ARTICLE AD BOX
ପାରଳାଖେମୁଣ୍ଡି: ମଦ ଆସରରେ ବଚସାରୁ ଘଟିଲା ହତ୍ୟାକାଣ୍ଡ! ମଦ ପିଇବା ପରେ କିଛି ଲୋକଙ୍କ ସହ ଯୁକ୍ତିତର୍କ ହୋଇଥିବା ଏବଂ ଏହାର କିଛି ସମୟ ପରେ ଜଣେ ବୃଦ୍ଧଙ୍କୁ ନିଛାଟିଆ ରାସ୍ତାରେ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ। ଗଜପତିଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାରିଆବନ୍ଧ ଗାଁ ନିକଟରେ ଏକ ମହୁଲ ଗଛ ମୂଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ମୃତକ ହେଉଛନ୍ତି ଡେକାସିନ୍ଧବା ଗାଁର ବଳରାମ ଫେତସିଂ। ଘଟଣାକୁ ନେଇ ହତ୍ୟାକାଣ୍ଡର ସନ୍ଦେହଘନୀଭୂତ ହୋଇଥିବା ବେଳେ ଏହା ପଛରେ କିଏ ଏବଂ କେଉଁ କାରଣ ରହିଛି, ତାହା ଏବେ ପୁଲିସ ତଦନ୍ତର ପରିସରକୁ ଆସିଛି।
ସୂଚନା ଅନୁଯାୟୀ, ବଳରାମ ଗତକାଲି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ନିଜ ଗାଁରୁ ବାହାରି ନିକଟସ୍ଥ ଜଙ୍ଗଲ ମଧ୍ୟରେ ଥିବା ରଙ୍ଗମାଟିଆ ଗାଁକୁ ଯାଇଥିଲେ। ସେଠାରେ ଚୋରାରେ ମହୁଲି ମଦ ବିକ୍ରି ହେଉଥିବା ବେଳେ ସେ ମଦ ପିଇଥିବା ଜଣାପଡ଼ିଛି। ମଦ ପିଇବା ପରେ ସେଠାରେ ଉପସ୍ଥିତ କିଛି ଲୋକଙ୍କ ସହ ତାଙ୍କର ବଚସା ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି ଯୁକ୍ତିତର୍କ ପରେ ସେ ଘରକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କ ସହ କୌଣସି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି। ବାରିଆବନ୍ଧ ଗାଁ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଥିବା ମହୁଲ ଗଛ ମୂଳରୁ ତାଙ୍କ ମୃତଦେହ ମିଳିଥିଲା। ମୃତଦେହର ଅବସ୍ଥାକୁ ଦେଖି ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି।
ବୃଦ୍ଧଙ୍କ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ
ଘଟଣା ସମ୍ପର୍କରେ ଖବର ପାଇ ଚନ୍ଦ୍ରଗିରି ଫାଣ୍ଡି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସାଇଣ୍ଟିଫିକ୍ ଟିମ୍କୁ ମଧ୍ୟ ଡକାଯାଇଥିଲା। ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ଓ ସମ୍ଭାବ୍ୟ ପ୍ରମାଣ ସଂଗ୍ରହ କରିଛି। ପୁଲିସ ମୃତଦେହ ଉଦ୍ଧାର ସହ ଘଟଣାର ପୃଷ୍ଠଭୂମି, ମୃତକଙ୍କ ଗତିବିଧି ଏବଂ ଶେଷ ଥର ପାଇଁ ତାଙ୍କ ସହ କେଉଁମାନେ ଥିଲେ, ସେ ସମ୍ପର୍କରେ ଖୋଳତାଡ଼ କରୁଥିବା ଜଣାପଡ଼ିଛି। ତେବେ ମଦ ଆସରରେ ହୋଇଥିବା ବଚସା ହିଁ ଏହି ହତ୍ୟାକାଣ୍ଡର କାରଣ ନା ଏହା ପଛରେ ଅନ୍ୟ କୌଣସି ବ୍ୟକ୍ତିଗତ ଶତ୍ରୁତା ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ସାଇଣ୍ଟିଫିକ୍ ରିପୋର୍ଟ, ଶବ ବ୍ୟବଚ୍ଛେଦ ଓ ପୁଲିସ ତଦନ୍ତ ପରେ ହିଁ ବୃଦ୍ଧଙ୍କ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ। ଏହି ଘଟଣାକୁ ନେଇ ଡେକାସିନ୍ଧବା ଓ ଆଖପାଖ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି।

2 days ago
3


