Narendra Modi Zelenskyy talks: ୟୁକ୍ରେନ ଶାନ୍ତି ପାଇଁ ଭାରତର ଉଦ୍ୟମ, ଜେଲେନ୍‌ସ୍କିଙ୍କ ସହ ମୋଦୀଙ୍କ ଆଲୋଚନା

2 days ago 3
ARTICLE AD BOX

ନୂଆଦିଲ୍ଲୀ: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧର ଅବସାନ ପାଇଁ ଭାରତ ନିଜର କୂଟନୈତିକ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କିଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି। ଏହାର କିଛି ସମୟ ପରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ରୁଷ୍‌ର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ଆଲୋଚନା କରିଛନ୍ତି। ରୁଷ୍‌, ୟୁକ୍ରେନ୍‌ ଓ ଆମେରିକା ମଧ୍ୟରେ ଆବୁଧାବିରେ ଶାନ୍ତି ଆଲୋଚନା ହେବାର ଠିକ୍‌ ପୂର୍ବରୁ ଏହି ଦୁଇଟି କୂଟନୈତିକ ଯୋଗାଯୋଗ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି ଯେ ଜେଲେନ୍‌ସ୍କିଙ୍କ ସହ ତାଙ୍କର ଆଲୋଚନା ଫଳପ୍ରଦ ହୋଇଛି। ଯୁଦ୍ଧର ସ୍ଥିତି, ଏହାର ମାନବୀୟ ପ୍ରଭାବ ଏବଂ ଶାନ୍ତି ପୁନଃସ୍ଥାପନ ପାଇଁ ଚାଲିଥିବା ଉଦ୍ୟମ ସମ୍ପର୍କରେ ଜେଲେନ୍‌ସ୍କି ତାଙ୍କୁ ଅବଗତ କରାଇଥିଲେ। ଯୁଦ୍ଧର ସମାଧାନ କେବଳ ଆଲୋଚନା ଓ କୂଟନୀତି ମାଧ୍ୟମରେ ହେବା ଉଚିତ ବୋଲି ଭାରତର ନିରନ୍ତର ଆଭିମୁଖ୍ୟକୁ ମୋଦୀ ଦୋହରାଇଥିଲେ। ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ଉଦ୍ୟମରେ ଭାରତ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ମଧ୍ୟ ସେ କହିଥିଲେ।

ଜେଲେନ୍‌ସ୍କି ଏହି ଆଲୋଚନାରେ କୃଷ୍ଣ ସାଗର ଦେଇ ଖାଦ୍ୟଶସ୍ୟ ପରିବହନ ପ୍ରସଙ୍ଗ ଉଠାଇଥିଲେ। ରୁଷ୍‌ ପକ୍ଷରୁ କୃଷ୍ଣ ସାଗରର ସମୁଦ୍ରପଥରେ ବାଧା ସୃଷ୍ଟି ହେଉଥିବାରୁ ଅନ୍ତର୍ଜାତୀୟ ଖାଦ୍ୟ ଯୋଗାଣ ପ୍ରଭାବିତ ହେଉଛି ବୋଲି ସେ କହିଥିଲେ। ଏହି ସମୁଦ୍ରପଥରେ ନିରବଚ୍ଛିନ୍ନ ଭାବେ ଶସ୍ୟ ପରିବହନ ପାଇଁ ଖାଦ୍ୟ କରିଡର୍‌ ପ୍ରତିଷ୍ଠା କରିବାରେ ଭାରତ ମଧ୍ୟସ୍ଥତା କରିପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହା ସହ ଜେଲେନ୍‌ସ୍କି କହିଥିଲେ ଯେ ସମୁଦ୍ରପଥ ଅବରୋଧ ଯୋଗୁଁ ବିଶ୍ୱ ଅର୍ଥନୀତି ଏବଂ କୋଟି କୋଟି ଲୋକ ପ୍ରଭାବିତ ହେଉଛନ୍ତି। ଭାରତ ଅନ୍ୟ ଦେଶର ନେତାମାନଙ୍କ ସହ ଆଲୋଚନା କରି ଯୁଦ୍ଧ ଶେଷ କରିବାରେ ସହଯୋଗ କରିପାରିବ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ଜୟଶଙ୍କର ‘ଏକ୍ସ’ରେ ଲେଖିଛନ୍ତି ଯେ ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ତାଙ୍କର ଆଲୋଚନାରେ ୟୁକ୍ରେନ୍‌ ଯୁଦ୍ଧ ଏବଂ ଏହାର ସମାଧାନ ପାଇଁ ଚାଲିଥିବା କୂଟନୈତିକ ଉଦ୍ୟମ ସ୍ଥାନ ପାଇଥିଲା। ଉଲ୍ଲେଖଯୋଗ୍ୟ, ଆବୁଧାବିରେ ନଭେମ୍ବର ୧୦ ଓ ୧୧ ତାରିଖରେ ଆମେରିକାର ମଧ୍ୟସ୍ଥତାରେ ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଛି। ପ୍ରାୟ ୯ ମାସର ବିରତି ପରେ ଏହି ତ୍ରିପକ୍ଷୀୟ ଆଲୋଚନା ପୁଣି ଆରମ୍ଭ ହୋଇଛି। ଯୁଦ୍ଧ ଶେଷ ହେବା ପରେ ୟୁକ୍ରେନ୍‌ର ସୁରକ୍ଷା କିପରି ସୁନିଶ୍ଚିତ ହେବ, ତାହା ଏହି ବୈଠକର ଏକ ପ୍ରମୁଖ ପ୍ରସଙ୍ଗ। ବନ୍ଦୀ ବିନିମୟ ଓ ମାନବୀୟ ସହାୟତା ଉପରେ ମଧ୍ୟ ୟୁକ୍ରେନ୍‌ ଗୁରୁତ୍ୱ ଦେଉଛି ବୋଲି ଜେଲେନ୍‌ସ୍କିଙ୍କ ମୁଖ୍ୟ ସହଯୋଗୀ କିରିଲୋ ବୁଦାନୋଭ୍‌ କହିଛନ୍ତି।

Mann Ki Baat: ମୁଁ ମୋର ଦେଶବାସୀଙ୍କ ପ୍ରୟାସକୁ ନିକଟରୁ ବୁଝିପାରୁଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଏହା ପୂର୍ବରୁ ସେପ୍ଟେମ୍ବର ୩ ତାରିଖରେ କିବ୍ ଗସ୍ତ ସମୟରେ ଜୟଶଙ୍କର ୟୁକ୍ରେନ୍‌ ନେତୃତ୍ୱ ସହ ତିନିଟି ପର୍ଯ୍ୟାୟରେ ଯୁଦ୍ଧବିରତି ପ୍ରସ୍ତାବ ରଖିଥିଲେ। ଏଥିରେ ଶକ୍ତି ଓ ଅନ୍ୟାନ୍ୟ ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ, କୃଷ୍ଣ ସାଗର ଦେଇ ଶସ୍ୟ ଓ ଶକ୍ତି ସମ୍ପଦର ପରିବହନ ଜାରି ରଖିବା ଏବଂ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ବନ୍ଦ କରିବା ଆଦି ସାମିଲ ଥିଲା। ଏହି ପ୍ରସ୍ତାବକୁ ଉଭୟ ରୁଷ୍‌ ଓ ୟୁକ୍ରେନ୍‌ ସ୍ୱାଗତ କରିଥିବା ରିପୋର୍ଟ ପ୍ରକାଶ ପାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.