Nandankanan: ନନ୍ଦନକାନନର ମା’ ଛେଉଣ୍ଡ ଶିଶୁ ପ୍ରାଣୀ ପାଳକ ମସ୍ତିଷ୍କଘାତରେ ଗୁରୁତର

1 week ago 4
ARTICLE AD BOX

ବାରଙ୍ଗ: ନନ୍ଦନକାନନ ପ୍ରଣୀ ଉଦ୍ୟାନର ମା ପରିତ୍ୟକ୍ତା ଓ ମା ଛେଉଣ୍ଡ ଶିଶୁ ପ୍ରାଣୀମାନଙ୍କର ଶ୍ରେଷ୍ଠ ଲାଳନପାଳନ କରି ଶ୍ରେ‌ଷ୍ଠ ଜନ୍ତୁ ରକ୍ଷକ (ବାହ୍ୟ) ପ୍ରଶାନ୍ତ ଗଉଡ଼ (ଚିଣ୍ଟୁ-୩୨) ଆଜି ମସ୍ତିଷ୍କଘାତ (ବ୍ରେନ୍ ଷ୍ଟ୍ରୋକ୍)ର ଶିକାର ହୋଇ ଗୁରୁତର ହୋଇଛନ୍ତି। ସେ ଆଜି ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ କାର୍ଯ୍ୟରତ ଥିଲେ। ବଜ୍ରକାପ୍ତା ପ୍ରଜନନ କେନ୍ଦ୍ର ପରିସରର ଶୌଚାଳୟକୁ ଯାଇ ଅନେକ ସମୟ ପର୍ଯ୍ୟନ୍ତ ଫେରି ନଥିଲେ। ସେଠାରେ କାର୍ଯ୍ୟରତ ଥିବା ଫରେଷ୍ଟ ଗାର୍ଡ ତାଙ୍କୁ ଶୌଚାଳୟ ଭିତରେ ଅଚେତ ହୋଇ ପଡ଼ିରହିଥିବା ଦେଖି ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାରୁ ତତ୍‌କ୍ଷଣାତ ତାଙ୍କୁ ଅଫିସ୍‌ ଗାଡ଼ି ଯୋଗେ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ରେନ୍‌ ସ୍କାନିଂ କରାଯାଇ ଉଚ୍ଚ ରକ୍ତଚାପ କାରଣରୁ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଅସ୍ତ୍ରୋପଚାର କରାଯାଇଛି।

ସେ ବାଘ- ହିମାଂସୀ, ଶୁଭମ୍, ମୟା, ରାଣୀ; ସିଂହ- କଳ୍ପନା, ବର୍ଷା, କାମିନୀ; ୧୫ଟି ଦେଶୀ ଭାଲୁ, ଏକାଧିକ ଗଧିଆ, ଗୋଟିଏ ବଜ୍ରକାପ୍ତା, ଗୋଟିଏ ମାର୍ମୋସେଟ୍‌ ମାଙ୍କଡ଼ ଏମିତି ଅନେକ ମା’ଠାରୁ ଅଲଗା ହୋଇ ଆସିଥିବା ପ୍ରାଣୀ ଶାବକଙ୍କୁ ଲାଳନପାଳନ କରି ବଡ଼ କରି ପ୍ରଶଂସାର ପାତ୍ର ହେବା ସହ ଶ୍ରେଷ୍ଠ ଜନ୍ତୁରକ୍ଷକ ଭାବେ ପୁରସ୍କୃତ ହୋଇଛନ୍ତି। ଅତିତରେ ନନ୍ଦନକାନନ ପରିଦର୍ଶନରେ ଆସିଥିବା କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଅଶ୍ୱିନୀ ଚୋବେ ଓ କ୍ୟାବିନେଟ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବାଘ ଓ ସିଂହ ଛୁଆଙ୍କ ପ୍ରତି ତାଙ୍କ ସ୍ନେହ ଓ ଲାଳନ ପାଳନ ଦେଖି ଅଭିଭୂତ ହୋଇ ପ୍ରଶଂସା କରିବା ସହିତ  ପୁରଷ୍କାର ଘୋଷଣା କରିଥିଲେ। ତାଙ୍କ ଭଳି ଶ୍ରେଷ୍ଠ ଓ ନିଷ୍ଠାପର ଜନ୍ତୁ ରକ୍ଷକଙ୍କ ଅକସ୍ମାତ ଦୁର୍ଦ୍ଦଶାରେ ନନ୍ଦନକାନନ କର୍ତ୍ତୃପକ୍ଷ ଓ କର୍ମଚାରୀ ମର୍ମାହତ ହୋଇଥିବା ବେଳେ ବିଭାଗ ତରଫରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.