New Delhi: ବ୍ରିକ୍ସ ସମ୍ମିଳନୀ: ନୂଆଦିଲ୍ଲୀରେ ମୋଦୀ-ଜିନପିଙ୍ଗ ଦ୍ୱିପାକ୍ଷିକ ଆଲୋଚନା ସମ୍ଭାବନା

1 week ago 5
ARTICLE AD BOX

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି। ୨୦୨୦ ମସିହାରେ ପୂର୍ବ ଲଦାଖର ଗାଲୱାନ ଘାଟିରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରଠାରୁ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ପ୍ରତ୍ୟକ୍ଷ ଦ୍ୱିପାକ୍ଷିକ ବୈଠକ ହେବ। ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ଶନିବାର ଦିନ ନୂଆଦିଲ୍ଲୀରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ରହିଛି। ଗତ ସାତ ବର୍ଷ ମଧ୍ୟରେ ଏବଂ ୨୦୨୦ ସୀମା ବିବାଦ ପରେ ସି ଜିନପିଙ୍ଗଙ୍କର ଏହା ପ୍ରଥମ ଭାରତ ଗସ୍ତ। ତେବେ ଏହି ପ୍ରସ୍ତାବିତ ଦ୍ୱିପାକ୍ଷିକ ବୈଠକ ନେଇ ନୂଆଦିଲ୍ଲୀ କିମ୍ବା ବେଜିଂ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।

ଗାଲୱାନ ସଂଘର୍ଷ ପରଠାରୁ ଭାରତ ଓ ଚୀନ୍ ମଧ୍ୟରେ କୂଟନୈତିକ, ସାମରିକ ଏବଂ ଅର୍ଥନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା। ସମ୍ପ୍ରତି ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ର କେତେକ ବିବାଦୀୟ ସ୍ଥାନରୁ ସେନା ପ୍ରତ୍ୟାହାର ପରେ ଦ୍ୱିପାକ୍ଷିକ ସମ୍ପର୍କରେ ସାମାନ୍ୟ ସୁଧାର ଆସିଥିବା ବେଳେ ଏହି ସମ୍ଭାବ୍ୟ ବୈଠକ ଉପରେ ସାରା ବିଶ୍ୱର ନଜର ରହିଛି। ଏହାପୂର୍ବରୁ କିର୍ଗିଜସ୍ତାନର ବିଶକେକଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଦୁଇ ନେତା ଏକାଠି ହୋଇ ହାତ ମିଳାଇଥିଲେ ମଧ୍ୟ ସେଠାରେ କୌଣସି ଆନୁଷ୍ଠାନିକ ଆଲୋଚନା ହୋଇନଥିଲା।

ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ମଧ୍ୟ ଆଲୋଚନା

ଶିଖର ସମ୍ମିଳନୀ ପୂର୍ବରୁ କୂଟନୈତିକ ଆଲୋଚନାକୁ ଆଗେଇ ନେବା ପାଇଁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଚୀନ୍ ଗସ୍ତ କରି ଉଚ୍ଚସ୍ତରୀୟ ଆଲୋଚନା କରିସାରିଛନ୍ତି। ଏହାସହ ସୀମା ବିବାଦ ସମ୍ପର୍କିତ ‘ଡବ୍ଲୁଏମ୍ସିସି’ ବୈଠକ ଏବଂ ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ମଧ୍ୟ ଆଲୋଚନା ଶେଷ ହୋଇଛି। ୨୦୨୦ ଜୁନରେ ଗାଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଚୀନର ୪ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଜିଂ ପରବର୍ତ୍ତୀ ସମୟରେ ସ୍ୱୀକାର କରିଥିଲା। ଏହି ଘଟଣା ପରେ ସୀମା ସୁରକ୍ଷାକୁ ନେଇ କଠୋର ପଦକ୍ଷେପ ନିଆଯାଇଥିଲା।

ଦୀର୍ଘଦିନର ସାମରିକ ଓ କୂଟନୈତିକ ଆଲୋଚନା ପରେ ଏଲଏସିରେ ଉତ୍ତେଜନା ହ୍ରାସ ପାଇଥିଲେ ବି ସମ୍ପୂର୍ଣ୍ଣ ସୀମା ବିବାଦର ସ୍ଥାୟୀ ସମାଧାନ ହୋଇପାରି ନାହିଁ। ବିଶେଷ କରି ଅରୁଣାଚଳ ପ୍ରଦେଶକୁ ନେଇ ଚୀନର ଦାବି ଏବଂ ସେଠାରେ ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ କରିବା ପାଇଁ ବେଜିଂର ଅପଚେଷ୍ଟାକୁ ଭାରତ ସଦାସର୍ବଦା ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରିଆସିଛି।

ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଦେଇଛି। ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରହିଲେ ହିଁ ଦ୍ୱିପାକ୍ଷିକ ସମ୍ପର୍କର ପ୍ରଗତି ସମ୍ଭବ ବୋଲି ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଏହି ସମ୍ଭାବ୍ୟ ମୋଦୀ-ଜିନପିଙ୍ଗ ବୈଠକରେ ସୀମା ସମସ୍ୟା, ଆଞ୍ଚଳିକ ସୁରକ୍ଷା, ବାଣିଜ୍ୟ, ନିବେଶ ଏବଂ ସୀମାରେ ପୁନର୍ବାର ଉତ୍ତେଜନା ନବଢ଼ିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଉପରେ ଚର୍ଚ୍ଚା ହୋଇପାରେ। ଆମେରିକାର ଶୁଳ୍କ ନୀତି ଏବଂ ପଶ୍ଚିମ ଏସିଆର ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତି ମଧ୍ୟରେ ଏହି ଆଲୋଚନା ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂଆ ଦିଗ ଦେଇପାରେ ବୋଲି ଆଶା କରାଯାଉଛି।

Temperature: ଅଗଷ୍ଟ ପାଲଟିଥିଲା ତାତିଲା କଡ଼େଇ: ବିଶ୍ୱ ତାପମାତ୍ରାରେ ୧.୬୫ ଡିଗ୍ରି ସେଲସିୟସ୍ ବୃଦ୍ଧି

Read Entire Article
LEFT SIDEBAR AD

Hidden in mobile, Best for skyscrapers.