ARTICLE AD BOX
ଭୁବନେଶ୍ବର: ଶୁକ୍ରବାର ରାତି ପାଖାପାଖି ସାଢ଼େ ୧୦ଟାରେ ଜଟଣୀ ଖୁଦୁପୁର ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସେହି ଗାଁର ମାର୍କଣ୍ଡ ବଳିଆରସିଂହ ଓରଫ ଜଗା(୪୦)ଙ୍କୁ ତାଙ୍କ ପଡ଼ୋଶୀ ମହେଶ୍ବର ହରିଚନ୍ଦନ ଓରଫ ମହିଆ(୩୮) ଛୁରି ଭୁସି ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ଜଗାଙ୍କୁ ମଦ ପିଆଇବା ପରେ ତାଙ୍କ ପେଟ ଓ ଛାତିକୁ ବାରମ୍ବାର ଛୁରିରେ ଭୁସି ମହିଆ ଏହି ହତ୍ୟାକାଣ୍ଡ ଭିଆଇଛି ବୋଲି ଜଟଣୀ ଥାନା ପୁଲିସ ସୂଚନା ଦେଇଛି। ଘଟଣାର ୬ଘଣ୍ଟା ଭିତରେ ପୁଲିସ ଅଭିଯୁକ୍ତ ମହିଆକୁ ଗିରଫ କରିଛି ଏବଂ ତା’ ଘରର ବାଡ଼ିରେ ଥିବା ଏକ ପଥର ତଳୁ ରକ୍ତଭିଜା ଛୁରି ଜବତ କରିଛି। ବଜାରରେ କେବେ ଜଗା ଦ୍ବାରା ଅପମାନିତ ହୋଇଥିବା ଭଳି ଏକ ସାମାନ୍ୟ ରାଗର ପ୍ରତିଶୋଧ ନେବାକୁ ଯାଇ ମହିଆ ଏଭଳି କାଣ୍ଡ ଭିଆଇଥିବା ପୁଲିସ ସମ୍ମୁଖରେ ସ୍ବୀକାର କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ଏବଂ କୋର୍ଟରୁ ତାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇଦିଆଯାଇଛି।
Workshop: ‘ସରକାର ସହରାଞ୍ଚଳ ସ୍ଥାନୀୟ ନିକାୟକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି’
ପୁଲିସ ସୂଚନାନୁସାରେ ଗତକାଲି ରାତିରେ ଜଟଣୀ ଥାନା ପିସିଆର୍ ଟିମ୍ ପାଟ୍ରୋଲିଂ ପାଇଁ ଖୁଦୁପୁର ଛକକୁ ଯାଇଥିବା ବେଳେ ଜଗାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ଜଗାଙ୍କ ପେଟରୁ ଅନ୍ତବୁଜୁଳା ବାହାରି ପଡ଼ିଥିଲା ଏବଂ ଛାତିରେ ମଧ୍ୟ ଗଭୀର କ୍ଷତ ଥିଲା। ବଞ୍ଚିଥିବା ଭାବି ପୁଲିସ ଟିମ୍ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ଜଗାଙ୍କୁ ପ୍ରଥମେ ଜଟଣୀ ଡାକ୍ତରଖାନା ଓ ସେଠାରୁ ଭୁବନେଶ୍ବର ଏମ୍ସକୁ ପଠାଇଥିଲେ। କିନ୍ତୁ ସେତେବେଳକୁ ଜଗାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସକୁ ଜଣାଇଥିଲେ। ତେଣୁ ଜଟଣୀ ଥାନା ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ରାତାରାତି ସନ୍ଦେହରେ ୩ଜଣଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା। ପୂର୍ବ ଶତ୍ରୁତା ଆଧାରରେ ପୁଲିସ ଉଠାଇ ଆଣିଥିବା ୩ଜଣ କିନ୍ତୁ ଠିକ୍ ହତ୍ୟାକାଣ୍ଡ ସମୟରେ ଅଲଗା ଅଲଗା ଜାଗାରେ ଥିବା ପ୍ରମାଣ ମିଳିବା ପରେ ପୁଲିସ ପାଇଁ ଅଡ଼ୁଆ ବଢ଼ିଥିଲା। କିନ୍ତୁ ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚରୁ ପୁଲିସକୁ ହତ୍ୟାକାରୀର ସୁରାକ ମିଳିଗଲା। ହତ୍ୟାକାଣ୍ଡ ପୂର୍ବରୁ ଜଗା ସହିତ ଜଣେ ଲୁଙ୍ଗି ପିନ୍ଧା ଯୁବକ ଥିବା ଜଣାପଡ଼ିଥିଲା ଏବଂ ତାକୁ ପୁଲିସ ଚିହ୍ନଟ କରିବାକୁ ଗାଁ ଲୋକଙ୍କ ସହଯୋଗ ନେଇଥିଲା। ରାତି ପାହିବା ପୂର୍ବରୁ ଅର୍ଥାତ୍ ଭୋର୍ରୁ ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଆଣି ଘଟଣାସ୍ଥଳରେ ତଦନ୍ତ ଚଳାଇଥିବା ବେଳେ ମହିଆ ଘରୁ ବାହାରି ସେଠାକୁ ଆସିଥିଲା। କିଛି ନ ଜାଣିବା ଭଳି ଅଭିନୟ କରି ଜଗାକୁ କିଏ କେମିତି ମାରିଦେଲା ବୋଲି ଉପସ୍ଥିତ ଗାଁ ଲୋକଙ୍କୁ ପଚାରିଥିଲା। ଏତିକିବେଳେ ଗାଁର କିଛି ଲୋକ ପୁଲିସକୁ ଇସାରା କରିଥିଲେ। ଇସାରା ପାଇବା ମାତ୍ରେ ପୁଲିସ ସିଧାସଳଖ ମହିଆକୁ ଟେକିନେଇ ଥାନା ଗାଡ଼ିରେ ପୂରାଇଥିଲା। ଥାନାରେ ମହିଆ ହତ୍ୟାକରିଥିବା ମାନିଯାଇଥିଲେ ହେଁ ଛୁରି କେଉଁଠି ଲୁଚାଇଛି, କହିନଥିଲା। କିନ୍ତୁ ସନ୍ଧାନୀ କୁକୁର ତା’ ବାଡ଼ିପଟକୁ ଯାଇ ପଥର ତଳେ ଥିବା ଛୁରିର ସନ୍ଧାନ ଦେଇଥିଲା।
Weekly Horoscope 2026 July 12 to 18: ଜାଣନ୍ତୁ ଏ ସପ୍ତାହର ରାଶିଫଳ
ସାମାନ୍ୟ କଥାରେ ମାରିଦେଲା
ଅଭିଯୁକ୍ତ ମହିଆ ଓ ମୃତ ଜଗା ପଡ଼ୋଶୀ ହୋଇଥିବାରୁ ବିଭିନ୍ନ ସମୟରେ ସାଙ୍ଗ ହୋଇ ମଦ ପିଅନ୍ତି। ହରିରାଜପୁର ବିଦ୍ୟୁତ୍ ସେକ୍ସନରେ କାମ କରୁଥିବା ଜଗା କେତେବେଳେ ମଦ ଦିଏ ତ ଇଭି ଅଟୋରିକ୍ସା ଚଳାଉଥିବା ମହିଆ କେବେକେବେ ମଦ କିଣେ। ଗତ କିଛି ମାସ ହେଲା ଏହି ମଦ ଦିଆନିଆକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ବିଶେଷକରି ୨ମାସ ତଳେ ମହିଆ ଅଟୋ କିଣିଥିଲା ଏବଂ ସେହି ଖୁସିରେ ଜଗା ତାକୁ ମଦ ମାଗିଥିଲା। କିନ୍ତୁ ମହିଆ ମଦ ଦେବାକୁ ମନା କରିବାରୁ ଜଗା ତାକୁ ଗାଳିଗୁଲଜ କରିଥିଲା। ବଜାର ଉପରେ ଜଗାଠାରୁ ଗାଳି ଶୁଣି ମହିଆ ଅପମାନିତ ହୋଇଥିଲା ଏବଂ ପ୍ରତିଶୋଧ ନେବ ବୋଲି ନିଷ୍ପତ୍ତି ନେଇଥିଲା। ଗତକାଲି ସନ୍ଧ୍ୟାରେ ଜଗା ପୁଣି ତାକୁ ମଦ ମାଗିଥିଲା। ମହିଆ ରାଜି ହୋଇଯାଇଥିଲା ଏବଂ ରାତି ପ୍ରାୟ ୧୦ଟା ବେଳେ ଖୁଦୁପୁର ଗାଁ ମୁଣ୍ଡ ଆଇଆଇଟି ରାସ୍ତାର ଏକ ଗଛମୂଳକୁ ଡାକିଥିଲା। ସେଠାରେ ମଦ ପିଇବାକୁ ଦେଇ ହଠାତ୍ ଛୁରିରେ ଆକ୍ରମଣ କରିଥିଲା।

3 weeks ago
10


