Murder: ଦିଲ୍ଲୀରେ ମଣିପୁରୀ ସଂଗୀତଜ୍ଞଙ୍କୁ ହତ୍ୟା, ସିସିଟିଭିରେ ଅଭିଯୁକ୍ତ

1 week ago 7
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀର କିଲୋକାରି ଗାଁରେ ରବିବାର ରାତିରେ ଜଣେ ମଣିପୁରୀ ଗିଟାରବାଦକ ତଥା ସଙ୍ଗୀତ ଶିକ୍ଷକ ଚୋଙ୍ଗଥାମ୍‌ ବିକ୍ରମ ସିଂହଙ୍କୁ ମାଡ଼ ମାରି ହତ୍ୟା କରାଯିବା ଘଟଣାକୁ ନେଇ ଅସନ୍ତୋଷ ବଢ଼ିଛି। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ୧୫ ବର୍ଷୀୟ ନାବାଳକକୁ ମଧ୍ୟ ଅଟକ ରଖାଯାଇଛି। ଘଟଣାର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୁଲିସ ତୁରନ୍ତ ତଦନ୍ତ ଶେଷ କରି ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଦାବି ହୋଇଛି।

୫୪ ବର୍ଷୀୟ ବିକ୍ରମ ସିଂହ ଗତ ୧୭ ବର୍ଷ ଧରି ଦିଲ୍ଲୀରେ ଘରୋଇ ଭାବେ ସଙ୍ଗୀତ ଶିକ୍ଷା ଦେଉଥିଲେ। ସେ ପତ୍ନୀ ଜୋଶ୍ନା ଚୋଙ୍ଗଥାମ୍‌ ଓ ୨୦ ବର୍ଷୀୟ ପୁଅ ୟାଇଫାବା ଚୋଙ୍ଗଥାମ୍‌ଙ୍କ ସହ କିଲୋକାରିରେ ଏକ ଭଡ଼ା ଘରର ତୃତୀୟ ମହଲାରେ ରହୁଥିଲେ। ରବିବାର ରାତି ପ୍ରାୟ ୧୧ଟା ୩୦ରେ ଅଳିଆ ପକାଇବା ପାଇଁ ତଳକୁ ଯାଇଥିବା ବେଳେ ଘର ନିକଟରେ କିଛି ଲୋକ ପାଟିତୁଣ୍ଡ କରୁଥିବା ସେ ଦେଖିଥିଲେ। ଏହାକୁ ନେଇ ସେ ଆପତ୍ତି କରିବା ପରେ ବିବାଦ ହୋଇଥିଲା।

୨ ମଣିପୁରୀ ଛାତ୍ର ନିଖୋଜ ଘଟଣାର ମାଷ୍ଟରମାଇଣ୍ଡ ପୁନେରୁ ଗିରଫ

ଅଭିଯୋଗ ଅନୁସାରେ, ବିବାଦ ପରେ ବିକ୍ରମ ସିଂହ ଘର ଆଡ଼କୁ ଦୌଡ଼ିଥିଲେ। ଆକ୍ରମଣକାରୀମାନେ ତାଙ୍କ ପିଛା କରି କୋଠାର ତୃତୀୟ ମହଲା ପର୍ଯ୍ୟନ୍ତ ଯାଇଥିଲେ ଏବଂ ସେଠାରେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପରେ ସେମାନେ ଚାଲିଯାଇଥିଲେ। ପରିବାର ଲୋକେ ତାଙ୍କୁ ଓଖଲାର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସୋମବାର ସକାଳ ପ୍ରାୟ ୭ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ସିସିଟିଭି ଦୃଶ୍ୟରେ କିଛି ଲୋକ ଘଟଣା ପରେ କୋଠାର ସିଡ଼ି ଦେଇ ତଳକୁ ଆସୁଥିବା ଦେଖାଯାଇଛି। ପୂର୍ବତନ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ମଧ୍ୟ ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ସେୟାର କରି ଦିଲ୍ଲୀ ପୁଲିସକୁ ତ୍ୱରିତ ଓ ନିରପେକ୍ଷ ତଦନ୍ତ କରି ଶୀଘ୍ର ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି।

ଦକ୍ଷିଣ-ପୂର୍ବ ଦିଲ୍ଲୀର ଡିସିପି ବିନୀତ କୁମାରଙ୍କ ଅନୁସାରେ, ସୋମବାର ରାତି ୧ଟା ୩୮ରେ ସନ୍‌ଲାଇଟ୍‌ କଲୋନି ଥାନାକୁ ଆକ୍ରମଣ ସମ୍ପର୍କରେ ଫୋନ୍‌ ଆସିଥିଲା। ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩(୨) ଓ ୩(୫) ଅନୁସାରେ ମାମଲା ରୁଜୁ ହୋଇଛି। ଗିରଫ ୭ ଜଣ ହେଲେ ଭରତ କୁମାର, ପ୍ରମୋଦ, ରମଜାନ ଖାନ୍‌, ବିଜୟ, ଦୀପାଂଶୁ, ମୋହନ ବିଶ୍ୱକର୍ମା ଓ ମନ୍ନୁ। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଘଟଣାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ଦିଲ୍ଲୀ ପୁଲିସକୁ ପ୍ରଶ୍ନ କରିଛନ୍ତି। ଦିଲ୍ଲୀରେ ଉତ୍ତର-ପୂର୍ବାଞ୍ଚଳର ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ୁଥିବା ଦର୍ଶାଇ ସେ ତୁରନ୍ତ ଦୋଷୀଙ୍କୁ ନ୍ୟାୟିକ ପ୍ରକ୍ରିୟାର ସମ୍ମୁଖୀନ କରାଇବାକୁ କହିଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ଖେମଚନ୍ଦ ୟୁମନାମ୍‌ ମଧ୍ୟ ବିକ୍ରମ ସିଂହଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ରାଜ୍ୟର ସଙ୍ଗୀତ ଓ ସାଂସ୍କୃତିକ ଜୀବନରେ ତାଙ୍କ ଅବଦାନକୁ ସ୍ମରଣ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.