Neglect: ପ୍ରତିଶ୍ରୁତି ପାଲଟିଲା ପ୍ରହସନ; ଖଟିଆରେ ବୁହାହେଲେ ରୋଗୀ

2 days ago 1
ARTICLE AD BOX

ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ପ୍ରଥ‌ମେ କହିଲେ ଗାଁକୁ ଯାଇଥିବା ରାସ୍ତା ଉପରେ ଓଭରବ୍ରିଜ୍‌ ହେବ। କିନ୍ତୁ ରାସ୍ତା ମଝିରେ ଲୁହା ଖମ୍ବ ପୋତି ଯାତାୟତ ବନ୍ଦ କରିଦେଲେ। ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶନିବାର ସକାଳେ ଏହି କାରଣରୁ ଆମ୍ବୁଲାନ୍ସ ‌‌ରୋଗୀଙ୍କ ପାଖକୁ ଯାଇ ପାରି ନଥିବା ବେଳେ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ରେଳପଥ ପାର୍‌ କରି ମୁଖ୍ୟରାସ୍ତାକୁ ଅଣାଯାଇଥିଲା। ଏଭଳି ଅଭାବନୀୟ ଅଭିଯୋଗ ଆସିଛି ହେମଗିର ବ୍ଲକ୍‌ ଲଇକେରା ପଞ୍ଚାୟତ ଠିଠେଇଟାଙ୍ଗରରୁ। 

ଝାରସୁଗୁଡ଼ାରୁ ବିଭିନ୍ନ ଖଣି ସାଇଡିଂକୁ ରେଳ ସଂଯୋଗ ହୋଇଛି। ଏମ୍‌ସିଏଲ୍‌ ଖଣିରୁ କୋଇଲା ପରିବହନ କରିବାକୁ ରେଳ ବିଭାଗ ଅନ୍ୟ ଗାଁ ସହ ବାଲିଛୁଆଁ, ଠିଠେଇଟାଙ୍ଗର ଦେଇ ସରଡେଗାକୁ ରେଳପଥ ନିର୍ମାଣ କରିଛି। 

ତେବେ ଗାଁ ରାସ୍ତା ମଝିରେ ରେଳପଥ ଯାଇଥିବାରୁ ଲୋକେ ଓଭରବ୍ରିଜ୍‌ ନିର୍ମାଣ ପାଇଁ ଦାବି କରିଥିଲେ। ରେଳ ବିଭାଗ ମଧ୍ୟ ସେ‌ତେବେଳେ ଗାଁ ଲୋକଙ୍କ ଯାତାୟତରେ ବାଧକ ହେବ ନାହିଁ, ଓଭରବ୍ରିଜ୍‌ ନିର୍ମାଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ହଠାତ ରାସ୍ତାର ଉଭୟ ପାର୍ଶ୍ବରେ ଲୁହା ଖମ୍ବ ପୋତି ଗାଁ ଯାତାୟତକୁ ଏକ ପ୍ରକାର ଅଟକାଇ ଦେଇଛି ରେଳ ବିଭାଗ। ଯେଉଁଥିପାଇଁ ଗାଁକୁ ଗାଡ଼ି ଚଳାଚଳ ସମ୍ଭବ ହେଉ ନାହିଁ। 

ଆଶା ଦେଲେ ଭରସା: ଗର୍ଭବତୀଙ୍କୁ ଖଟିଆରେ ବୋହି ନାଳ ପାରି କଲେ

ଘଟଣାକ୍ରମେ, ଶନିବାର ଠିଠେଇଟାଙ୍ଗରର ସାବିତ୍ରୀ ଧୃଆ (୬୫) ନାମ୍ନି ମହିଳା ଜ୍ବରରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସ ଡାକିଥିଲେ। ଆମ୍ବୁଲାନ୍ସ ଆସିଥିଲା, କିନ୍ତୁ ରାସ୍ତା ମଝିରେ ରେଳ ବିଭାଗର ଲୁହା ଖମ୍ବ ତାକୁ ଅଟକାଇ ଦେଇଥିଲା। ଶେଷକୁ ବୃଦ୍ଧାଙ୍କୁ ପରିବାର ଲୋକେ ଖଟିଆରେ ବୋହି ରେଳ ପଥ ଡେଇଁ ମୁଖ୍ୟରାସ୍ତାକୁ ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଗାଁ ଲୋକେ ଅଭିଯୋଗ କରିଛନ୍ତି, ରେଳ ବିଭାଗ ବେଆଇନ ଭାବେ ଗାଁ ରାସ୍ତାରେ ଜୋର୍‌ କରି ଖମ୍ବ ପୋତି ଦେଇଛି। ଏଥିପାଇଁ ଗାଁ ଲୋକଙ୍କ ସହ ଆଲୋଚନା କରି ନଥିବା କି ଅନୁମତି ନେଇ ନାହିଁ। ତେବେ ଏଥିରେ ଜରୁରୀ ଯାତାୟତରେ ବାଧା ହେଉଥିବାରୁ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତ‌କ୍ଷେପ କରିବାକୁ ଠିଠେଇଟାଙ୍ଗର ଓ ବାଲିଚୁଆଁ ଗାଁ ଲୋକେ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.