବୈଧ ବେସମେଣ୍ଟ ଓ ଫାୟାର NOC ମଧ୍ୟ ନଥିଲା। ଏହା ପୂର୍ବରୁ ମଧ୍ୟ ଦିଲ୍ଲୀର ବିଭିନ୍ନ PGରେ ଅଗ୍ନିକାଣ୍ଡ, ଜଳବନ୍ଦୀ ଓ ଗୋପନୀୟତା ଉଲ୍ଲଂଘନ ଭଳି ଘଟଣା ସାମ୍ନାକୁ ଆସିଥିଲା। ଏବେ ନୂଆ ନୀତି ଲାଗୁ ହେଲେ PG ମାଲିକଙ୍କ ମନମାନି ଉପରେ ଅଙ୍କୁଶ ଲାଗିବ ଏବଂ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ ଅଧିକ ସୁରକ୍ଷିତ ଓ ବିଶ୍ୱସନୀୟ ବାସସ୍ଥାନ।

1 week ago
7


